ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ଟପିଲା ୫ ଲକ୍ଷ

ପ୍ଲାଜ୍‌ମା ନେଇଛନ୍ତି ୩୩, ଡିସଚାର୍ଜ ହେଲେଣି ୮

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟା ୫ଲକ୍ଷ ଟପିଛି। ମାର୍ଚ ମାସରେ ରାଜ୍ୟରେ ପ୍ରଥମେ କୋଭିଡ୍‌ ନମୁନା ପରୀକ୍ଷା ଆରଏମ୍‌ଆରସିରେ ଆରମ୍ଭ ହୋଇଥିଲା। ପ୍ରଥମ ୧୦ ସପ୍ତାହରେ ରାଜ୍ୟରେ ୧ଲକ୍ଷ ନମୁନା ପରୀକ୍ଷା ହୋଇପାରିଥିଲା। ମାତ୍ର ଏବେ ଗତ ୧୦ଦିନରେ ୧ଲକ୍ଷ ନମୁନା ପରୀକ୍ଷା ହୋଇପାରିଛି। ରାଜ୍ୟର ୩୦ଟି ଜିଲ୍ଲାରେ ସମୁଦାୟ ୫୪ଟି ଲ୍ୟାବ୍ ରହିଛି। ଏଥିରେ ୪୫ ସରକାରୀ ଓ ୯ଟି ବେସରକାରୀ ଲ୍ୟାବ୍‌ରେ ପରୀକ୍ଷା କରାଯାଉଛି। ଏହାବାଦ୍ ବହୁତ ସଂଖ୍ୟାରେ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ମଧ୍ୟ ପରୀକ୍ଷା ହେଉଛି। ତେଣୁ ଯେଉଁ ଲୋକମାନଙ୍କର କରୋନା ଲକ୍ଷଣ ରହିଛି ସେମାନେ ନିଶ୍ଚିତ କୋଭିଡ୍‌ ପରୀକ୍ଷା କରାନ୍ତୁ। ରାଜ୍ୟରେ ଏବେ ଦୈନିକ ୨୦ ହଜାର ନମୁନା ପରୀକ୍ଷାର ଭିତ୍ତିଭୂମି ରହିଛି ବୋଲି କହିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ।

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଲେ ଯେ ଗାଁ ଓ ସହରାଞ୍ଚଳରେ ନମୁନା ସଂଗ୍ରହ କରାଯାଉଛି। ଆଶା ଦିଦିମାନେ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରାଉଛନ୍ତି। ଟେଷ୍ଟିଂ ବଢିବା କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସ୍ୱାଭାବିକ। ଗଞ୍ଜାମ ଜିଲ୍ଲାରେ ମୋବାଇଲ ଭ୍ୟାନ୍ ଜରିଆରେ ନମୁନା ପରୀକ୍ଷା ହେଉଛି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର କିଟ୍‌ ରହିଛି ତେଣୁ ଲକ୍ଷଣ ଥିବା ଲୋକମାନେ ପରୀକ୍ଷା କରିନେବା ଜରୁରୀ। ଏହାସହ କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ଉପଲବ୍ଧ ରହିଛି।

ସରକାରୀ ଓ ଘରୋଇ ଲ୍ୟାବ୍‌ରେ ପରୀକ୍ଷାରେ ଭିନ୍ନ ଭିନ୍ନ ରିପୋର୍ଟ ଆସୁଥିବା କୁହାଯାଉଛି। ମାତ୍ର ଏହି ରିପୋର୍ଟରେ କିଛି ଭୁଲ୍ ନ ଥାଏ। ବରଂ ନମୁନା ପରୀକ୍ଷା ‌କରୁଥିବା ବ୍ୟକ୍ତିଙ୍କ ଶରୀରରେ ଭୂତାଣୁର ସଂକ୍ରମଣ ପ୍ରଭାବ ଉପରେ ନିମୁନା ରିପୋର୍ଟ ନିର୍ଭର କରିଥାଏ। ଆଇସିଏମ୍‌ଆର ଦ୍ବାରା ନିର୍ଧାରିତ ନିର୍ଦେଶାବଳୀ ଅନୁଯାୟୀ ସମସ୍ତ ଲ୍ୟାବ୍‌ରେ ଠିକ୍ ପ୍ରକ୍ରିୟାରେ ନମୁନା ପରୀକ୍ଷା ହେଉଛି। କୌଣସି ବ୍ୟକ୍ତିଙ୍କ ଶରୀରରେ ଭୂତାଣରୁ ପ୍ରଭାବ ଦେଖାଯିବା ଲାଗି ୪/୫ଦିନ ସମୟ ଲାଗୁଛି। ତେଣୁ ଏହି ସମୟ ଭିତରେ ପରୀକ୍ଷା କରାଯିବା ଉଚିତ୍।

ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ଲାଜ୍‌ମା ଥେରାପି ବେଶ୍‌ ସଫଳତା ଆଣିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୮ଜଣ ରକ୍ତଦାତାଙ୍କଠାରୁ ନିଆଯାଇଥିବା ପ୍ଲାଜ୍‌ମା ୩୩ଜଣ ସଂକ୍ରମିତଙ୍କୁ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୩ଜଣ ସୁସ୍ଥ ହେବାରେ ଲାଗିଛନ୍ତି। ଏପରିକି ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ପ୍ଲାଜ୍‌ମା ଥେରାପି ବ୍ୟବସ୍ଥା ଥିବା ବେଳେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପନ କରାଯାଇଛି। ରାଉରକେଲା ସରକାରୀ ହସ୍ପିଟାଲରେ ଖୁବଶୀଘ୍ର ଏହାକୁ ସ୍ଥାପନ କରାଯିବ ବୋଲି ଶ୍ରୀମତୀ ପଣ୍ଡିତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର