ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଭୁବନେଶ୍ବର ବିମାନବନ୍ଦରରେ ସମସ୍ତ ଆଗନ୍ତୁକଙ୍କର କୋଭିଡ ଟେଷ୍ଟ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ବିଏମ୍‌ସିର ନିଷ୍ପତ୍ତି ଅନୁଯାୟୀ, ଏଣିକି ଯେଉଁମାନେ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବେ ସେମାନଙ୍କର ଆର୍‌ଟିପିସିଆର୍ ଟେଷ୍ଟ ହେବ। ଯାତ୍ରୀ ଦୁଇ ଡୋଜ୍‌ ଟିକା ନେଇଥିଲେ, ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଆଣିଥିଲେ ବି ଆର୍‌ଟିପିସିଆର୍‌ ଟେଷ୍ଟ କରିବେ। ଏହା ଶୁକ୍ରବାର ଠାରୁ ଆରମ୍ଭ ହେବ ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂହ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Advertisment

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗରେ ଟର୍ମିନାଲ-୧ ପରିସରରେ ଆର୍‌ଟିପିସିଆର୍‌ ଟେଷ୍ଟିଂ ସୁବିଧା କରାଯାଇଛି। ଏଠାରେ ଯେଉଁମାନେ ବାହାର ରାଜ୍ୟରୁ ବିମାନରେ ଆସିବେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ। ଭୁବନେଶ୍ବରରେ ଯେଉଁ ଯାତ୍ରୀମାନେ ରହିବେ ସେମାନଙ୍କୁ ଟେଷ୍ଟିଂ ପରେ ଛାଡ଼ି ଦିଆଯିବ। ସେମାନେ ଟେଷ୍ଟିଂ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏକାନ୍ତବାସରେ ରହି‌େବ। ଯେଉଁମାନଙ୍କର ପଜିଟିଭ୍ ରିପୋର୍ଟ ଆସିବ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବା ସହ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ପାଳନ କରାଯିବ। ହେଲେ ଯେଉଁ ଯାତ୍ରୀମାନେ ବିମାନବନ୍ଦରରେ ଓହ୍ଲାଇ ସଂଯୋଗୀକରଣ ବିମାନରେ ଯିବାର ଥିବ ସେମାନଙ୍କର ‌େକାଭିଡ ପରୀକ୍ଷା ହେବନି।

ସୂଚନାଯୋଗ୍ୟ ଯେ, ଏବେ ଦୈନିକ ପ୍ରାୟ ୩୪ଟି ବିମାନ ଆ‌ସୁଥିବାବେଳେ ୩୫ଟି ବିମାନ ଯାଉଛି। ଏଥିରେ ଦୈନିକ ପ୍ରାୟ ୭ହଜାର ଲୋକ ଯାତାୟତ କରୁଛନ୍ତି। ଅପରପକ୍ଷେ କୋଲକତା ବିମାନବନ୍ଦରରେ ବିମାନ ଯାତାୟତ ଉପରେ କଟକଣା ଲାଗିଥିବାରୁ ବହୁ ଯାତ୍ରୀ ଭାୟା ଭୁବନେଶ୍ବର ହୋଇ କୋଲକତା ଯାଉଛନ୍ତି। ତେଣୁ ଏହିଭଳି ଯାତ୍ରୀମାନେ ଯେପରି ବିମାନବନ୍ଦର ବାହାରକୁ ଆସିବେନି ତାହା ଉପରେ ଏହା ରୋକ୍‌ ଲଗାଇବ। ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ସରକାର ବିମାନ ଚଳାଚଳ ବନ୍ଦ କରିବା ସମ୍ଭାବନା ନଥିବାରୁ ସମସ୍ତ ଆଗନ୍ତୁକ ଯାତ୍ରୀଙ୍କର କୋଭିଡ ଟେଷ୍ଟ କରିବାକୁ କୁହାଯାଇଛି।