ରାଜ୍ୟରେ କୋଭିଡ୍‌ ଟିକାକରଣ : ଦ୍ବିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ଆରମ୍ଭ

ଗୃହ, ଗୃହ ଓ ନଗର ଉନ୍ନୟନ, ରାଜସ୍ବ ବିଭାଗର କର୍ମଚାରୀ ସାମିଲ ହେବେ

ଭୁବନେଶ୍ବର : ଆସନ୍ତା ୧୬ତାରିଖରୁ ଦେଶରେ କୋଭିଡ୍‌ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେଣୁ ରାଜ୍ୟରେ ମଧ୍ୟ ଖୁବଶୀଘ୍ର ଟିକାକରଣ ‌କରାଯିବ ବୋଲି ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟ ଟିକାଦାନ ପାଇଁ ରାଜ୍ୟ ସରକାର ଡାଟାବେସ୍ ପ୍ରସ୍ତୁତ କରି ସାରିଛନ୍ତି। ତେବେ ଦ୍ବିତୀୟ ପର୍ଯ୍ୟାୟ ଟିକାଦାନ ପାଇଁ ତାଲିକା ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କୁ ଏଥିରେ ସାମିଲ କରାଯାଉଥିବା ସୂଚନା ମିଳିଛି।

କେନ୍ଦ୍ର ସରକାର ଦ୍ବିତୀୟ ପର୍ଯ୍ୟାୟରେ ପୁଲିସ ବାହିନୀ, ହୋମଗାର୍ଡ, ବେସାମରିକ ସଂଗଠନ, ବିପର୍ଯ୍ୟୟ ପରିଚାଳନା, ଜେଲ୍‌ ଓ ମ୍ୟୁନିସିପାଲ କର୍ମଚାରୀମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଟିକାଦାନ ପ୍ରଦାନ କରିବା ଲାଗି ପୂର୍ବରୁ ଘୋଷଣା କରିସାରିଛନ୍ତି। ଅନ୍ୟ ପଟରେ ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀଙ୍କ ବାଦ୍ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଅନ୍ୟ ଜଟିଳ ରୋଗ ଥିବା ବ୍ୟକ୍ତି ସମେତ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ଟିକା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କେନ୍ଦ୍ରକୁ ସୂଚନା ଦିଆଯାଇଥି‌ଲେ ହେଁ, ସେପଟରୁ କୌଣସି ଉତ୍ତର ମିଳି ନ ଥିବା ଜଣାପଡ଼ିଛି।

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ ପାଇଁ ତାଲିକା ପ୍ରସ୍ତୁତ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଗୃହ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାସହ ସଂକ୍ରମଣ ଅବରୋଧ ଅଞ୍ଚଳ ଓ ଯାଞ୍ଚରେ କାର୍ଯ୍ୟ କରିଥିବା ରାଜସ୍ବ ବିଭାଗର କର୍ମଚାରୀଙ୍କ ମଧ୍ୟ ତାଲିକା ପ୍ରସ୍ତୁତ କରାଯାଉଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ଅପରପକ୍ଷରେ ନିକଟରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଲୋକ ପ୍ରତିନିଧିମାନଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କ ସହିତ ଭିଡିଓ କନଫରେନସିଂରେ ଆଲୋଚନାରେ ସମୟରେ ଶ୍ରୀ ଦାସ ପଞ୍ଚାୟତିରାଜ ବିଭାଗର ସଦସ୍ୟମାନଙ୍କୁ ମଧ୍ୟ ଏଥିରେ ଟିକାକରଣରେ ଗୁରୁତ୍ବ ଦେବାକୁ ନିବେଦନ କରିଥିବା ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ ପାଇଁ ୩.୨୮ଲକ୍ଷ ଲୋକଙ୍କ ତାଲିକା ପ୍ରସ୍ତୁତ କରି ସାରିଛନ୍ତି। ଏଥିରେ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ଆଇସିଡିଏସ୍‌ର କର୍ମଚାରୀ ସାମିଲ ଅଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ହିତାଧିକାରୀ ରହିଥିବା ବେଳେ ଖୋର୍ଧା ଓ ଗଞ୍ଜାମ ଜିଲ୍ଲା ଏହାର ପଛରେ ରହିଛି। ବୌଦ୍ଧ ଜିଲ୍ଲାରୁ ସର୍ବନିମ୍ନ ହିତାଧିକାରୀ ରହିଛନ୍ତି। ତଥାପି ରାଜ୍ୟରେ ଯେପରି କୌଣସି ସ୍ବାସ୍ଥ୍ୟକର୍ମୀ ହିତାଧିକାରୀ ତାଲିକାରୁ ବାଦ୍ ନ ପଡ଼ନ୍ତି ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଟିକାକରଣ ପାଇଁ ଡ୍ରାଏ ରନ୍‌(ପ୍ରାକ୍ ଅଭ୍ୟାସ) ହୋଇ ସାରିଛି। ଟିକାଦାନ ପାଇଁ ରାଜ୍ୟ ସରକାର ୨୯ହଜାର ଟିକାଦାନ କେନ୍ଦ୍ରକୁ ଚିହ୍ନଟ କରି ସାରିଛନ୍ତି। ଏପରିକି ଟିକା ସଂରକ୍ଷିତ ରହୁଥିବା ସ୍ଥାନଠାରୁ ଆରମ୍ଭ ଟିକାଦାନ କେନ୍ଦ୍ରରେ କଡ଼ା ନିରାପତ୍ତା ବଜାୟ ରଖିବା ଲାଗି ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର