ବାରିପଦା : ପ୍ରଶାସନ ନାକତଳେ କୋଭିଡ ଆଇନର ଖୋଲା ଉଂଲଘନ

ବଡ଼ବଡ଼ିଆଙ୍କୁ ମାଫ, କ୍ଷୁଦ୍ର ବ୍ୟବସାୟୀଙ୍କୁ ନାଲିଆଖି
ଘରୋଇ ମେଡିକାଲ୍ ହଲ୍ କବ୍‌ଜାରେ ହସ୍ପିଟାଲ ରୋଡ୍, ଆମ୍ବୁଲାନ୍ସ ଯିବାକୁ ବାଟ ପାଉନି
ରୋଗୀଙ୍କ ସୁରକ୍ଷାକୁ ବି ଫୁଃ….

ବାରିପଦା : ପ୍ରଶାସନ ନାକତଳେ ଚାଲିଛି କୋଭିଡ୍ ଆଇନର ଖୋଲା ଉଂଲଘନ। ଜିଲ୍ଲାରେ କରୋନା ଚିନ୍ତାଜନକ ସ୍ଥିତିରେ ଥିବାବେଳେ ଔଷଧ ବ୍ୟବସାୟୀମାନଙ୍କର ଏହି ଲଢ଼େଇରେ ଏକ ପ୍ରମୁଖ ଭୂମିକା ରହିଛି। ଏପରିକି ବାରିପଦାରେ କିଛିଦିନ ତଳେ ଜଣେ ଯୁବ ଔଷଧ ବ୍ୟବସାୟୀଙ୍କର କରୋନାରେ ମୃତ୍ୟୁ ଘଟିଛି। ଏତେସବୁ ପରେ ମଧ୍ୟ କିଛି ବଡ଼ ଔଷଧ ବ୍ୟବସାୟୀ ନିଜର ଅର୍ଥ ଏବଂ ଆଧିପତ୍ୟ ବଳରେ କରୋନା କଟକଣାକୁ ଫୁଃ କରିଦେଉଥିବା ପରିଲକ୍ଷିତ ହେଉଛି। ଏହା ଉପରେ କିନ୍ତୁ କୌଣସି ସରକାରୀ ଅଧିକାରୀଙ୍କ ନଜର ପଡ଼ୁନଥିବା ଆହୁରି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି।

ଘରୋଇ ଭାବରେ ରୋଗୀ ଦେଖୁଥିବା ଡାକ୍ତରଙ୍କ ପାଇଁ ରୋଗୀଙ୍କୁ ଅତ୍ୟନ୍ତ ବେପରୁଆ ଭାବେ ଅପେକ୍ଷା କରିବାକୁ କୁହାଯାଉଥିବା ଦେଖିବାକୁ ମିଳିଛି। ପିଆରଏମ ହସ୍ପିଟାଲ ସନ୍ନିକଟ ଏକ ପ୍ରମୁଖ ଔଷଧ ବିକ୍ରୟ କେନ୍ଦ୍ରରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ମେଡିକାଲ୍ ହଲ୍‌ରେ କୋଭିଡ୍ ମାର୍ଗଦର୍ଶୀକାକୁ ଅତ୍ୟନ୍ତ ସନ୍ତର୍ପଣର ସହିତ ଉଲ୍ଲଂଘନ କରାଯାଉଥିବା ପରିଲକ୍ଷିତ ହେଉଛି। ଏହି ପ୍ରତିଷ୍ଠିତ ମେଡିକାଲ୍ ହଲ୍‌କୁ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଏକାଧିକ ଚିକିତ୍ସକ ଘରୋଇ ପ୍ରାକ୍ଟିସ୍ କରିବାକୁ ଆସିଥାଆନ୍ତି। ମାତ୍ର ଡାକ୍ତରଙ୍କୁ ଅପେକ୍ଷା କରିବା ସମୟରେ ମେଡିକାଲ୍ ହଲ୍ ଭିତରେ ହେଉ କି ବାହାରେ ସାମାଜିକ ଦୂରତାର କିନ୍ତୁ ଧଜ୍ଜିଆ ଉଡୁଥିବା ଦେଖାଯାଇଛି। ସପ୍ତାହର ଅଧିକାଂଶ ଦିନ ଏପରି ଭିଡ଼ ଲାଗୁଥିବା ଜଣାପଡ଼ିଛି। ଫଳରେ ଅଧିକ ବ୍ୟବସାୟିକ ଲାଭ ଆଶାରେ ମେଡିକାଲ୍ ହଲ୍ ମାଲିକ କୋଭିଡ୍ ମାଗଦର୍ଶୀକାକୁ ଉଂଲଘନ କରୁଥିବା ଦେଖାଦେଇଛି। ଭିତରକୁ ଅଧିକ ଲୋକଙ୍କ ପ୍ରବେଶ ପ୍ରସ୍ଥାନ ଲାଗି ରହିଥିବାରୁ ପରସ୍ପର ମଧ୍ୟରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତା ପାଳନ ଏଠାରେ ହେଉନଥିବା ଦେଖାଯାଇଛି। ପ୍ରଶାସନ କିନ୍ତୁ ଏଦିଗରେ ଧ୍ରୁତରାଷ୍ଟ୍ର ସାଜିଥିବା ଚର୍ଚ୍ଚା ହେଉଛି।

ସେହିପରି ଏହି ଘରୋଇ ମେଡିକାଲ ହଲ୍‌ର ନିଜସ୍ୱ ପାର୍କିଂ ବ୍ୟବସ୍ଥା ନଥିବା କାରଣରୁ ସେଠାକୁ ଆସୁଥିବା କ୍ରେତାମାନେ ମୁଖ୍ୟରାସ୍ତା ଉପରେ ଦୁଇ ଓ ଚାରି ଚକିଆ ଯାନଗୁଡ଼ିକୁ ପାର୍କିଂ କରୁଛନ୍ତି। ଫଳରେ ପିଆରଏମ୍ ହସ୍ପିଟାଲ ଯିବାକୁ ଏହି ମୁଖ୍ୟ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ସହ ଆମ୍ବୁଲାନ୍‌ସ ଯାତାୟତରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଅନେକ ଛୋଟ ଛୋଟ ଦୋକାନକୁ ପ୍ରଶାସନ ସାମାଜିକ ଦୂରତା ଉଂଲଘନ ଅଭିଯୋଗରେ ସିଲ୍ କରୁଥିବାବେଳେ ଏପରି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ କିନ୍ତୁ କୋଭିଡ୍ ନିୟମକୁ ଉଂଲଘନ କରୁଥିବା ଦେଖାଯାଉଛି। ଯାହାକି କ୍ଷୋଭର ବିଷୟ ବୋଲି ବହୁ କ୍ଷୁଦ୍ର ବ୍ୟବସାୟୀ ଏବଂ ସଚେତନ ନାଗରିକ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ କ୍ଷମତାପ୍ରାପ୍ତ ବାରିପଦା ତହସିଲଦାରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ କରାଯାଇଥିଲା। ସେ ଏ ବିଷୟରେ କୌଣସି ଅନୁସନ୍ଧାନ କରିନାହାନ୍ତି। ତେଣୁ କଣ ପ୍ରତିକ୍ରିୟା ଦେବେ ବୋଲି ଉତ୍ତର ଦେଇଥିଲେ।

ସମ୍ବନ୍ଧିତ ଖବର