ରାଜ୍ୟରେ‌ ‘କୋଭିସିଲ୍‌ଡ’ର ଉତ୍କଟ ସଂକଟ

ଟିକା ପାଇଁ ଦୁଇ ଟିକା ଉତ୍ପାଦକଙ୍କୁ ଚିଠି
ମେ’ରେ ୫ଲକ୍ଷ ‘କୋଭାକ୍ସିନ୍’, ୪୦ଲକ୍ଷ ‘କୋଭିସିଲ୍‌ଡ’ ଆବଶ୍ୟକ

ଭୁବନେଶ୍ବର : ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଉତ୍କଟ ସଂକଟ ଦେଖାଦେଇଛି। ରାଜ୍ୟ‌ରେ ଏବେ ୧.୧ଲକ୍ଷ ଡୋଜ୍‌ର ‘କୋଭିସିଲଡ୍‌’ ମହଜୁଦ୍‌ ଥିବା ବେଳେ ୪୫ବର୍ଷରୁ ଅଧିକ ଲୋକଙ୍କ ଟିକାକରଣରେ ସମସ୍ୟା ସୃଷ୍ଟି ହୋଇଛି। ଦ୍ବିତୀୟ ଡୋଜ୍ ‌ଟିକା ନେବା ପାଇଁ ୬.୩ଲକ୍ଷ ଡୋଜ୍‌ ଟିକାର ଆବଶ୍ୟକତା ରହିଛି। ମାତ୍ର କେନ୍ଦ୍ରରୁ ଆବଶ୍ୟକ ସଂଖ୍ୟକ ଟିକା ଆସୁ ନ ଥିବାରୁ ଦିନକୁ ଦିନ ରାଜ୍ୟରେ ଟିକାକରଣ ସଂଖ୍ୟା କମି କମି ଚାଲିଛି। ଏପରିକି ରାଜ୍ୟରେ ଦୈନିକ ୨ଲକ୍ଷ ଡୋଜ୍ ଟିକାକରଣ କରିବା ରାଜ୍ୟ ସରକାରଙ୍କ ପାଇଁ ସ୍ବପ୍ନ ହୋଇ ରହିଛି। ଆଜି ରାଜ୍ୟରେ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଆସନ୍ତାକାଲି ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର ଓ ସୋନପୁରେ ଟିକାକରଣ ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ୨୮୮ଟି ଟିକାଦାନ କେନ୍ଦ୍ରରେ ୨୭,୬୦୨ଜଣଙ୍କୁ ଟିକା ଦିଆଯାଇଛି। ଏଥିରେ ୪୫ ବର୍ଷରୁ ଅଧିକ ୧୨,୭୭୧ଜଣଙ୍କୁ ପ୍ରଥମ ଓ ୧୨,୩୫୬ଜଣଙ୍କୁ ଦ୍ବିତୀୟ ଡୋଜ୍‌ର ଟିକା ଦିଆଯାଇଛି। ରାଜ୍ୟରେ ଏହାକୁ ମିଶାଇ ସମୁଦାୟ ୫୭ଲକ୍ଷ ୭୬ହଜାର ୩୭୧ଜଣ ଟିକା ନେଇ ସାରିଲେଣି। ଅପରପକ୍ଷରେ ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ୧୮-୪୪ବର୍ଷର ବ୍ୟକ୍ତିଙ୍କୁ ଟିକା ଦେବାକୁ ଘୋଷଣା କରାଯାଇଛି। ରାଜ୍ୟ ସରକାର ମଧ୍ୟ ଏହି ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରିଛନ୍ତି। ହେଲେ ଟିକା ଠିକ୍ ସମୟରେ ଆସିବା ନେଇ ସନ୍ଦେହ ଥିବାରୁ ରାଜ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟିକାକରଣ ବିଳମ୍ବ ହେବ ବୋଲି ସ୍ପଷ୍ଟ ‌ହୋଇଯାଇଛି। ତେବେ ରାଜ୍ୟରେ ୩.୯୪ଲକ୍ଷ ଲୋକ ଏ ପର୍ଯ୍ୟନ୍ତ ପଞ୍ଜୀକରଣ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଆସନ୍ତାକାଲି ଯଦି ଦୁଇ କମ୍ପାନି ନିକଟରୁ ଟିକା ନ ଆସେ, ତାହାଲେ ମେ’ ପହିଲାରୁ ଟିକାକରଣ ସମ୍ଭବ ହେବ ନାହିଁ। ଯଦିଓ ୧୮-୪୪ବର୍ଷର ଲୋକମାନେ ନିଜର ପଞ୍ଜୀକରଣ ଜାରି ରଖିଛନ୍ତି, ହେଲେ ଟିକା ମିଳିବା ପରେ ହିଁ ସେମାନଙ୍କୁ ସ୍ଲଟ୍‌ ଦିଆଯିବ। ଆସନ୍ତାକାଲିଠାରୁ ଏହି ବର୍ଗର କେତେ ସଂଖ୍ୟକ ଲୋକ ପଞ୍ଜୀକରଣ କରିଛନ୍ତି, ତାହାର ତଥ୍ୟ ଉପଲବ୍ଧ ନଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୧୮-୪୪ ବର୍ଷର ଲୋକଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର ପୂର୍ବରୁ ଏହି ଟିକା ଉତ୍ପାଦକ ଭାରତ ବାଇଓଟେକ୍ ଓ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌କୁ ଟିକା ପ୍ରଦାନ କରିବା ଲାଗି ଚିଠି ଲେଖିଥିଲେ। ମାତ୍ର ଆଜି ପୁଣିଥରେ ରାଜ୍ୟ ସରକାର ଏହି ଦୁଇ ଟିକା ଉତ୍ପାଦକଙ୍କୁ ଚିଠି ଲେଖିବା ସହ ପର୍ଯ୍ୟାୟକ୍ରମେ ରାଜ୍ୟକୁ ଟିକା ପ୍ରଦାନ କରିବା ଲାଗି କହିଛନ୍ତି। ଆସନ୍ତା ମାସ ୩୧ତାରିଖ ସୁଦ୍ଧା ରାଜ୍ୟରେ ୫ଲକ୍ଷ ‘କୋଭାକ୍ସିନ୍’ ଓ ୪୦ଲକ୍ଷ ‘କୋଭାସିଲ୍‌ଡ୍‌’ ଟିକା ପ୍ରଦାନ କରିବା ଲାଗି ସରକାର ଉଲ୍ଲେଖ କରିଛନ୍ତି।

ରାଜ୍ୟ ସରକାର ‘କୋଭାକ୍ସିନ୍’ର ସମୁଦାୟ ୧୦.୩୪ ଡୋଜ୍ ଟିକାର ଅର୍ଡର୍‌ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଚିଠିରେ ଆସନ୍ତା ମାସ ୩୧ତାରିଖ ସୁଦ୍ଧା ୫ଲକ୍ଷ ଓ ଜୁନ୍ ୧୫ତାରିଖ ସୁଦ୍ଧା ୫.୩୪ଲକ୍ଷ ଟିକା ପ୍ରଦାନ କରିବା ଲାଗି ‘କୋଭାକ୍ସିନ୍’ ଟିକା ପ୍ରସ୍ତୁତକାରୀ ଭାରତ ବାଇଓଟେକ୍‌କୁ କୁହାଯାଇଛି। ଏଥିପାଇଁ ୬୨କୋଟି ୪୦ଲକ୍ଷ ଟଙ୍କା ଖର୍ଚ ହେବ। ମାତ୍ର କମ୍ପାନି ପକ୍ଷରୁ ଆଜି ରାଜ୍ୟ ସରକାରଙ୍କୁ ଦେବାକୁ ଟିକାର ଦାମ ହ୍ରାସ କରାଯିବା ପରେ ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ଟଙ୍କା ଆହୁରି କମିବ। ଟିକା ପହଞ୍ଚିବା ପରେ ରାଜ୍ୟ ଔଷଧ ନିଗମର ଅନୁବନ୍ଧିତ ଏନ୍‌ଏବିଏଲ ପରୀକ୍ଷାଗାର‌ରେ ଏହାର ପରୀକ୍ଷା କରାଯିବା ସହିତ ପ୍ରତ୍ୟେକ ବ୍ୟାଚ୍‌ର ଗୁଣବତ୍ତା ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି। ସେହିପରି ‘କୋଭିସିଲ୍‌ଡ’ କ୍ଷେତ୍ରରେ ମେ’ ମାସରେ ୪୦ଲକ୍ଷ ଡୋଜ୍‌ ପଠାଇବାକୁ କୁହାଯାଇଛି। ପରବର୍ତ୍ତୀ ୬୦ ଲକ୍ଷ ଡୋଜ୍ ଜନ୍, ଜୁଲାଇ ଓ ଅଗଷ୍ଟ ମାସ ସୁଦ୍ଧା କମ୍ପାନି ପଠାଇବାକୁ ଚିଠି‌ରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର