ଜାଣନ୍ତୁ ରାଜ୍ୟରେ କେମିତି ସୁସ୍ଥ ହେଉଛନ୍ତି କରୋନା ରୋଗୀ; କିପରି କରାଯାଉଛି ଚିକିତ୍ସା

ରୋଗୀଙ୍କୁ ଦିଆଯାଉଛି ଏଚ୍‌ସିକ୍ୱୁ, ଜିଙ୍କ, ଭିଟାମିନ୍ ସି, ଭେଣ୍ଟିଲେଟରରେ ୨, ଆଇସିୟୁରେ ଅଛନ୍ତି ୧୫

ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀଙ୍କୁ କେଉଁ ଚିକିତ୍ସା ଦିଆଯାଉଛି? କିଭଳି ପ୍ରତ୍ୟେକ ଦିନ ଏତେ ସଂଖ୍ୟାରେ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି? ଦିନକୁ ଦିନ ସଂକ୍ରମଣ ସହିତ ତାଳ ଦେଇ ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଉଛି। ରାଜ୍ୟରେ ଏବେ କରୋନା ରୋଗୀଙ୍କ ସୁସ୍ଥ ହାର ୬୬ପ୍ରତିଶତ ରହିଛି। ତେବେ ଔଷଧ କିମ୍ବା ଟିକା ନ ଥିବା ଏହି ରୋଗର ଡାକ୍ତରଖାନାରେ କିଭଳି ଚିକିତ୍ସା ହେଉଛି ତାହା ଜାଣିବାକୁ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟର ୩୦ଟି ଜିଲ୍ଲାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ରାଜ୍ୟରେ ଏଥିପାଇଁ ୩୪ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ୟକ୍ତିଜଣକ ଗୁରୁତର ଅଛନ୍ତି କି ନାହିଁ, ତାହା ପ୍ରଥମେ ପରୀକ୍ଷା ହେଉଛି। ଯଦି ସଂପୃକ୍ତ ବ୍ୟକ୍ତିଜଣକ ଗୁରୁତର ଅଛନ୍ତି, ତାହାଲେ ତାଙ୍କୁ ସଙ୍ଗେ ସଙ୍ଗେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ସେଠାରେ ଆଇସିୟୁରେ ଚିକିତ୍ସା କରାଯାଉଛି। ଯଦି ଭେଣ୍ଟିଲେଟର୍‌ର ଆବଶ୍ୟକତା ପଡ଼ୁଛି, ତାହାଲେ ତାଙ୍କୁ ଏହି ସେବା ଦିଆଯାଉଛି। ରାଜ୍ୟରେ ଚିହ୍ନଟ ହେଉଥିବା ପଜିଟିଭ୍‌ଙ୍କ ମଧ୍ୟରୁ ୮୫ପ୍ରତିଶତଙ୍କ କୌଣସି ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହିଛି।

ପୂର୍ବରୁ କରୋନା ରୋଗୀଙ୍କୁ ଡିସ୍‌ଚାର୍ଜ ପାଇଁ ୨୪ ଘଣ୍ଟାରେ ୨ଥର ନମୁନା ନେଗେଟିଭ୍ ଆସିବା ଜରୁରି ରହିଥିଲା। ପରବର୍ତ୍ତୀ ସମୟରେ ଭାରତୀୟ ଭେଷଜ ଗବେଷଣା ପରିଷଦ ବା ଆଇସିଏମ୍‌ଆର ପକ୍ଷରୁ ଡିସଚାର୍ଜ ନିୟମାବଳିରେ ପରିବର୍ତନ କରାଯାଇଥିଲା। ଏବେ ଲକ୍ଷଣ ନ ଥିବା ରୋଗୀମାନଙ୍କୁ ହସ୍ପିଟାଲରୁ ୧୦ଦିନ ପରେ ଡିସ୍‌ଚାର୍ଜ କରାଯାଉଛି। ମାତ୍ର ଏଥିପାଇଁ ସେମାନଙ୍କର ଆଉ କୌଣସି ପ୍ରକାର ନମୁନା ପରୀକ୍ଷା ହେବ ନାହିଁ ବୋଲି କୁହାଯାଇଛି।

Mumbai Live

ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ଡା. ଜୟନ୍ତ ପଣ୍ଡାଙ୍କ କହିବାନୁଯାୟୀ, ରାଜ୍ୟର ପ୍ରତିଷ୍ଠା ହୋଇଥିବା ସମସ୍ତ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ରର ଅଧ୍ୟୟନ କରାଯାଇଥିଲା। ଏଥିରେ ଦେଖାଯାଇଥିଲା ଯେ ୨/୩ପ୍ରତିଶତ ଲୋକଙ୍କୁ ଅକ୍ସିଜେନ୍ ଓ ଆଇସିୟୁର ଆବଶ୍ୟକତା ପଡ଼ୁଛି। ୧୦/୧୨ପ୍ରତିଶତ ଲୋକଙ୍କ ଜ୍ବର, କାଶ ଓ ଛାତିରେ ଯନ୍ତ୍ରଣା ରହୁଛି। ବାକି ୮୫ପ୍ରତିଶତ ଲୋକଙ୍କ କୌଣସି ଲକ୍ଷଣ ନାହିଁ। ଲକ୍ଷଣ ନ ଥିବା ରୋଗୀମାନଙ୍କୁ ପଜିଟିଭ୍ ଚିହ୍ନଟ ହେବାର ୧୦ଦିନ ପରେ ଡିସ୍‌ଚାର୍ଜ କରି ଦିଆଯାଉଛି। ଏହି ସମୟରେ ସେମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍, ଭିଟାମିନ୍ ସି, ଜିଙ୍କ ଓ ଆଣ୍ଟି ବାଇଓଟିକ୍ ଦିଆଯାଉଛି। ଯଦି ସଂପୃକ୍ତ ବ୍ୟକ୍ତିଙ୍କ ଅନ୍ୟ କୌଣସି ଜଟିଳ ରୋଗ ରହିଛି, ତାହାଲେ ତାକୁ ନିୟନ୍ତ୍ରଣ କରିବା ଲାଗି ଔଷଧ ମଧ୍ୟ ଖାଇବାକୁ ଦିଆଯାଉଛି।

ତେବେ ଯେଉଁମାନଙ୍କର ଆଇସିୟୁ ସହାୟତା ଦରକାର ପଡ଼ୁଛି, ସେମାନଙ୍କୁ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ନ ରଖି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ସେଠାରେ ଆଇସିୟୁ ବ୍ୟବସ୍ଥା ରହିଥିବା ସହ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଠନ କରାଯାଉଛି। ଫଳରେ ଜଣେ ରୋଗୀଙ୍କ ସୁସ୍ଥ ହେବା ଲାଗି ଗୋଟିଏ ଜାଗାରୁ ନିଷ୍ପତ୍ତି ନିଆଯାଉଛି। ଏହି କାରଣରୁ ରାଜ୍ୟରେ କରୋନା ଜନିତ ମୃତ୍ୟୁ କମିପାରିଛି। ମାତ୍ର ଯେଉଁମାନଙ୍କୁ ଡାକ୍ତରଖାନା ଆଣିବା ପୂର୍ବରୁ ଗୁରୁତର ହୋଇ ପଡ଼ୁଛନ୍ତି, ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି।

ରାଜ୍ୟରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏବେ ସବୁ ସଙ୍ଗରୋଧ କେନ୍ଦ୍ର ଓ କୋଭିଡ ହସ୍ପିଟାଲରେ ରୋଗୀ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ାରେ ୫୨, ସମ୍ ହସ୍ପିଟାଲରେ ୧୩୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଆଜିର ସମୟରେ ମାତ୍ର ୨ଜଣ ଭେଣ୍ଟିଲେଟରରେ ଥିବା ବେଳେ ୧୫/୧୬ଜଣ ଆଇସିୟୁରେ ଭର୍ତି ହୋଇଥିବା ଡା.ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର