କୋଣାର୍କରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଚିନ୍ତା ବଢ଼ାଉଛି ଚନ୍ଦ୍ରଭାଗା ନୋଳିଆ ସାହି, ଅବାଧରେ ଆସୁଛନ୍ତି ବାହାର ମତ୍ସ୍ୟଜୀବୀ

କୋଣାର୍କ : କୋଣାର୍କ ଏନ୍‌ଏସି ଅଧୀନରେ ରହିଥିବା ଚନ୍ଦ୍ରଭାଗା ନୋଳିଆସାହିରେ ଏବେ କୋଣାର୍କ ବାହାରର ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ ଚାଲିଛି। ଫଳରେ କରୋନା ସଂକ୍ରମଣର ଆଶଙ୍କା ବଢ଼ିଛି। ଏ ସଂପର୍କରେ ଅଭିଯୋଗ ପାଇବା ପରେ ବାହାରୁ ଆସିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ତେଲଗୁ ଭାଷାରେ ସୂଚନା ଦିଆଯାଇଛି। ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଛି।

ମିଳିଥିବା ସୂଚନା ମୁତାବକ ପୁରୀ ପେଣ୍ଠକଟା ନୋଳିଆ ସାହିରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଫଳରେ ଉକ୍ତ ଅଂଚଳକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ କୋଣାର୍କ ନୋଳିଆ ସାହିକୁ ଚାଲିଆସିଥିବା ଜଣେ ମତ୍ସ୍ୟଜୀବୀଙ୍କୁ ଏନ୍‌ଏସି କର୍ତ୍ତୃପକ୍ଷ ସଙ୍ଗରୋଧ କେନ୍ଦ୍ରରେ ରଖିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ମାତ୍ର ମତ୍ସ୍ୟଜୀବୀ ଜଣକ କାହା ସହିତ ମିଳାମିଶା କରିବା ପୂର୍ବରୁ ତାଙ୍କୁ ଏନ୍‌ଏସି କର୍ତ୍ତୃପକ୍ଷ ଠାବ କରି ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି କରିବାରୁ ଚନ୍ଦ୍ରଭାଗା ନୋଳିଆସାହିରେ କରୋନା ମହାମାରୀର ସଂକ୍ରମଣ ଉପରେ ରୋକ ଲାଗିପାରିଥିଲା। ମାତ୍ର ଏବେ ପ୍ରତିଦିନ ବିଳମ୍ବିତ ରାତିରେ ପେଣ୍ଠକଟା ନୋଳିଆସାହିରୁ ମତ୍ସ୍ୟଜୀବୀମାନେ ଚନ୍ଦ୍ରଭାଗା ନୋଲିଆସାହିକୁ ଲୁଚି ଆସୁଥିବାର ଜଣାପଡ଼ିଛି। ଏନେଇ ସାହିର ସଚେତନ ନାଗରିକ ଏବଂ ସାହି ମୁରବୀମାନେ ବିରୋଧ କରିବାରେ ବାହାର ସ୍ଥାନର ମତ୍ସ୍ୟଜୀବୀଙ୍କୁ ଆଶ୍ରୟ ଦେଉଥିବା ମତ୍ସ୍ୟଜୀବୀଙ୍କ ପରିବାର ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଫଳରେ ପେଣ୍ଠକଟା ନୋଳିଆସାହିରୁ ଆସୁଥିବା ମତ୍ସ୍ୟଜୀବୀମାନେ କୋଣାର୍କ ଚନ୍ଦ୍ରଭାଗା ନୋଳିଆସାହିରେ ନିରାପଦ ଭାବେ ଆଶ୍ରୟ ନେଇ ପାରୁଛନ୍ତି। ଏବେ କେବଳ ଚନ୍ଦ୍ରଭାଗା ନୁହେଁ, ସମଗ୍ର କୋଣାର୍କ ଏନ୍‌ଏସି ଅଞ୍ଚଳରେ କରୋନା ସଂକ୍ରମିତ ହେବାର ଭୟ ସୃଷ୍ଟି ହୋଇଛି। ଚନ୍ଦ୍ରଭାଗା ନୋଳିଆସାହିର ମତ୍ସ୍ୟଜୀବୀମାନେ ପ୍ରତିଦିନ କୋଣାର୍କକୁ ମାଛ ‌ବ୍ୟବସାୟ କରିବାକୁ ଆସୁଥିବାରୁ ଏହି ଭୟର ବାତାବରଣ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର