ପାତ୍ରପୁର: ଗଂଜାମ ଜିଲ୍ଲା ସାମନ୍ତିଆପଲ୍ଳୀ ବାନାଞ୍ଚଳ ପାତ୍ରପୁର ବ୍ଳକ ଚୁଡ଼ିଆଲାଞ୍ଜି ଆମ୍ବଗାଁ ନୃସିଂହନାଥ ମନ୍ଦିର ନିକଟରେ ଥିବା ଏକ ଅଭାବନୀୟ ଘଟଣା ଘଟିଛି। ବାର୍ହା ଶିକାର ପାଇଁ ରଖାଯାଇଥିବା ଦେଶୀ ବୋମା ଖାଇ ଏକ ଗାଈର ମୃତ୍ୟୁ ହୋଇଛି। ପୋଖରୀ ନିକଟରେ ଶିକାର ପାଇଁ ତଳେ ପକାଇଥିବା ଦେଶୀ ବୋମା ଖାଇ ଗର୍ଭବତୀ ଗାଈର ମୃତ୍ୟୁ ଘଟିଥିବା ଜଣାପଡିଛି।
ଖବରରୁ ପ୍ରକାଶ ଏହି ବ୍ଳକ ଜୟନ୍ତୀପୁର ଗ୍ରାମବାସୀ ସାନିଲା ପାଣ୍ଡୁ ସକାଳେ ଗାଈ ଗୋଠ ନେଇ ପୋଖରୀ ପାର୍ଶ୍ଵରେ ଚରାଉ ଥିଲେ। ଏହି ସମୟରେ କିଛି ଗାଈ ପାଣି ପିଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। କେହି ଶିକାର ପାଇଁ ରଖି ଥିବା ଏକ ବୋମାକୁ ଏକ ଗାଈ ଚୋବାଇ ଖାଇବା ସମୟରେ ବୋମା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଆଘାତ ହେଲା ପରେ ଗାଈର ମୁହଁରେ ଗଭୀର କ୍ଷତ ହେବ ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ସ୍ଥାନୀୟ ଲୋକମାନେ ପହଞ୍ଚି ତୁରନ୍ତ ଜୟନ୍ତୀପୁର ପଶୁ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଇବା ପରେ ଘଟଣାସ୍ଥଳରେ ପଶୁ ଡାକ୍ତର ଟିମ୍ ପହଞ୍ଚିଥିଲେ। ଚିକିତ୍ସା ସମୟରେ ଗାଈଟିର ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଗାଈଟି ଗର୍ଭରେ ଏକ ଛୁଆ ଥିବା ଜାଣି ଛୁଆକୁ ଉଦ୍ଧାର କରିବାକୁ ଚିକିତ୍ସକ ଟିମ୍ ଚେଷ୍ଟା କରିଥିଲେ ସୁଦ୍ଧା ତାହାର ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ଅଞ୍ଚଳରେ ଦୀର୍ଘବର୍ଷ ହେଲା ବାର୍ହାମାନେ ରହିଛନ୍ତି। ତେବେ ବାର୍ହା ଶିକାର ପାଇଁ ଶିକାରୀଙ୍କ ପ୍ରାଦୂର୍ଭାବ ମଧ୍ୟ ବୃଦ୍ଧି ପାଇଛି। ସନ୍ଧ୍ୟା ପରେ ଜଙ୍ଗଲରୁ ବାର୍ହାମାନେ ଦଳ ଦଳ ହୋଇ କ୍ଷେତ ମୁହାଁ ହେଉଛନ୍ତି। ବାର୍ହାଙ୍କ ଗତିବିଧି ଜାଣି କିଛି ବ୍ୟକ୍ତି ଶିକାର ଉଦ୍ଦେଶ୍ୟରେ ଦେଶୀ ବୋମା ପକାଇବା ସହିତ ଶିକାର କରୁଛନ୍ତି। ଅନ୍ୟପକ୍ଷେ ଗୋପାଳନ ପାଇଁ ଅନାଗ୍ରହ ପ୍ରକାଶ ପାଉଛି। ଗୋପାଳକ ଜଣକ ଜଣେ ଗରୀବ ହୋଇଥିବାରୁ ତାଙ୍କୁ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।