ବସ୍ତି ପିଲାଙ୍କ ପାଇଁ ଗୋ ଫାର୍ମ, ତାଲା ବନ୍ଦ ସମୟରୁ  କ୍ଷୀର ବାଣ୍ଟୁଛନ୍ତି ଅସ୍ମିତ

ସୁନ୍ଦରଗଡ଼: ଅନେକ ସମୟରେ ବଜାରରେ ଶାଗମାଛ ଦରରେ ବିକ୍ରି ବା ଆଦୌ ବିକ୍ରି ହୋଇ ନପାରିବା ଦୁଃଖରେ ଚାଷୀ ନିଜ ଝାଳବୁହା ଶ୍ରମରେ ଉତ୍ପାଦିତ ଟମାଟୋ, କ୍ଷୀର ଆଦି ଦ୍ରବ୍ୟକୁ ରାସ୍ତାରେ ଢାଳି ଦେଇଥିବା ଦେଖାଯାଇଛି। ମହାମାରୀ କରୋନା ପାଇଁ ତାଲା ବନ୍ଦ ସମୟରେ ଏପରି ଦୃଶ୍ୟ ବହୁବାର ଆଖି ସାମ୍ନାରେ ନହେଲେ  ଟିଭି ପରଦାରେ ଊଣାଅଧିକେ ସମସ୍ତେ ଦେଖିଛନ୍ତି। ଦୃଶ୍ୟରେ ମନ ଭାରାକ୍ରାନ୍ତ ମଧ୍ୟ ହୋଇଛି।  କିନ୍ତୁ ତନ୍ମଧ୍ୟରୁ ବାରି ହୋଇ ଆଉ କିଛି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସି ଭାରାକ୍ରାନ୍ତ ମନକୁ ଆଶ୍ବସ୍ତ କରିଛି। ସେପରି ଏକ ଭିନ୍ନ ଦୃଶ୍ୟର ନାୟକଙ୍କ ମଧ୍ୟରୁ ଜଣେ, ସୁନ୍ଦରଗଡ଼ ଆରଆରଆଇଟି କଲୋନିର ଯୁବକ ଅସ୍ମିତ ପଟେଲ। ସେ ତାଲା ବନ୍ଦ ସମୟରୁ ଅଭାବୀ ବିକ୍ରି ବେଳେ  ନିଜ ଘରେ ଥିବା ଗୋ ଫାର୍ମରୁ ସଂଗ୍ରୁହିତ କ୍ଷୀରକୁ ଏମିତି  ରାସ୍ତାରେ ନ ଢାଳି ବସ୍ତିର ଗରିବ କୁନି ପିଲାମାନଙ୍କୁ ବାଣ୍ଟି ଦେଉଛନ୍ତି।

ଯାହା ଏବେ ବି ଜାରି ରହିଛି। ପ୍ରତିଦିନ ୪୦ରୁ ଅଧିକ ପିଲାଙ୍କୁ  ପାଏ ଲେଖାଏଁ କ୍ଷୀର ବାଣ୍ଟୁଛନ୍ତି। ଗୋ ଫାର୍ମ ଥିବା ଯାକେ, ପିଲାଙ୍କ ମୁହଁରେ କ୍ଷୀର ଦେବେ ବୋଲି କହିଛନ୍ତି ଅସ୍ମିତ। ବିଜ୍ଞାନରେ ସ୍ନାମତକ କରିଥିବା ଅସ୍ମିତ ଚାକିରି ପଛରେ ନଧାଇଁ ଗୋ ଫାର୍ମ କରିବାକୁ ମନ ବଳାଇଥିଲେ। ୨୦୦୫ରେ ଘରେ ଥିବା ଗୋଟିଏ ଦେଶୀ ଗାଈରୁ ତାଙ୍କ ଫାର୍ମ ଆରମ୍ଭ ହୋଇଥିଲା। ଦେଶୀ ଗାଈକୁ ଜର୍ସି କରି ଗୋ ଫାର୍ମକୁ ଆଗକୁ ନେଇଥିଲେ। ଫାର୍ମରେ ଗାଈବାଛୁରୀ ମିଶି ସଂଖ୍ୟା ୩୦ରେ ପହଞ୍ଚିଲାଣି। ଦୈନିକ ୫୦ରୁ ୬୦ ଲିଟର କ୍ଷୀର ସଂଗ୍ରହ ହେଉଥିବା ବେଳେ ତାକୁ  ବିକି ଭଲ ରୋଜଗାର କରୁଥିଲେ। କେବଳ ଗୋ କ୍ଷୀର ନୁହେଁ, ଗୋ ଖତରୁ ଜୈବିକ ସାର ପ୍ରସ୍ତୁତ କରିବା, ଜିଆ ଚାଷ ଆଦି ତାଙ୍କ ରୋଜଗାରର ମାଧ୍ୟମ ହୋଇଥିଲା। କିନ୍ତୁ ମହାମାରୀ କରୋନା ପାଇଁ  ତାଲା ବନ୍ଦ ଘୋଷଣା ପରେ ଅସ୍ମିତଙ୍କ ରୋଜଗାରର ବାଟ ବନ୍ଦ ହୋଇଗଲା।

ଲୋକେ ଘରୁ ବାହାରୁ ନଥିବା ବେଳେ ହାଟବଜାର, ହୋଟେଲ ଆଦିରେ ତାଲା ପଡ଼ିଥିବାରୁ ଅସ୍ମିତଙ୍କ ଫାର୍ମର କ୍ଷୀର ବିକ୍ରି ହୋଇପାରି ନଥିଲା। ପ୍ରତିଦିନ ସଂଗ୍ରୁହିତ ୫୦ ଲିଟର କ୍ଷୀରରୁ କିଛି ଲିଟର  ଗ୍ରାହକମାନେ ନେଉଥିଲେ ମଧ୍ୟ ଅବଶିଷ୍ଟ ବହୁ ପରିମାଣର କ୍ଷୀରକୁ କ’ଣ କରିବେ ସେ  ଚିନ୍ତାରେ ପଡ଼ିଯାଇଥିଲେ ଅସ୍ମିତ। ଶେଷକୁ ଦିନେ କ୍ଷୀର ଭର୍ତ୍ତି ବାଲଟିକୁ ବୋହି କଲୋନିର ଶେଷ ମୁଣ୍ଡକୁ ଚାଲି ଯାଇଥିଲେ ଢାଳିଦେବାକୁ। କଲୋନିକୁ ଲାଗି ରହିଥିବା ଦିନମଜୁରିଆଙ୍କ ବସ୍ତି ପାର ହୋଇ ଗଲା ବେଳେ ତାଙ୍କ ନଜରରେ ଅଧା ଲଙ୍ଗଳା ବସ୍ତି ପିଲାମାନେ ପଡ଼ିଥିଲେ। କିଛି ପିଲା ଅପପୁଷ୍ଟି କାରଣରୁ ଦୁର୍ବଳ ଦିଶୁଥିଲେ। ହଠାତ ଅସ୍ମିତ ନିଷ୍ପତ୍ତି ପରିବର୍ତ୍ତନ ହୋଇଗଲା। ସେ ସେ ପିଲାମାନଙ୍କୁ ଡାକି ସେଇଠି କ୍ଷୀରତକ ବାଣ୍ଟିଦେଲେ। ଖାଇବାକୁ ଭଲ ଗଣ୍ଡେ ପାଉ ନଥିବା ପିଲାମାନେ କ୍ଷୀର ପାଇ ଖୁସି ହୋଇଗଲେ। ପିଲାଙ୍କ ଖୁସି ଅସ୍ମିତଙ୍କୁ କିଛି ଭଲ କାମ କରିବାକୁ ବାଟ ଦେଖାଇଥିଲା। ସେ ପିଲାମାନଙ୍କୁ ପ୍ରତିଦିନ କ୍ଷୀର ଦେବାକୁ ମନସ୍ଥ କଲେ। ସେ ଦିନ ଠାରୁ ସେ ନିୟମିତ ପିଲାଙ୍କୁ କ୍ଷୀର ବାଣ୍ଟି ଚାଲିଛନ୍ତି। ପିଲାମାନେ ତାଙ୍କ ଫାର୍ମକୁ ଆସି କ୍ଷୀର ନେଉଛନ୍ତି। ତାଲା ବନ୍ଦ କୋହଳ ପରେ କ୍ଷୀର ବିକ୍ରି ଠିକଠାକ ଚାଲିଥିଲେ ମଧ୍ୟ ସେ ବସ୍ତି ପିଲାଙ୍କ ପାଇଁ ରଖି ଅବଶିଷ୍ଟ କ୍ଷୀରକୁ ବିକିଥାନ୍ତି। ଅସ୍ମିତଙ୍କ ଏ କ୍ଷୀର ବଣ୍ଟନ ଦେଖି କେହି କେହି ତାଙ୍କ  ଗୋ ଫାର୍ମ ବସ୍ତି ପିଲାଙ୍କ ପାଇଁ  ବୋଲି କହିଲେଣି।

ସମ୍ବନ୍ଧିତ ଖବର