ବାଘ ଆକ୍ରମଣରେ ଗାଈଚରାଳି ଗୁରୁତର

ଗାଈ ପାଇଁ ରକ୍ଷା ହେଲା ଜୀବନ

ଦଶପଲ୍ଲା : ଗାଈ ଚରାଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଆକ୍ରମଣ କଲା ବାଘ। ହେଲେ ଗାଈ ପାଇଁ ନିଜ ଜୀବନ ରକ୍ଷା ହୋଇଥିବା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ବନାଞ୍ଚଳ ତଥା ଦଶପଲ୍ଲା ବ୍ଲକ୍‌ ଅଧୀନସ୍ଥ ମଧ୍ୟଖଣ୍ତ ସେକ୍ସନ ଘୁଗୁଡିପଡା ବିଟ୍ ସେକ୍ସନ ଅଂଚଳରେ।

ସୂଚନା ଅନୁଯାୟୀ, ସବୁଦିନ ଭଳି ଶଗଡ଼ଭଙ୍ଗା ଗ୍ରାମର ସୋମନାଥ ମଳିକ (୫୫) ଗତକାଲି ଗାଈ ଚରାଇବା ପାଇଁ ଗାଁ ନିକଟବର୍ତ୍ତୀ ଲଦାଙ୍ଗି ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ଗାଈ ଚରୁଥିବା ସମୟରେ ଏକ ହୁଡ଼ାରେ ସୋମନାଥ ବସିଥିଲେ। ଏହି ସମୟରେ ହଠାତ୍ ଏକ ଛୋଟ ବାଘ ତାଙ୍କ ଉପରକୁ ଲମ୍ଫ ମାରିଥିଲା। ସେ ପାଟି କରିବାରୁ ଚରୁଥିବା ଗାଈଗୁଡ଼ିକ ତାଙ୍କ ନିକଟକୁ ଦୌଡ଼ି ଆସିଥିଲେ। ଏହା ପରେ ବାଘଟି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଜୀବନ ବିକଳରେ ସେ ଘରକୁ ଚାଲି ଆସିଥିଲେ। ପରିବାର ଲୋକେ ଗତକାଲି ରାତିରେ ସୋମନାଥଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଛି।

ଗାଈ, ଛେଳି ଖାଇଲା ବାଘ

ପାତ୍ରପୁର :  ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ସୁରଙ୍ଗି ବନଖଣ୍ଡ ପଥରାଘାଇ ଗ୍ରାମରେ ମାତିଛି ବାଘ! ବାଘ ପଥରାଘାଇ ଗ୍ରାମର ବାୟା ଗୌଡ଼ଙ୍କ ଗୋଟିଏ ଗାଈ ଓ ଗୋଟିଏ ଛେଳିକୁ ମାରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ପାଇଲା ପରେ ବନ ବିଭାଗ ପ୍ରାଥମିକ ଅନୁଧ୍ୟାନ ପରେ ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରୁଛି। ଆଜି ବନ ବିଭାଗକୁ ଗ୍ରାମବାସୀ ସୂଚନା ଦେବା ପରେ ରେଞ୍ଜର୍ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ସୁରଙ୍ଗୀ ଫରେଷ୍ଟର୍ ଜିତେନ୍ଦ୍ର କୁମାର ରାଉତଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ନିକଟ ଜଙ୍ଗଲରେ ଛାନଭିନ୍ କରିଥିଲେ।

ସମ୍ବନ୍ଧିତ ଖବର