ପରିବା ନେବା ଆଳରେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ: ୮ଟି ପିକଅପ୍ ଭ୍ୟାନ ଜବତ,୧୧ଜଣ ଅଟକ

ବାଲେଶ୍ୱର: ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଅନେକ ସମୟରେ ଏହି ଧରଣର ଗୋରୁ ବୋଝେଇ କରି କୋଲକାତାକୁ ଚାଲାଣ ହେଉଥିବା ଖବର ମିଳୁଛି। ଆଜି ପୁଣି ସେହିଭଳି ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଭୋର ସମୟରେ ୮ଟି ଗୋରୁ ବୋଝେଇ ପିକଅପ ଭ୍ୟାନରେ ୧୦୦ରୁ ଅଧିକ ଗାଇଗୋରୁଙ୍କୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ବେଳେ ଖନ୍ତାପଡ଼ା ପୁଲିସ୍ ସେମାନଙ୍କୁ ଧରିଛି। ପରିବା ନିଆଯାଉଥିବା ନାଆଁରେ ୮ଟି ପିକଅପ ଭ୍ୟାନରେ ଗୋଚାଲାଣ କରାଯାଉଥିଲା। ଉକ୍ତ ୮ଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଜବତ କରାଯାଇଥିବା ବେଳେ, ଏହି ମାମଲାରେ ପୁଲିସ ୧୧ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।


ସମସ୍ତ ଗୋରୁ ବାହାନଗାର ସାହସପୁର ଅଞ୍ଚଳରୁ ପଶ୍ଚିମବଙ୍ଗ ସୁନାଖଣିଆ ଅଞ୍ଚଳକୁ ଚାଲାଣ କରାଯାଉଥିବା ଖବର ପାଇ ଶ୍ରୀଜଙ୍ଗ ନିକଟସ୍ଥ ଗୋପାଳପୁର ଛକ ନିକଟରେ ଆଜି ଭୋରୁ ପୁଲିସ ସେମାନଙ୍କୁ ଧରିଥିବା ଜଣାପଡ଼ିଛି।

ପରିବା ବୋଝେଇ ଗାଡ଼ି କହି ଗୋରୁମାନଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ନିଆଯାଉଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅଞ୍ଚଳରୁ ଏକ ଗୋରୁ ବୋଝେଇ କଣ୍ଟେନରରେ ବେଆଇନ୍ ଗୋଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀ ୪୦ରୁ ଅଧିକ ଗୋରୁ ଉଦ୍ଧାର କରିଥିବାର ଖବର ମିଳିଥିଲା। ବେଆଇନ୍ ଗୋରୁ ବୋଝେଇ କଣ୍ଟେନରଟିକୁ ଜବତ କରାଯାଇଥିଲା ଏବଂ ଜଣଙ୍କୁ ପୁଲିସ୍ ଅଟକ ରଖିଥିଲା।
ସେହି ଗାଡ଼ିଟିରେ ଭଦ୍ରକ ଜିଲ୍ଲାର ଆଗରପଡ଼ାରୁ ଗୋରୁ ବୋଝେଇ କରି କୋଲକାତାକୁ ଚାଲାଣ ହେଉଥିଲା। ଜାତୀୟ ରାଜପଥ ଦେଇ ଗଲେ ସହଜରେ ଧରାପଡ଼ୁଥିବା ଜାଣି ଚାଳକଜଣକ ଆଗରପଡ଼ାରୁ ଭିତର ବାଟ ଦେଇ ସୋରରେ ବାହାରିବାର ଯୋଜନା କରିଥିଲେ। ଅନେକ ସମୟରେ ଏହି ଧରଣର ଗୋରୁ ବୋଝେଇ କରି କୋଲକାତାକୁ ଚାଲାଣ ହେଉଥିବା ଜଣାଯାଉଛି।ଜାତୀୟ ରାଜପଥରେ ଗାଡ଼ିଗୁଡ଼ିକୁ ଯାଞ୍ଚ ଚାଲିଥିବାରୁ ଏବେ ଗ୍ରାମାଞ୍ଚଳ ତଥା ସମୁଦ୍ର ଉପକୂଳରେ ଥିବା ରାସ୍ତା ଦେଇ ପଶ୍ଚିମବଙ୍ଗକୁ ପ୍ରତିଦିନ ଅବାଧ ଗୋଚାଲାଣ ଚାଲିଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର