ବରପାଲି: ବରଗଡ଼-ବଲାଙ୍ଗୀର ୨୬ ନମ୍ବର ଜାତୀୟ ରାଜପଥର ବରପାଲି ଥାନା ଅନ୍ତର୍ଗତ ଟିଙ୍ଗିପାଲି ଗ୍ରାମ ନିକଟରେ ଥିବା ପ୍ରଫୁଲ୍ଲ ବାରିକଙ୍କ ଚାଷ ଜମି ଠାରେ ଗତକାଲି ଗୁରବାର ରାତ୍ର ୯ ଟା ୩୦ ରେ ବଲାଙ୍ଗୀର ପଟରୁ ଆସୁଥିବା ଓଡି ୦୧- ଏଚ ୮୮୬୯ ମହାବୀର କାରଗୋ କେୟାର ହେଭିୱେଟ ୧୦ଚକିଆ କଣ୍ଟେନର ଗାଡ଼ି ଭାରସାମ୍ୟ ହରାଇ ପଲଟି ମାରିଥିଲା।
କଣ୍ଟେନର ଗାଡ଼ି ପଲଟି ମାରିଥିବା ଦେଖି ନିକଟରେ ଥିବା ଗ୍ରାମର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦେଖିବାରୁ ଉକ୍ତ ଗାଡ଼ିରେ ଗୋରୁଗାଈ ଲୋଡ୍ ହୋଇଥିବା ଦେଖି ତାଙ୍କୁ ଉଦ୍ଧାର କରିଥିଲେ । ହେଲେ ଗାଡ଼ିରେ ଥିବା ୩୦ଟି ବଳଦ ଓ ଗାଈଙ୍କର ଘଟଣାସ୍ଥଳରେ ମୃତ ହୋଇସାରିଥିଲା । ଏଥିସହ ଗୋରୁ ଜଗୁଆଳି ହେଲ୍ପର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏନେଇ ବରପାଲି ପୁଲିସକୁ ଘଟଣା ସମ୍ପର୍କରେ ଟିଙ୍ଗିପାଲି ଗ୍ରାମର ସର୍ଜନ ଭୋଇ ଲିଖିତ ଅଭିଯୋଗ କରିଥିଲେ।

Advertisment

publive-image

ଘଟଣାସ୍ଥଳରେ ବରପାଲି ପୁଲିସ ଆଇଆଇସି ରୋଜାଲିନ ପଟେଲ ଓ ସହକର୍ମୀ ପହଞ୍ଚି ଏହାର ତଦନ୍ତ କରିଥିଲେ। ପରେ ବରପାଲି ତହସିଲଦାର ଅକ୍ଷୟ କୁମାର ବାଗ ମଧ୍ୟ ଉପସ୍ଥିତ ରହିଥିଲେ। ଗୋରୁ ଗାଈମାନଙ୍କର ସମସ୍ତ ଗୋଡ଼ ଦଉଡ଼ିରେ ବନ୍ଧା ହୋଇଥିବା ଦେଖାଯାଇଥିଲା । ଏନେଇ ଏକ ମାମଲା ରୁଜୁକରି ହେଲ୍ପରର ଶବ ବ୍ୟବଛେଦପାଇଁ ବରଗଡ଼ ପଠାଯାଇଥିବା ବେଳେ ଗୋରୁ ଗାଈଙ୍କୁ ଉଦ୍ଧାର କରାଯାଇ ତହସିଲଦାର ଓ ଆଇଆଇସିଙ୍କ ଉପସ୍ଥିତିରେ ମହଦାର ଏକ ସ୍ଥାନରେ ଗାତ ଖୋଳାଯାଇ ପୋତି ଦିଆଯାଇଥିଲା ।

କଣ୍ଟେନର ଗାଡ଼ିଟି ଖୋର୍ଧାର ହୋଇଥିବା ଅନୁମାନ କରାଯାଇଛି । ଘଟଣା ସ୍ଥଳରୁ ଡ୍ରାଇଭର ସମେତ ତାଙ୍କ ଅନ୍ୟ ୨ଜଣ ସହଯୋଗୀ ଫେରାର ମାରିଥିବା ଜନସାଧାରଣଙ୍କ ଠାରୁ ପ୍ରକାଶ । ଗାଡ଼ିଟି ଭଦ୍ରକର ହୋଇଥିବା ଅନୁମାନ କରାଯାଉଛି।