ଗୋଚାଲାଣ ସୁନ୍ଦରଗଡ଼ରୁ ବାଂଲାଦେଶ, ତଥାପି ପୁଲିସ ନୀରବ

କଥା କଥାକେ ଗୁଳି, ଅପହରଣ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଏବେ ପାଲଟିଛି ବେଆଇନ ଗୋଚାଲାଣ ବେପାରୀଙ୍କ ପେଣ୍ଠସ୍ଥଳୀ। ବେପାରକୁ କେନ୍ଦ୍ରକରି ଗୁଳି ଫୁଟୁଛି। ବନ୍ଧୁକ ମୁନରେ ଅପହରଣ କରାଯାଉଛି । ଗତ ସପ୍ତାହକ ମଧ୍ୟରେ ବଣାଇଁ ଗମ୍‌ଲେଇ ହାଟରେ ଗୁଳିକାଣ୍ଡ ଓ ନୂଆଗାଁ ସୋରଡାରୁ ବେପାରୀଙ୍କୁ ଅପହରଣ ଏହାର ଜ୍ବଳନ୍ତ ପ୍ରମାଣ। ଏହି ଦୁଇଟି ଘଟଣାରୁ ଜିଲ୍ଲାରେ କେମିତି ବେଧଡ଼କ ଗୋରୁ ଚାଲାଣ ହେଉଛି ବାରି ହୋଇପଡୁଛି। ଯାହାର ଚେର ଲମ୍ବିଛି ସୁନ୍ଦରଗଡ଼ରୁ ବାଂଲାଦେଶ ପର୍ଯ୍ୟନ୍ତ। ପ୍ରଥମେ ସୁନ୍ଦରଗଡ଼ରୁ ଝାଡ଼ଖଣ୍ଡ। ପରେ ଝାଡ଼ଖଣ୍ଡରୁ କୋଲକାତାର ମୁର୍ସିଦାବାଦ।

ସେଠାରୁ ସିଧାସଳଖ ବାଂଲାଦେଶରେ ପହଞ୍ଚୁଛି। ଏମାନଙ୍କୁ ସହାୟତା କରୁଛନ୍ତି କିଛି ଗୁଣ୍ଡା  ଓ ଗୋରୁ ମାଫିଆ। ଯେଉଁମାନେ ସ୍ଥାନୀୟ ପୁଲିସକୁ ଖୋଲା ଚାଲେଞ୍ଜ ରାତି ରାତି ଝାଡଖଣ୍ଡକୁ ଟ୍ରକ ଟ୍ରକ୍‌ ଗୋରୁ ଚାଲାଣ କରୁଛନ୍ତି। କିଛି ଗୋରୁ ବୋଝେଇ ଟ୍ରକକୁ ପୁଲିସ ଜବତ କରିଛି। ଅନେକ ବେପାରୀ ଓ ମାଫିଆକୁ ଗିରଫ କରି ଜେଲ ପଠାଇଛି। ମାତ୍ର ସେମିତି ଆଖି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ‌ଗୋରୁ ମାଫିଆଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏପରି ବେଆଇନ କାରବାର ଚାଲିଛି। ରୋକିପାରୁନି ସ୍ଥାନୀୟ ପୁଲିସ ଓ ପ୍ରଶାସନ। ଫଳରେ ଦିନକୁ ଦିନ ଜିଲ୍ଲାରେ ଗୋରୁ ଚାଲାଣ କାରବାର ବଢ଼ି ଚାଲିଛି। ଗତ ଦୁଇ ଦିନତଳେ ନୂଆଗାଁ ସୋରଡା ହାଟରୁ  ପଶ୍ଚିମବଙ୍ଗ ବୀରଭୂମି ଇଲମ୍‌ର ମହମ୍ମଦ ଜହୀର (୨୫)କୁ ବନ୍ଧୁକ ଦେଖାଇ ଅପହରଣ କରି ନିଆଯାଇଥିଲା। କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲର ୬ ଯୁବକ ଜବରଦରସ୍ତ କାର୍‌ରେ ଉଠାଇ ନେଇ ଫେରାର ହୋଇଯାଇଥିଲେ।

ଆଜି ପର୍ଯ୍ୟନ୍ତ ଅପହରଣକାରୀଙ୍କ କବ୍‌ଳରୁ ଗୋରୁ ବେପାରୀକୁ ଉଦ୍ଧାର କରାଯାଇ ପାରିନି। ସେମିତି ଲହୁଣିପଡା ଗମଲେଇ ସାପ୍ତାହିକୀ ହାଟ ନିକଟସ୍ଥ ଗୋରୁହାଟରେ ଡକାୟତି ଘଟଣାରେ ଲହୁଣିପଡା ପୁଲିସ ୩ ଜଣଙ୍କୁ ଗିରଫ କରିଥିଲା।  ସେମାନଙ୍କ ମଧ୍ୟରେ ଥିଲେ ବିଶ୍ରା ଗୁଡଗୁଡଜୋରର ମୋଜାମିଲ୍‌ଅନ୍‌ସାରୀ (୨୭), ମହମ୍ମଦ ଅନ୍‌ସାରୀ (୨୬),  ବ୍ଲକ ରୋଡର ସାହିଲ ଖାନ୍ ଓରଫ ସାନୁ (୨୫)। ଏମାନଙ୍କ ନିକଟରୁ ପିସ୍ତଲ, ୬ଟି ଅଫୁଟା ଗୁଳି, ଖୋକା, ନଗଦ ଟଙ୍କା, ସ୍କୋର୍ପି କାର୍‌(ଓଆର୍‌୨୩ଡି-୯୬୩୬) ଜବତ ହୋଇଥିଲା। ଗିରଫ ଡକାୟତିଙ୍କ ନାଁରେ ଏକାଧିକ ଡକାୟତି, ଚ‌ୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି। ଗିରଫ ଅଭିଯୁକ୍ତମାନେ ଗୋରୁ ବ୍ୟବସାୟ କରୁଥିଲେ। ବେପାରରେ ନିଜର ଦବ୍‌ଦବା ଜାହିର କରିବାକୁ ବର୍ତ୍ତମାନ ସ୍ଥାନୀୟ ‌ବେପାରୀ ଓ ପଶ୍ଚିମବଙ୍ଗର କିଛି ବେପାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଜିଲ୍ଲାରେ ଚାଲୁଥିବା ଗୋରୁ ହାଟରୁ କାହାକୁ ବେଶି ଫାଇଦା ମିଳିବ, ସେନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଛି ପ୍ରତିଯୋଗିତା।

ଫଳରେ ଅପରାଧୀ କାର୍ଯ୍ୟକଳାପ ବଢ଼ୁଛି। ଜିଲ୍ଲାର ବଣାଇର ଗମ୍‌ଲେଇ ଓ କୁତ୍ରା ବ୍ଳକର ଖତକୁରବାହାଲ ଦୁଇଟି ପ୍ରମୁଖ ଗୋରୁ ହାଟ। ଏଠାରୁ ଶହ ଶହ ଗୋରୁ କିଣାଯାଇ ବେପାରୀମାନେ ପିକ୍‌ ଅପ୍‌, ୪୦୭, ଟାଟା ଏସି ଆଦି ଗାଡିରେ ଝାଡ଼ଖଣ୍ଡ ଚାଲାଣ କରୁଛନ୍ତି। ଆଉ କିଛି ବେପାରୀ ଗୋରୁମାନଙ୍କୁ ଚଲାଇ ଚଲାଇ ମଧ୍ୟ ନେଉଛନ୍ତି। ଅଧିକାଂଶ ଗୋରୁ ଚାଲାଣ ଗାଡି ରାଉରକେଲାର ବିର୍ସା ଛକ, ବନ୍ଧମୁଣ୍ଡା ରାସ୍ତା ବିଶ୍ରାରେ ପହଞ୍ଚୁଛି। ସେଠାରୁ ଜରେଇକେଲା, ମନୋହରପୁ ଦେଇ ସିଧାସଳଖ ଝାଡ଼ଖଣ୍ଡରେ ପହଞ୍ଚୁଛି। ସେଠାରୁ ବଡ ବଡ କଣ୍ଟେନରରେ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗର ମୁର୍ସିଦାବାଦକୁ ଯାଉଛି। ସେଠାରୁ ସିଧାସଳଖ ଜଳପଥରେ ଗୋରୁ ବାଂଲାଦେଶରେ ପହଞ୍ଚିଯାଉଥିବା ଜଣାପଡିଛି। ଗୋରୁ ଚାଲାଣକୁ ରୋକା ନଗଲେ ଆଗାମୀ ଦିନରେ ଜିଲ୍ଲାରେ ପଶ୍ଚିମବଙ୍ଗ ଓ ସ୍ଥାନୀୟ ବେପାରୀଙ୍କ ମଧ୍ୟରେ ବଡଧରଣ ହିଂସାକାଣ୍ଡକୁ ମଧ୍ୟ ଏଡାଇ ଦିଆ ନଯାଇପାରେ। ଏଥିପ୍ରତି ଜିଲ୍ଲାପ୍ରଶାସନ, ଉଭୟ ସୁନ୍ଦରଗଡ ଓ ରାଉରକେଲା ଜିଲ୍ଳା ପୁଲିସ ପ୍ରାଥମିକ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର