ମାଲକାନଗିରି: ମାଲକାନଗିରି ବିମାନବନ୍ଦର ଏବେ ବର୍ଷାରେ ବେହାଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ ପରେ ମାଲକାନଗିରିବାସୀଙ୍କ ଆଶା ଉଦ୍ଜୀବିତ ହେବା ସହ ଆକାଶ ମାର୍ଗରେ ମାଲକାନଗିରି ଯୋଡ଼ି ହେବା ନେଇ ଜିଲ୍ଲାବାସୀ ବେଶ ଖୁସି ଥିଲେ। କିନ୍ତୁ ଉଦଘାଟନ ପରେ ଦିନ ଯେତିକି ଗଡୁଛି ବିମାନବନ୍ଦରର ଅବସ୍ଥା ସେତିକି ଶୋଚନୀୟ ହୋଇ ପଡୁଛି। ବର୍ତ୍ତମାନ ଟର୍ମିନାଲଟି ବୁଲାକୁକୁରଙ୍କର ଆଶ୍ରୟସ୍ଥଳୀ ପାଲଟିଥିବା ବେଳେ ବମାନବନ୍ଦରରେ ଗାଈମାନେ ଚରୁଛନ୍ତି।
ବିମାନବନ୍ଦରରେ ଯଦିଓ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। କିନ୍ତୁ ଖୋଲାମେଲା ବିମାନବନ୍ଦରରେ କିଏ କେତେବେଳେ ପଶୁଛି ଓ କିଏ କେତେବେଳେ ବାହାରୁଛି ତାହା ଜଣାପଡୁନାହିଁ। ଜାଗା ଜାଗାରେ ଖାଲ, କୃତ୍ରିମ ପଖୋରୀ, ରାସ୍ତାରେ ଘାଇ। ପ୍ରଶାସନ କହିଛି ଏହାପରେ ଅନୁଧ୍ୟାନ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବ।ମାଲକାନଗିରି ବିମାନବନ୍ଦର ବାହାରୁ ଚକାଚକ ଟର୍ମିନାଲ, ଚକାଚକ ସାଇନବୋର୍ଡ। ଆଉ ଭିତରୁ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଓଲଟା। ବିମାନବନ୍ଦର ପଶୁ ପଶୁ ରାସ୍ତାରେ ପାଣି।ଟର୍ମିନାଲରୁ ରନୱେକୁ ଯିବା ପାଇଁ ଧୋଇ ଯାଇଛି ରାସ୍ତା, ସୃଷ୍ଟି ହୋଇଛି ଘାଇ, ରାସ୍ତାରେ ଫାଟ। ନିମ୍ନମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଚେରୀ ଭାଙ୍ଗି ଖୋଲାମେଲା ।
ବିମାନବନ୍ଦରରେ ଏବେ ଗାଈମାନେ ଚରୁଛନ୍ତି। ଆଉ ଟର୍ମିନାଲରେ ଆଶ୍ରୟ ନେଉଛନ୍ତି ବୁଲା କୁକୁର। ବିମାନବନ୍ଦର ଭିତରେ ଜାଗା ଜାଗାରେ ସୃଷ୍ଟି ହୋଇଛି କୃତ୍ରିମ ପଖୋରୀ।ନିର୍ବାଚନ ପୂର୍ବରୁ ଅତି ତରବରିଆ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କଲେ। ବିମାନ ଚାଲିବାର ଜିଲ୍ଲାବାସୀକୁ ସ୍ବପ୍ନ ଦେଖାଇଲେ। ତେବେ ଉଦଘାଟନ ପରେ ପୂର୍ବତନ ୫ଟି ଅଧ୍ୟକ୍ଷଙ୍କ ପରି କିଛି ନେତା ଏଠାରେ ଏୟାରକ୍ରାଫ୍ଟରେ ଅବତରଣ କରି ନିର୍ବାଚନ ପ୍ରଚାର କଲେ। ତାପରେ ଏ ହେଉଛି ବିମାନବନ୍ଦରର ବାସ୍ତବ ସ୍ଥିତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନିର୍ବାଚନ ପାଇଁ ଏହା ଏକ ପୂର୍ବତନ ସରକାରଙ୍କର ଥୋପ ବୋଲି କହୁଥିବା ବେଳେ ନିମ୍ନମାନର କାର୍ଯ୍ୟକୁ ନେଇ ଅସଂତୋଷ ଜାହିର କରିବା ସହ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।
ଏହାରି ଭିତରେ ବଦଳିଛି ସରକାର, ବଦଳିଛି ସରକାରୀ କଳ। ଆଗାମୀ ଦିନରେ ବର୍ତ୍ତମାନର ସରକାର ଏହି ବିମାନବନ୍ଦରର କାର୍ଯ୍ୟକ୍ଷମ ପାଇଁ କି କି ପଦକ୍ଷେପ ନେବେ ଓ ଏହାର କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟଦିଗରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି ବିମାନବନ୍ଦର ଉପରେ ଅନୁଧ୍ୟାନ ଚାଲିଛି। କଣ ରହିଛି ବାସ୍ତବ ସ୍ଥିତି ତାକୁ ଅନୁଧ୍ୟାନ କରାଯାଇ କିଭଳି ଏହା କାର୍ଯ୍ୟକାରୀ ହେବ ତାଉପରେ ଗୁରୁତ୍ବ ଦିଆଯିବ। ଆଗାମୀ ଦିନରେ ବର୍ତ୍ତମାନର ସରକାର ଏହାରି ଉପରେ ଗୁରୁତ୍ବ ଦେଇ ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ପଦକ୍ଷେପ ନେବେ ନା ବିମାନବନ୍ଦରର ନାମ ଥିବା ସବୁଦିନ ପାଇଁ ଏୟାରଷ୍ଟ୍ରିପ ହୋଇ ରହିଯିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।