ବଜ୍ରପାତରେ ୮ ଗୋରୁଗାଈ ମୃତ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଗିରୀଶ୍ଚନ୍ଦ୍ରପୁର ପଂଚାୟତର କଞ୍ଚନପୁର ଗ୍ରାମରେ ବଜ୍ରପାତରେ ବଳଦ ୮ଟି ଗାଈ ଓ ବଳଦଙ୍କ ମୃତ୍ୟୁ ହୋଇଛି। କଞ୍ଚନପୁର ଗ୍ରାମର ଗାଈ ଚରାଳି ବୀରବର ପ୍ରଧାନ ଗ୍ରାମର କିଛି ଚାଷୀଙ୍କର ଗାଈ ଓ ବଳଦ ନିକଟସ୍ଥ ଜଙ୍ଗଲକୁ ଚରାଇବାକୁ ନେଇଥିଲେ। ତେବେ ଗୁରୁବାର ଅପରାହ୍‌ଣ ପ୍ରାୟ ୪ଟାରେ ଜଙ୍ଗଲରେ ଗାଈ ଓ ବଳଦ ଚରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ୮ଟି ଗାଈ ଓ ବଳଦ ଟଳି ପଡ଼ିଥିଲେ। ଗାଈ ଚରାଳି ବୀରବର ମଧ୍ୟ ଅଚେତ୍‌ ହୋଇ ପଡ଼ିଥିଲେ। ଘଣ୍ଟାଏ ପରେ ସେ ଚେତା ଫେରିପାଇଥିଲେ।

ଏଥିରେ ଗ୍ରାମର ବିଷ୍ଣୁ ସାହୁଙ୍କର ଗୋଟିଏ ବଳଦ, ଲମ୍ବୋଦର ସାହୁଙ୍କର ୧ ଟି ବଳଦ ଓ ୧ଟି ଗାଈ, ବିଷ୍ଣୁ ନାଏକଙ୍କର ୨ଟି ବଳଦ, ଚେରୁ ଦେହୁରୀଙ୍କର ୧ଟି ବଳଦ ଓ ୧ଟି ଗାଈ ଓ ବୀରବର ପ୍ରଧାନଙ୍କର ୧ଟି ବଳଦ ମୃତ୍ୟୁବରଣ କରିଛନ୍ତି। ତେବେ ଘଟଣାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରଶାସନଠାରେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ ଦାବି କରିଛନ୍ତି। ଅପରପକ୍ଷେ ନାକଟିଦେଉଳ ତହସିଲଦାରଙ୍କ ନିର୍ଦେଶରେ କିସିଣ୍ଡା ଆର୍‌ଆଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର