ରାଉରକେଲା : ଲୋକେ କ୍ଷୀର ପାଇଁ ଘରେ ଗାଈ ପାଳୁଛନ୍ତି। ଗାଈ କ୍ଷୀର ଦେବା ବନ୍ଦ କରିଦେଲେ ଗାଈ ବେକରୁ ପଘା ଖୋଲି ଦେଉଛନ୍ତି। ସେଥିପାଇଁ ବିଭିନ୍ନ ସେକ୍ଟର ଓ ରାସ୍ତା ଉପରେ ମାଳମାଳ ହୋଇ ଗାଈ ଷଣ୍ଢ ଓ ମଇଁଷି ବୁଲୁଛନ୍ତି। ଏମାନେ ଏଣେତେଣେ ବୁଲିବା ସହ ଯେଉଁଠି ଯାହା ପାଉଛନ୍ତି ଖାଇ ରହିଯାଉଛନ୍ତି। ରାସ୍ତା ମଝିରେ ଶୋଇ ବିପଦ ସୃଷ୍ଟି କରୁଛନ୍ତି। ହର୍ଣ୍ଣ ମାରିଲେ ବି ଉଠୁନାହାନ୍ତି। ଦ୍ରୁତଗତିରେ ଆସୁଥିବା ବାଇକ୍‌ ଦୁର୍ଘଟଣା ଘଟୁଛି। ପରିବା ବଜାରରେ ସବୁଦିନ ଷଣ୍ଢ ପରିବା ନଷ୍ଟ କରୁଛି। ବେଳେ ବେଳେ ଷଣ୍ଢ ମାନଙ୍କ ଯୁଦ୍ଧରେ ଦୋକାନ ଭାଙ୍ଗି ଯାଉଛି। ଏଥିପାଇଁ ଦୋକାନୀଙ୍କ କ୍ଷତି ଘଟୁଛି।  କାଞ୍ଜିଆହୁଦା ନାମକୁ ମାତ୍ର ହୋଇଛି। କୌଣସି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଦେଉଛନ୍ତି। ସ୍ମାର୍ଟସିଟି ରାଉରକେଲାରେ ଏପରି ଘଟଣା ନିତିଦିନିଆ ହୋଇଗଲାଣି।

Advertisment

ସ୍ମାର୍ଟସିଟିର ଗଳିକନ୍ଦିରେ ବୁଲୁଛନ୍ତି ମାଳମାଳ ଗାଈଗୋରୁ। ଗଳିକନ୍ଦିରୁ ମୁଖ୍ୟ ରାସ୍ତା ଉପରେ ଏମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ସହରର ମୁଖ୍ୟ ରାସ୍ତା ଅବରୋଧ ଯୋଗୁ ଯା’ଆସ କରିବାରେ ବଡ଼ ସମସ୍ୟା ସୃଷ୍ଟି ହେଉଛି। ଅନ୍ୟପଟେ ଷଣ୍ଢ ଲଢ଼େଇ ଚିନ୍ତାର ବିଷୟ ପାଲଟିଛି। ପ୍ରତି ରାତିରେ କେଉଁଠି ନା କେଉଁଠି ପଥଚାରୀମାନେ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ବାଟ ବଦଳାଇ ଅନ୍ୟତ୍ର ଗଲେ ବୁଲା କୁକୁରଙ୍କ ଭୟ ମଧ୍ୟ ରହୁଛି। ଏହା ସହରବାସୀ ଓ ପଥଚାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏନେଇ ସହରରେ ଦୃର୍ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ସହରର ରିଂଗ୍ ରୋଡ଼୍, ବିଶ୍ରା ଛକ, ଟ୍ରାଫିକ୍ ଛକ, ଆମ୍ବାଗନ୍ ମାର୍କେଟ, ଉଦିତନଗର ଓ ସେକ୍ଟର-୨ ଭଳି ଅଞ୍ଚଳରେ ଷଣ୍ଡଙ୍କ ଉତ୍ପାତ ମଧ୍ୟ ବୃଦ୍ଧି ପାଇଛି। କିଛି ବର୍ଷ ପୂର୍ବରୁ ସହରରେ ମାଇକ୍ ଲଗାଇ ଜନସାଧାରଣଙ୍କୁ ଗାଈଗୋରୁ ରାସ୍ତାକୁ ନ ଛାଡ଼ିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଗୋରୁଗାଈ ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ସୂଚନା ଅନୁଯାୟୀ, ରାଉରକେଲା ମହାନଗର ନିଗମ ପକ୍ଷରୁ ୨୦୧୩ ମସିହାରେ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ ହୋଇଥିଲା କାଞ୍ଚିଆହୁଦା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ସହରର ରାସ୍ତାଘଟରେ ବୁଲୁଥିବା ଗାଈଗୋରୁ, ଷଣ୍ଢ ଓ ମଇଁଷିକୁ କାଞ୍ଜିଆହୁଦାରେ ରଖାଯିବ। ଗୋବରରୁ ଖତ ଉତ୍ପାଦନ କରାଯାଇ ଶସ୍ତା ଦରରେ ଆର୍‌ଏମ୍‌ସି ବାହାରେ ବିକ୍ରି କରିବ। ସେଥିମଧ୍ୟରୁ ବାୟୋଗ୍ୟାସ୍ ପ୍ଲାଣ୍ଟରେ ବ୍ୟବହାର କରାଯିବ। କ୍ଷୀର ଲିଟର ପିଛା ସର୍ବନିମ୍ନ ଟଙ୍କାରେ ବିକ୍ରି କରାଯିବ। କାଞ୍ଜିଆହୁଦାରେ ରଖାଯାଉଥିବା ଗାଈଗୋରୁଙ୍କ କାନରେ ଏକ ଟ୍ୟାଗ୍ ଲାଗିବ। ସେହି ଟ୍ୟାଗରେ ମାଲିକଙ୍କ ମୋବାଇଲ୍ ନମ୍ବର ସହ ସଂପୂର୍ଣ୍ଣ ଠିକଣା ଲେଖାଯିବ। ଏହି ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିବା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ଏହି ଯୋଜନାର କାର୍ଯ୍ୟକାରୀ କେମିତି ହେଉଛି ତାହା ମୁଖ୍ୟ ରାସ୍ତା ଗୁ଼ଡ଼ିକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ। ମହାନଗର ନିଗମ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।