ବାଲୁଗାଁ ବଜାରରେ ବୁଲା ଗାଈଗୋରୁଙ୍କ ଯୋଗୁଁ ଅସମ୍ଭାଳ ହେଲାଣି ଟ୍ରାଫିକ୍‌ ସମସ୍ୟା, ପ୍ରତ୍ୟେହ ଘଟୁଛି ଛୋଟବଡ଼ ଦୁର୍ଘଟଣା

ବାଲୁଗାଁ : ବାଲୁଗାଁ ବଜାରରେ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାର ପ୍ରତିକାର ଦିଗରେ ପ୍ରଶାସନ ସମ୍ପୂର୍ଣ୍ଣ ଉଦାସୀନ ରହୁଥିବା ଅଭିଯୋଗ ହେଉଛି। ଏଠାରେ ପ୍ରତ୍ୟେହ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ବେଳେ ବୁଲା ଗାଈଗୋରୁଙ୍କ ଯୋଗୁଁ ଏହି ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହେଲାଣି। ଏପରିକି ବାଲୁଗାଁ ବଜାରର ଅଧିକାଂଶ ଦୁର୍ଘଟଣା ଏହି ବୁଲା ଗାଈଗୋରୁଙ୍କ ପାଇଁ ଘଟୁଥିଲେ ମଧ୍ୟ ସେମାନଙ୍କ ମାଲିକମାନେ ଏହାକୁ ନଜରଅନ୍ଦାଜ କରି ଚାଲିଛନ୍ତି। ମନଇଛା ଏହି ମାଲିକମାନେ ସେମାନଙ୍କ ଗାଈଗୋରୁଙ୍କୁ ରାସ୍ତା ଉପରେ ଛାଡ଼ି ଦେଉଥିବା ଅଭିଯୋଗ ହେଉଛି। ଏପରିକି, ମାଲିକମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍‌ କରାଯାଉଥିଲେ ମଧ୍ୟ ସେମାନେ ଏହାକୁ ଖାତିର କରୁ ନାହାଁନ୍ତି।

ସୂଚନା ଯୋଗ୍ୟ ଯେ, ଗତ ଦୁଇଦିନ ତଳେ ମଦନ ପାଇକ ନାମକ ଜଣେ ବାଇକ୍‌ଆରୋହୀ ଯାଉଥିବା ସମୟରେ ଏକ ଗାଈ ସହିତ ଦୁର୍ଘଟଣା ଘଟିଥିଲା। ଫଳରେ ତାଙ୍କ ଗୋଡ଼ ଭାଙ୍ଗିଯିବା ସହ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡ଼ିକାଲ କଲେଜ ଆଣ୍ଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏହା କେବଳ ଏକ ଉଦାହାରଣ ହୋଇପାରେ, ମାତ୍ର ପ୍ରତ୍ୟେହ ଏଠାରେ ବିଭିନ୍ନ ଯାନବାହାନରେ ଯାତାୟତ କରୁଥିବା ଲୋକେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି। ଏପରିକି ଏହି ବୁଲା ଗାଈଗୋରୁଙ୍କ ଯୋଗୁଁ ବାଲୁଗାଁ ବଜାରକୁ ଅତିକ୍ରମ କରିବାକୁ ହେଲେ ବହୁ ସମୟ ଲାଗୁଛି। ବେଳେବେଳେ ଗୁରୁତର ରୋଗୀମାନଙ୍କୁ ଅକଥନୀୟ ଅବସ୍ଥା ଭୋଗିବାକୁ ପଡୁଛି। ତୁରନ୍ତ ପ୍ରଶାସନ ଏହି ବୁଲା ଗାଈଗୋରୁଙ୍କ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର