ନୟାଗଡ଼ : ନୟାଗଡ଼ ସହରର ରାସ୍ତା ବୁଲା ଗାଈଗୋରୁ, ଷଣ୍ଢ ଓ କୁକୁରଙ୍କ ପାଇଁ ପାଲଟିଛି ଚରାଭୂଇଁ। ଦିନ ରାତି ମାଳମାଳ ବୁଲା ଗାଈଗୋରୁଙ୍କୁ ରାସ୍ତା ଉପରେ ଦେଖିବାକୁ ମିଳୁଛି। ସହରର ପ୍ରମୁଖ ସ୍ଥାନ ଟ୍ରାଫିକ ଛକଠାରୁ ଆରମ୍ଭ କରି ରାଜୀବ ମାର୍କେଟ, ଓଲ୍ଡ ଟାଉନ୍, ଅମରେନ୍ଦ୍ର ମାର୍କେଟ୍, କଚେରି ବଜାର ଆଦି ଛକରେ ଏମାନଙ୍କ ଦୌରାତ୍ମ୍ୟ ଯାନବାହାନ ଆରୋହୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏମାନଙ୍କ ପାଇଁ ନୟାଗଡ଼ ସହରର ରାସ୍ତା ଗୁହାଳ ପାଲଟିଥିବା ଆଲୋଚନା ହେଉଛି। ଏପରି ସମସ୍ୟା ନେଇ ନିତିଦିନ ସହରରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ସ୍ଥାନୀୟ ଲୋକମାନେ ରାସ୍ତା ଉପରକୁ ଏପରି ଖୋଲିଖୋଲି ଭାବେ ଗାଈ, ଗୋରୁଙ୍କୁ ଛାଡ଼ିଦେବା ନେଇ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ରାସ୍ତା କଡ଼ରେ ଥିବା ବିଭିନ୍ନ ପରିବା ଦୋକାନରୁ ପରିବା ଓ ପଚା ଫଳ ଖାଇବା ପାଇଁ ଗାଈଗୋରୁମାନେ ଏପାଖ ସେପାଖ ହେଉଥିବାରୁ ବାଇକ୍ ଆରୋହୀଙ୍କ ପାଇଁ ଏହା ଗୁରୁତର ସମସ୍ୟା ସୃଷ୍ଟି କରୁଛି। ସହରର କେନ୍ଦ୍ରସ୍ଥଳୀରେ ବସ୍ଷ୍ଟାଣ୍ଡ ଥିବାରୁ ଦୈନିକ ଶହ ଶହ ଲୋକ ଏଠାରେ ଯାତାୟତ କରିଥାନ୍ତି। ମାଳମାଳ ଗାଈଗୋରୁଙ୍କ ଉପଦ୍ରବ ପାଇଁ ହାତେ ରାସ୍ତା ଅତିକ୍ରମ କରିବାକୁ ମଧ୍ୟ ପଥଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ୁଛି। କେତେବେଳେ ଏମାନେ କାହାକୁ ଶିଙ୍ଗରେ ଭୁଷିଲେଣି ତ ଆଉ କେତେବେଳ ରାସ୍ତା ପାର୍ଶ୍ୱରେ ଥୁଆ ହୋଇଥିବା ବାଇକ୍, ମୋଟର ସାଇକେଲ ଆଦିକୁ ଓଲଟାଇ ଦେଲେଣି। ଦିନକୁ ଦିନ ସହରର ଜନସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ରାସ୍ତା ଜାମ୍ ହେଉଥିବା ବେଳେ ଏପରି ବୁଲା ଜନ୍ତୁଙ୍କ ଉତ୍ପାତ ସରରବାସୀଙ୍କ ଚିନ୍ତା ବଢାଇ ଦେଇଛି।
ଏ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଅନେକ ସମୟରେ ଖୋଲାରେ ଗାଈଗୋରୁଙ୍କୁ ଛାଡ଼ୁଥିବା ମାଲିକମାନଙ୍କୁ ଫାଇନ୍ କରାଯାଇଛି। ଫାଇନ୍ କରାଯିବା ସତ୍ତ୍ୱେ ମଧ୍ୟ ବାରମ୍ବାର ଏପରି ହେଉଥିବାରୁ ଦେଖାଯାଉଛି। ଆଗକୁ ଯେଭଳି ରାସ୍ତା ଉପରେ ଗାଈଗୋରୁଙ୍କ ଅବାଧ ବିଚରଣ ସଂପୂର୍ଣ୍ଣ ବନ୍ଦ କରାଯିବ ସେ ନେଇ ବ୍ୟବସ୍ଥା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/nayagarh-bula-gai-goru.jpg)