ସୁନ୍ଦରଗଡ଼: ଦିନ ହେଉ କି ରାତି ସୁନ୍ଦରଗଡ଼ ସହରର ପ୍ରମୁଖ ରାସ୍ତାଗୁଡ଼ିକ କାଞ୍ଜିଆହୁଦା ପାଲଟିଛି। ରଙ୍ଗାଢିପା ଛକରୁ କଲେଜ ବାଇପାସ, ପତ୍ରାପାଲି ଛକ, ରାଣୀବଗିଚା ରାସ୍ତା, ମହିଳା ମହାବିଦ୍ୟାଳୟ, ଡିଆରଡିଏ ଛକରେ ମାଳମାଳ ଗୋରୁ ଗୋଠରେ ପଡ଼ି ରହିଲା ଭଳି ରାସ୍ତାରେ ଶୋଇ ରହୁଥିବା ଦେଖାଯାଉଛି। ଯାହା ଅନେକ ସମୟରେ ଦୁର୍ଘଟଣାର କାରଣ ହେଉଛି। ଗାଈ ମରୁଛନ୍ତି, ମଣିଷ ବି ମୃତାହତ ହେଉଥିବା ନଜିର ରହିଛି। ବିଶେଷ କରି ରାତିରେ ରାସ୍ତାରେ ବିଶ୍ରାମ ନେଉଥିବା ବୁଲା ଗୋରୁ ଗାଡ଼ିମଟରରେ ଆସୁଥିବା ଲୋକଙ୍କୁ ପାଇଁ ବିପଦର କାରଣ ହୋଇଛନ୍ତି। ଏହା ସତ୍ତ୍ବେ ପୌରପରିଷଦ କର୍ତ୍ତୃପକ୍ଷ ସ୍ବତନ୍ତ୍ର କାଞ୍ଜିଆହୁଦାରେ ବୁଲା ଗୋରୁଙ୍କୁ ଅଟକ ରଖିବାକୁ ଆଗ୍ରହ ପ୍ରକାଶ କରୁ ନାହିଁ। ଅନ୍ୟପଟେ ପ୍ରଶାସନ ମଧ୍ୟ ଗୋଶାଳା କି ଅନ୍ୟ କୌଣସି ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହୋଇଛି।

Advertisment

ଏକ ଘଟଣାକ୍ରମେ ସୋମବାର ସରକାରୀ ମହାବିଦ୍ୟାଳୟ ନିକଟ ଇବନଦୀ ସେତୁରେ କୌଣସି ଏକ ଅଜଣା ଗାଡ଼ି ଗୋଟିଏ ବାଛୁରୀକୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ବାଛୁରୀର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେତୁ ମଝିରେ ପଡ଼ି ଛଟପଟ ହେଉଥିବାରୁ ବହୁ ସମୟ ଯାତାୟତ ବନ୍ଦ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ପୌର କର୍ତ୍ତୃପକ୍ଷଙ୍କ ଅବଗତ କରିଥିଲେ ମଧ୍ୟ ସେମାନେ ଘଟଣାସ୍ଥଳକୁ ଆସି ନଥିଲେ କି କୌଣସି ପଦକ୍ଷେପ ନେଇ ନଥିଲେ। ଏହା ପରେ ଲୋକେ ଆହତ ବାଛୁରୀର ଚିକିତ୍ସା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରଖି ପ୍ରତିବାଦ କରିଥିଲେ। ଟାଉନଥାନା ପୁଲିସ ଆସି ଲୋକଙ୍କୁ ବୁଝାସୁଝା କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆହତ ବାଛୁରୀକୁ ଭୋଜପୁର ବନବାସୀ କଲ୍ୟାଣ ଆଶ୍ରମକୁ ପଠାଇ ଦିଆଯାଇଥିଲା।

publive-image

ଏହି ଅବସରରେ ଲୋକେ ପ୍ରାଣୀମାନଙ୍କ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ଆମ୍ବୁଲାନ୍ସ ଓ ବୁଲା ଗୋରୁଙ୍କୁ ରାସ୍ତାରେ ହଟାଇ ସୁରକ୍ଷିତ ସ୍ଥାନରେ ରଖିବା ଏବଂ ଯେଉଁ ମାଲିକ ଗୋରଙ୍କୁ ଘରେ ନରଖି ଏମିତି ରାସ୍ତାରେ ଛାଡ଼ୁଛନ୍ତି, ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ମଙ୍ଗଳବାର ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ସ୍ମାରକପତ୍ର ଦିଆଯିବାକୁ ପ୍ରତିବାଦକାରୀ ନିଷ୍ପତ୍ତି ନେଇଛନ୍ତି। ଅଭିଯୋଗ ରହିଛି ସହରୀ ଲୋକେ ଗୋରୁ, ମଇଁଷି ପାଳୁ ଥିଲେ ମଧ୍ୟ କେବଳ ଦୁହାଳିଆ ଗାଈକୁ ଛାଡ଼ି ଅନ୍ୟ ଗୋରୁଙ୍କୁ ରଖିବା ପାଇଁ ଘରେ କୌଣସି ବ୍ୟବସ୍ଥା ନକରି ରାସ୍ତା ଉପରେ ଖୋଲା ଛାଡ଼ି ଦେଉଛନ୍ତି। କୌଣସି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା କେବେ ସାମାନ୍ୟ ତାଗିଦ୍ ମଧ୍ୟ କରାଯାଉ ନଥିବାରୁ ସେମାନେ ଗୋରୁଙ୍କ ପ୍ରତି ବେପରୱା ରହୁଛନ୍ତି। ମାଳମାଳ ଗାଈ, ମଇଁଷି ରାସ୍ତା ଉପରକୁ ଆସି ରହି ଯାଉଥିବାରୁ ପଥଚାରୀଙ୍କ ମୁଣ୍ଡବ୍ୟଥା ବଢ଼ି ଯାଉଛି। ପୌର ପ୍ରଶାସନ ତୁରନ୍ତ କାଞ୍ଜିଆହୁଦାକୁ କାର୍ଯ୍ୟକ୍ଷମ କରି ବୁଲା ଗୋରୁଙ୍କ ରଖି ମାଲିକଙ୍କ ଠାରୁ ଜରିମାନା ଆଦାୟ କରିବାକୁ ଦାବି ହେଉଛି