ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ ଜାରି : ରାଜଧାନୀରେ ଲୋକଙ୍କୁ ନିୟମ ମାନି ଚଳିବାକୁ ସିପିଙ୍କ ଅପିଲ

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ । ସୋମବାର ସକାଳ ଯାଏ ଦୋକାନ ବଜାର ବନ୍ଦ ରହିବ । କଟକଣାକୁ ଜୋରଦାର କରିବା ପାଇଁ ପୁଲିସ କଡ଼ାକଡ଼ି ଚେକିଂ କରୁଛି । ଆଜି ଓ ଆସନ୍ତାକାଲି ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ ନିୟମ ଲାଗୁ ରହିବ । ଯାଜପୁର, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ଫୁଲବାଣୀ, ସୁନ୍ଦରଗଡରେ ସଟ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି । ବାଲେଶ୍ୱରରେ ମଧ୍ୟ ପୁଲିସ କଡ଼ା ଚେକିଂ କରୁଛି । ଏହି କଟକଣାରୁ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । କ୍ଷୀର ଦୋକାନ, ଔଷଧ ଦୋକାନ ଖୋଲା ରହିଛି ।

ସେପଟେ ରାଜଧାନୀରେ ସଟଡାଉନ ସମୟରେ ରେଳଷ୍ଟେସନରୁ ମୋ ବସ୍ ଚଳାଚଳ କରିବା ପାଇଁ ଅନୁମତି ରହିଛି । ଏହାସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି କୁହାଯାଇଛି । ସେପଟେ ତାଲାବନ୍ଦ ସମୟରେ ରାଜଧାନୀବାସୀ ନିୟମ ମାନି ଚଳୁଛନ୍ତି । ଆଗକୁ ଏପରି ସହଯୋଗ ଜାରି ରଖିବାକୁ ଅପିଲ କରିଛନ୍ତି ସିପି । ଭୁବନେଶ୍ୱର ସହର ସାରା ପିସିଆର ଭ୍ୟାନ୍ ବୁଲୁଛି, ୧୫୦ ଅଫିସର ବିଭିନ୍ନ ଚେକପୋଷ୍ଟର ଛିଡ଼ା ହୋଇଛନ୍ତି । ଭୁଲ କଲେ ଲୋକଙ୍କୁ ବୁଝାଇ ଛାଡି ଦେଉଛୁ ବୋଲି କହିଲେ ପୁଲିସ କମିସନର ।

କଟକରେ ସପ୍ତାହନ୍ତ ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । କଟକରେ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସପ୍ତାହାନ୍ତ ସଟଡାଉନକୁ କଟକରେ ଲୋକମାନେ ପାଳନ କରୁଛନ୍ତି । ବସ୍ତି ଅଞ୍ଚଳ‌ରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ଗଳି କନ୍ଦିରେ ପୁଲିସ ଫ୍ଲାଗ ମାର୍ଚ୍ଚ କରୁଛି । ଯିଏ ବି ନିୟମ ଭାଙ୍ଗିବ, ତାଙ୍କ ଠାରୁ ଫାଇନ ଆଦାୟ ହେବ । ଗଳି ଗଳି ବୁଲୁଛି ପୁଲିସ ଟିମ୍, ବିନା କାରଣରେ ନ ବାହାରିବାକୁ ପରାମର୍ଶ ଦେଲେ କଟକ ଡିସିପି ।

ସମ୍ବନ୍ଧିତ ଖବର