ତାଇଓ୍ଵାନରୁ ଆସିବ ୪୩ ହଜାର କୋଟି ଟଙ୍କା ପୁଞ୍ଜି
ପେଟ୍ରୋଲିୟମ୍ କ୍ଷେତ୍ରରେ ବିନିଯୋଗ ହେବ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିପିସି କର୍ପୋରେସନ୍ ପ୍ରତିନିଧି
ଭୁବନେଶ୍ୱର : ତାଇଓ୍ଵାନରୁ ଓଡ଼ିଶା ଆସିବ ୪୩ ହଜାର କୋଟି ଟଙ୍କାର ପୁଞ୍ଜି। ପାରାଦୀପରେ ଏହି ଟଙ୍କା ବିନିଯୋଗ ହୋଇ ପେଟ୍ରୋଲିୟମ୍ କ୍ରାକର୍ କମ୍ପାନି ପ୍ରତିଷ୍ଠା କରାଯବି। ପୁଞ୍ଜି ଖଟାଉଥିବା ତାଇଓ୍ଵାନ ସିପିସି କର୍ପୋରେସନ୍ର ଏକ ପ୍ରତିନିଧି ଦଳ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି।
ପ୍ରତିନିଧି ଦଳକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଲେ, ଏହି ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ପାରାଦୀପରେ ପେଟ୍ରୋଲିୟମ୍ କ୍ଷେତ୍ରରେ ଡାଉନ୍ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା ଦିଗରେ ସହାୟକ ହେବ। ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ, ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶାରେ ଯଥେଷ୍ଟ ସୁଯୋଗ ରହିଛି। ପୁଞ୍ଜିନିବେଶ ଓ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶା କ୍ରମାଗତ ଭାବେ ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ରହି ଆସିଛି। ରାଜ୍ୟରେ ଶିଳ୍ପ ବିକାଶ ଯୋଜନା-୨୦୨୫ ଅନୁଯାୟୀ ୬ଟି ପ୍ରମୁଖ ଫୋକସ୍ କ୍ଷେତ୍ର ମଧ୍ୟରେ କେମିକାଲ୍ ଓ ପେଟ୍ରୋ କେମିକାଲ୍ କ୍ଷେତ୍ର ସ୍ଥାନିତ ହୋଇଛି। ଏହି କ୍ଷେତ୍ରରେ ବିକାଶ ପାଇଁ ଏକ ଉତ୍ତମ ବ୍ୟବସାୟିକ ପରିବେଶ, ଭିତ୍ତିଭୂମି ଓ ସୁଦକ୍ଷ ମାନବ ସମ୍ବଳ ଯୋଗାଇ ଦେବା ହେଉଛି ରାଜ୍ୟର ଲକ୍ଷ୍ୟ। ଆଗାମୀ ଦିନରେ ଓଡ଼ିଶା ଓ ତାଇଓ୍ଵାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ସହଯୋଗ ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକଟ କରିଥିଲେ।
କମ୍ପାନିର ସଭାପତି ସୁନ୍-ଚିନ୍ ଲି ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ରାଜ୍ୟ ସରକାରଙ୍କ ସହଯୋଗ ଆଶା କରିଥିଲେ। ବୈଠକରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍ ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ତାଇଓ୍ଵାନର ପ୍ରତିନିଧି ଗତକାଲି ପାରାଦୀପ ପରିଦର୍ଶନ କରିସାରିଛି। ସେହି ସ୍ଥାନଟି ତାଙ୍କ ପ୍ରକଳ୍ପ ପାଇଁ କେତେଦୂର ଉପଯୁକ୍ତ, ତାହା ଅନୁଧ୍ୟାନ କରିଥିଲେ। ରାଜ୍ୟ ସରକାର ଜମି, ପାଣି, ବିଜୁଳି ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଦେବାକୁ ରାଜି ଅଛନ୍ତି। ତେବେ କଞ୍ଚା ମାଲ ପାଇଁ ସେମାନ ଆଇଓସିଏଲ୍ ଉପରେ ନିର୍ଭର କରୁଛନ୍ତି। ତେଣୁ ଆଇଓସିଏଲ୍ ସହ ଏ ନେଇ ସେମାନେ ପୃଥକ ଆଲୋଚନା କରିବେ।