ରାଉରକେଲା: କେନ୍ଦ୍ରୀୟ ପୂଜା କମିଟି (ସିପିସି)ର ଚୟନ ପ୍ରକ୍ରିୟାରେ ଅନିୟମିତା ହୋଇଛି। ପୁରୁଣା କମିଟିକୁ ପୁନର୍ବାର ଚୟନ କରାଯାଇଛି। ଯେଉଁ ଭୋଟରମାନେ ପୁରୁଣା କମିଟିର କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି, ସେମାନଙ୍କୁ ଜାଣିଶୁଣି ସୂଚନା ଦିଆଯାଇଛି। ଏମିତି ସାଂଘାତିକ ଅଭିଯୋଗ ଆଣିଛି ରାଉରକେଲା ଜିଲ୍ଲା ବିଜେପି। ତେଣୁ ନିୟମ ଅନୁଯାୟୀ ସିପିସି ନିର୍ବାଚନ କରିବାକୁ ଦାବି କରାଯାଇଛି। ଆଜି ବିଜେପିର ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ସୋମନେ କହିଥିଲେ, ଗତ ଦୁଇ ଦିନ ତଳେ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରକ୍ରିୟାରେ ନ କରାଯାଇ ମୁଷ୍ଟିମେୟଗୋଷ୍ଠୀଙ୍କ ଉପସ୍ଥିତିରେ ସିପିସି ଚୟନ କରାଯାଇଛି।
ନିର୍ବାଚନରେ ଭାଗ ନେବାକୁ ଯୋଗ୍ୟ ୨୧୮ ପୂଜା କମିଟିକୁ ଏ ସଂକ୍ରାନ୍ତରେ ପୁଲିସ ଦ୍ବାରା ସୂଚନା ଦିଆଯାଇନାହିଁ। କେବଳ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୋଟିସ୍ ବୋର୍ଡରେ ସୂଚନାଟି ଲଗାଇ ଦିଆଯାଇଛି। ବୈଠକରେ ଯେଉଁମାନେ ହାତଟେକି ଚୟନରେ ଅଂଶଗ୍ରହଣ କରିଛନ୍ତି, ସେମାନଙକର ଭୋଟ ଦେବାର ବୈଧତାକୁ ଯାଞ୍ଚ କରାଯାଇ ନାହିଁ। ବୈଠକ ଗୃହକୁ ପ୍ରବେଶ ପୂର୍ବରୁ ଯେଉଁମାନେ ଯାଉଥିଲେ, ସେମାନେ ପୂଜାକମିଟିର ସଦସ୍ୟ କି ନୁହେଁ ଯାଞ୍ଚ କରାଯାଇ ନାହିଁ। କେବଳ ମୁଷ୍ଟିମେୟ ରାଜନୈତିକ ଗୋଷ୍ଠୀକୁ ଉପହାର ଦେବା ପରି ଡକାଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ସିପିସିର ଚୟନକୁ ତୁରନ୍ତ ବାତିଲ କରି ପୁନଃ ନିର୍ବାଚନ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଆଲୋଚନାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ଜଗବନ୍ଧୁ ବେହେରା, ମୁଖପାତ୍ର ଭଗବାନ ମହାପାତ୍ର, ସମ୍ପାଦକ ପ୍ରବାଳ ବାରିକ୍, ବିନ୍ଦର ସିଂ, ଶକ୍ତେଶ୍ବର ପାତ୍ର, ସରୋଜ ଦାସ, ମନୋରଞ୍ଜନ ମୁନୀ, କେଦାର ବାରିକ୍, ତାପସ ପରିଡା, ଚନ୍ଦନ ବେହରା ପ୍ରମୁଖ ସାମିଲ ଥିଲେ।