ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜର ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟ ପହିଲାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି)ଆରମ୍ଭ ହେବ। ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା ଲାଗି ଆହୁରି କିଛି ଛାତ୍ରଛାତ୍ରୀ ଆବେଦନ କରିପାରି ନାହାନ୍ତି। ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନ ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୧୭ ପର୍ଯ୍ୟନ୍ତ ସାମ୍ସ ୱେବସାଇଟ୍ ‘www.samsodisha.gov.in’ ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍)ରେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୧୮ ଓ ୧୯ ତାରିଖରେ ସିଏଏଫ୍ରେ ସଂଶୋଧନ କରିବାର ସୁଯୋଗ ରହିଛି। ନୂତନ ଭାବେ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସଂଶୋଧନ ସୁଯୋଗ ମିଳିବ ନାହିଁ। ଜୁଲାଇ ୧୫ ଅପରାହ୍ନ ୨ଟାରେ ହଲ୍ ଟିକେଟ୍ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।