ଭୁବନେଶ୍ବର : ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟି, ରାଜ୍ୟ ପରିଷଦର ନିର୍ବାଚନ ଇସ୍ତାହାର ଆଜି ଉନ୍ମୋଚିତ ହୋଇଛି। ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ଆଶିଷ କାନୁନ୍‌ଗୋ, କେନ୍ଦ୍ର କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ ଓ ରାଜ୍ୟ ସଂପାଦକମଣ୍ଡଳୀ ସଭ୍ୟ ସୌରୀବନ୍ଧୁ କର ଏହାକୁ ଉନ୍ମୋଚନ କରିଛନ୍ତି। ଦଳ କ୍ଷମତାକୁ ଆସିଲେ କୃଷିଋଣ ଛାଡ଼ ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ଟଙ୍କା ଧାର୍ଯ୍ୟ କରାଯିବ ବୋଲି କୁହାଯାଇଛି।

Advertisment

ଏହାସହିତ ୬୦ବର୍ଷରୁ ଅଧିକ ଚାଷୀ ଓ ମୂଲିଆକୁ ମାସିକ ୬ହଜାର ଟଙ୍କା ଓ ଶ୍ରମିକଙ୍କୁ ୯ହଜାର ଟଙ୍କର ପେନସନ୍ ମିଳିବ। ମୂଲିଆଙ୍କୁ ୩ଶହ ଦିନର କାମ, କ୍ଷୁଦ୍ର, ମଧ୍ୟମ ଓ କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେଇ ବ୍ୟାପକ କର୍ମ ନିଯୁକ୍ତି ସହିତ ରାଜ୍ୟରେ ୬ମାସରେ ୩ଲକ୍ଷ ସରକାରୀ ନିଯୁକ୍ତି ଦିଆଯିବ। ବନ୍ଦ ହୋଇଯାଇଥିବା କେବିକେ ଯୋଜନାକୁ ପୁଣିଥରେ ଚାଲୁ କରିବା, ସଂସଦ-ଲୋକସଭା ଓ ସରକାରୀ-ବେସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ଭାଗ ସଂରକ୍ଷଣ, ବିଧବା ଭତ୍ତା ୩ହଜାର ଟଙ୍କାକୁ ବୃଦ୍ଧି, ଶିକ୍ଷା କ୍ଷେତ୍ରରେ ମୋଟି ଜିଡିପର ୧୦ଭାଗ ଓ ସ୍ବାସ୍ଥ୍ୟ ପାଇଁ ୬ଭାଗ ବ୍ୟୟ ବରାଦ କରାଯିବ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ଅଙ୍ଗନବାଡ଼ି, ଆଶା, ଶିକ୍ଷାକର୍ମୀ, ଶିକ୍ଷା ସହାୟକ, ଗାଁ ସାଥୀ, କୃଷକ ସାଥୀ ଓ ଯଶୋଦା କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବ। ସିପିଆଇ ଓ ବାମପନ୍ଥୀଙ୍କ ସମର୍ଥନରେ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ହେଲେ ବିକାଶର ଏହି ବିକଳ୍ପ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଘୋଷଣା ହୋଇଛି।