ନୀଳଗିରି/ରାଜବହରହମପୁର : ବାଡି ସଫା କରୁ କରୁ ମହୁମାଛି ଆକ୍ରମଣରେ ଜେଜେ ବାପାଙ୍କର ମୃତ୍ୟୁ ଘଟିଥିବା ବେଳେ ନାତି ଗୁରୁତର ଆହତ ହୋଇଛି। ବୁଧବାର ନୀଳଗିରି ବ୍ଲକ୍‌ ବାଙ୍କୀସାହି ଗାଁରେ ଘଟିଛି ଏହି ଅଘଟଣ। ମୃତକ ହେଲେ ସିପିଆଇର ବରିଷ୍ଠ ନେତା ରାମଚନ୍ଦ୍ର ସ (୬୨)।

Advertisment

ବାଙ୍କିସାହି ଗ୍ରାମର ରାମଚନ୍ଦ୍ର ଆଜି ଅପରାହ୍ନରେ ବାଡ଼ି ସଫା କରିବା ପରେ ଅଳିଆଗଦାରେ ନିଆଁ ଲଗାଇଥିଲେ। ତେବେ ଅଳିଆଗଦାର ଧୂଆଁ ଓ ନିଆଁ ଧାସ ଗଛ ଉପରେ ଥିବା ମହୁମାଛି ବସାରେ ବାଜିଥିଲା। ଫଳରେ ସେଠାରୁ ମହୁମାଛି ଉଡି ଆସି ରାମଚନ୍ଦ୍ରଙ୍କୁ ଦଂଶନ କରିଥିଲେ। ମହୁମାଛି ଆକ୍ରମଣରେ ତଳେ ପଡି ରାମଚନ୍ଦ୍ର ଛଟପଟ ହେଉଥିବା ଦେଖି ତାଙ୍କ ନାତି ଚିନ୍ମୟାନନ୍ଦ (୧୯) ଜେଜେଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଆସିଥିଲେ। ହେଲେ ତାଙ୍କୁ ମଧ୍ୟ ମହୁମାଛି ଘେରି ଯାଇ କାମୁଡ଼ିଥିଲେ। ପରେ ଘର ଲୋକ ଉଭୟଙ୍କୁ ବରହମପୁର ଡାକ୍ତରଖାନା ଓ ସେଠାରୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ରାମଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ।

ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ତା, ଯୋଗାନନ୍ଦ ଦାଶ, ଜ୍ୟୋତିର୍ମୟ ରାଉତ, ବରିଷ୍ଠ ସିପିଆଇ ନେତା ବିଜୟ ପାତ୍ର ଓ ଦଳୀୟ କର୍ମୀ ତାଙ୍କର ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ମରଶରୀରକୁ ନୀଳଗିରି ଦଳୀୟ କାର୍ଯ୍ୟାଳୟକୁ ନିଆଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।