ଭଦ୍ରକ : ଉତ୍ତର ପ୍ରଦେଶ ହାଥରସର ଦଳିତ କନ୍ୟା ମନୀଷା ବାଲ୍ମୀକଙ୍କ ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟର କାର୍ଯ୍ୟରତ ବିଚାରପତିମାନଙ୍କ ଏକ ବେଞ୍ଚ ଦ୍ବାରା ବିଚାର ବିଭାଗୀୟ ତଦନ୍ତ କରାଯିବା, ମନୀଷାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ, ମନୀଷା ଗଣବଳତ୍କାର ଓ ହତ୍ୟା ମକଦ୍ଦମାର ସାକ୍ଷୀ ମାନଙ୍କୁ ସୁରକ୍ଷା ପ୍ରଦାନ, ତ୍ୱରିତ ବିଚାର ପ୍ରକ୍ରିୟାରେ ମନୀଷାର ପରିବାରକୁ ନ୍ୟାୟ ମିଳିବା, ଅପରାଧୀମାନଙ୍କ ଅପରାଧର ପ୍ରମାଣ ନଷ୍ଟ କରିଥିବା ଉତ୍ତର ପ୍ରଦେଶ ପୋଲିସକୁ ଏହି ମକଦ୍ଦମାରେ ପକ୍ଷଭୁକ୍ତ କରିବା, ଏହି ଅପରାଧ ଘଟଣାରେ ଜଡିତ ଯୋଗୀ ଆଦିତ୍ୟ ନାଥ ସରକାରକୁ ବରଖାସ୍ତ କରିବା ଦାବୀ ନେଇ ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ଲାଲ ପଟୁଆର ଭଦ୍ରକ ବନ୍ତ ଛକ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ମଧ୍ୟ ହୋଇଥିଲା । ଅପରାଧୀ ମାନଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ବିଜେପି ନେତାମାନଙ୍କ ସୁସଂପର୍କକୁ ସଭାରେ ତୀବ୍ର ନିନ୍ଦା କରାଯାଇଥିଲା ।
ମନୀଷା ବାଲ୍ମୀକଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଇଥିବା ବିଭିନ୍ନ ରାଜନୈତିକ ଦଳଗୁଡିକର ସର୍ବଭାରତୀୟ ନେତୃବୃନ୍ଦ ଓ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ, ଗଣମାଧ୍ୟମର ପ୍ରତିନିଧିମାନଙ୍କ ଉପରେ ଉତ୍ତର ପ୍ରଦେଶର ସଂଘୀ ପୋଲିସ ଯେପରି ଅମାନୁଷିକ ବ୍ୟବହାର କରିଛି, ଆମ ଦେଶରେ ତାହା ଫାଶିବାଦର ପଦଧ୍ୱନିକୁ ସୂଚାଉଅଛି ବୋଲି ପ୍ରତିବାଦରେ ଅଂଶଗ୍ରହଣ କରି ଥିବା ସିପିଆଇଏମର ନେତୃବୃନ୍ଦ ଅଭିଯୋଗ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରାଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜିଲ୍ଲା ତମାମ ଚାଲୁ ରହିବ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ସିପିଆଇଏମର ନେତୃବୃନ୍ଦ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ଓ ପ୍ରତିବାଦ ଆନ୍ଦୋଳନରେ ସିପିଆଇଏମ ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟ ସିଂହ ନାୟକ,ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ରବିନ୍ଦ୍ର ନାୟକ, ଜୟନୁଲ ଆବେଦିନ୍, ଗିରିଧାରୀ ନାଥ, ନିରଞ୍ଜନ ପାଣି, ଯୁବ ନେତା ପ୍ରତାପ ସେଠୀ, ସେକ୍ କମର ,ବାବୁଲା ମାଝୀ, ନାରୀ ନେତ୍ରୀ ରୋଜାଲିନି ସାମ୍ୟବାଦୀ, ଛାତ୍ର ନେତା ସୂର୍ଯ୍ୟ ନାୟକ, ବିକ୍ରମ ନାୟକ, କୁନା ମାଝୀ ପ୍ରମୁଖ ନେତୃତ୍ବ ନେଇଥିଲେ । ଏହି ଆନ୍ଦୋଳନରେ ଶତାଧିକ ସାଧାରଣ ମହିଳା ଓ ସିପିଆଇଏମ କର୍ମୀ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/CPI-activists.jpg)