ସିପିଆଇ ସାଂଗଠନିକ ସମ୍ମେଳନ ଉଦ୍‌ଯାପିତ : ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ହେବ ଆନ୍ଦୋଳନ – ଡି. ରାଜା

କଟକ : ଦେଶର ସମ୍ବିଧାନ, ଗଣତନ୍ତ୍ର ଏବଂ ବିଧିବ୍ୟବସ୍ଥା ସଂପ୍ରତି ବିପଦରେ। କେନ୍ଦ୍ର ସରକାର ଏହା ଉପରେ ବାରମ୍ବାର ଆକ୍ରମଣ କରୁଥିବାରୁ ସିପିଆଇ ଓ ଅନ୍ୟ ୪ଟି ବାମପନ୍ଥୀ ଦଳ ଏହାର ପ୍ରତିବାଦରେ ଦେଶବ୍ୟାପୀ ଗଣଆନ୍ଦୋଳନ କରିବ ବୋଲି ସିପିଆଇ ରାଜ୍ୟ ପରିଷଦର ଦୁଇ ଦିନିଆ ସାଂଗଠନିକ ସମ୍ମେଳନ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସିପିଆଇର ଜାତୀୟ ସାଧାରଣ ସଂପାଦକ ଡି. ରାଜା ଏ କଥା ଘୋଷଣା କରିଛନ୍ତି।

ଓସିଏ କ୍ଲବ୍‌ ହାଉସ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡି. ରାଜା କହିଛନ୍ତି, ତୈଳ ଦର ହୁ’ ହୁ’ ହେଇ ବଢ଼ି ଚାଲିଛି। ସରକାର ନିୟନ୍ତ୍ରଣରେ ରଖିପାରୁନାହାନ୍ତି। ତରିବରିଆ ଭାବେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଉପାୟରେ ଜମ୍ମୁ-କଶ୍ମୀର ରାଜ୍ୟରୁ ୩୭୦ଧାରା ଓ ୩୫-ଏକୁ ହଟାଇ ଦିଆଯାଇଛି। ସେଠାକାର ବିଧାନସଭାରେ ଏହି ପ୍ରସଙ୍ଗରେ ଆଲୋଚନା କରାନଯାଇ ଜମ୍ମୁକଶ୍ମୀରବାସୀଙ୍କ ସହିତ କେନ୍ଦ୍ର ସରକାର ବିଶ୍ବାସଘାତକ କରିଥିବା ଡି. ରାଜା ଅଭିଯୋଗ କରିଛନ୍ତି। ଏ କଥା ବି କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ ଜାତୀୟ ନାଗରିକ ପଂଜିକା (ଏନ୍‌ଆର୍‌ସି) ନାଁରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ଭିଡ଼ତନ୍ତ୍ର ଦ୍ବାରା ଲୋକଙ୍କୁ ହତ୍ୟା କରାଯାଇ ଦେଶର ଏକତାକୁ ନଷ୍ଟ କରାଯାଉଛି। କେନ୍ଦ୍ର ସରକାରଙ୍କ ଏପ୍ରକାର ଅଗଣତାନ୍ତ୍ରିକ କାର୍ଯ୍ୟକଳାପ ପ୍ରତିବାଦରେ ସିପିଆଇ ଆସନ୍ତା ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସାଂପ୍ରଦାୟିକ ସଂପ୍ରୀତିର ସୁରକ୍ଷା ପାଇଁ ଦେଶବ୍ୟାପୀ ଅଭିଯାନ ଚଳାଇବ। ଏହା ସହିତ ଆସନ୍ତା ଆକ୍ଟୋବର ୧୦ରୁ ୧୬ତାରିଖ ପର୍ଯ୍ୟନ୍ତ ସିପିଆଇ ସହ ଅନ୍ୟ ୪ଟି ବାମପନ୍ଥୀ ଦଳ ସାରା ଦେଶରେ ଗଣ ଆନ୍ଦୋଳନ କରିବ ବୋଲି ଡି. ରାଜା ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଂପାଦକ ଆଶିଷ କାନୁନ୍‌ଗୋ, ସହ ସଂପାଦକ ଡକ୍ଟର ପ୍ରଶାନ୍ତ ମିଶ୍ର, କ୍ଷୀରୋଦ ସିଂହଦେଓ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର