ମହଙ୍ଗା ମାଡ଼କୁ ନେଇ ସିପିଆଇ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର: ସିପିଆଇ ଭୁବନେଶ୍ବର ଜୋନ୍‌ କମିଟି ପକ୍ଷରୁ ଜ‌ାଳେଣି ଗ୍ୟାସ୍‌, କିରାସିନି ଓ ରେଳ ଭଡ଼ା ବୃଦ୍ଧି ଅର୍ଥାତ ମହଙ୍ଗା ମାଡ଼ ବିରୋଧରେ ଗଣବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ଜୋନ୍‌ ସମ୍ପାଦକ ସୁର ଜେନାଙ୍କ ନେତୃତ୍ବରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସମସ୍ୟ ବନଲତା ଜେନା, ଜୟନ୍ତ ଦାସ ଓ ଉତ୍କଳ ମହିଳା ସମିତିର ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ ପ୍ରମୁଖ କହିଥିଲେ ଯେ ଦୁଷ୍କର୍ମକାରୀଙ୍କୁ ତ୍ବରିତ କଠୋର ଦଣ୍ଡ ଦେବା ପାଇଁ ମାମଲାଗୁଡ଼ିକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରାଯାଉ। ପ୍ରତ୍ୟେକ ଜିଲ୍ଲାରେ ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯାଉ ବୋଲି ସେମାନେ ଦାବି କରିଥିଲେ। ଏହି ଶୋଭାଯାତ୍ରାରେ ନାରୀ ନେତ୍ରୀ ଗୀତା ସେଠୀ, ସସ୍ମିତା ନାୟକ, କୈଳାସ ପୁହାଣ, ଲୋକନାଥ ଭୋଇ, ଛାତ୍ରନେତା ପବିତ୍ର ସ୍ବାଇଁ, ଛେତମ୍ବର ଭୋଇ ଓ ଡାକ ହେମ୍ବ୍ରମ୍‌ ପ୍ରମୁଖ ଯୋଗ ଦେଇଥିଲେ। ଏହା ପୂର୍ବରୁ ସିପିଆଇ ପକ୍ଷରୁ ଭାରତର ପ୍ରଥମ ମହିଳା ଶିକ୍ଷକ ତଥା ଶିକ୍ଷାବିତ୍‌ ସାବିତ୍ରୀବାଇ ପୁଲେଙ୍କ ଜୟନ୍ତୀକୁ ନାରୀ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଥିଲା।

ସମ୍ବନ୍ଧିତ ଖବର