ସିପିଆଇ ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ, ଖୋର୍ଦ୍ଧା ଡିଆରଏମ୍‌ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଦ୍ରକ: କୋଭିଡ ପ୍ରଭାବରେ ବଂଦ ହୋଇ ରହିଥିବା ବିଭିନ୍ନ ପାସେଞ୍ଜର ଟ୍ରେନ ଯଥା ଖଡଗପୁର-ଖୋର୍ଦ୍ଧା ରୋଡ ପାସେଞ୍ଜର ଟ୍ରେନ, ହାୱଡା- ପୁରୀ ପାସେଞ୍ଜର ଟ୍ରେନ ଭାୟା ନରାଜ, ଭଦ୍ରକ – ବ୍ରହ୍ମପୁର ମେମୁ ପାସେଞ୍ଜର ଟ୍ରେନ୍ ଗୁଡିକୁ ଅବିଳମ୍ବେ ଚାଲୁ କରିବା, ଅନ୍ୟାୟ ଭାବେ ସମସ୍ତ ପାସେଞ୍ଜର ଟ୍ରେନ୍‌ରେ ନିଆଯାଉଥିବା ଏକ୍ସପ୍ରେସ ଟ୍ରେନ୍ ପାଇଁ ଉଦ୍ଦିଷ୍ଟ ଭଡାକୁ ପ୍ରତ୍ୟାହାର କରି କରୋନା ପୂର୍ବପରି ପାସେଞ୍ଜର ଟ୍ରେନ୍ ପାଇଁ ଉଦ୍ଦିଷ୍ଟ ଭଡା ଲାଗୁ କରିବା କୁ ଭାରତର କମ୍ୟୁନିଷ୍ଟ ପାର୍ଟି ( ମାର୍କ୍ସବାଦୀ ) ଭଦ୍ରକ ଜିଲ୍ଲା କମିଟି ଦାବି କରି ଭଦ୍ରକ ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଖୋର୍ଦ୍ଧା ମଣ୍ଡଳ ରେଳ ପରିଚାଳକଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଷ୍ଟେସନ ପରିଚାଳକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଭଦ୍ରକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ଅଧିକାଂଶ ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସ ଯଥା ସନ୍ତ୍ରାଗାଛ୍ଛି – ତିରୁପତି ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ, ହାୱଡା – ଯଶୱନ୍ତପୁର ଏ ସି ସୁପରଫାଷ୍ଟ ଏକ୍ସପ୍ରେସ, ହାୱଡା – ସତ୍ୟସାଇ ପ୍ରଶାନ୍ତି ନିଳୟମ୍ ଏକ୍ସପ୍ରେସ, ହାୱଡା – ପୁଡୁଚେରୀ ସୁପରଫାଷ୍ଟ ଏକ୍ସପ୍ରେସ, ଖଡଗପୁର – ଭିଲ୍ଲୁପୁରମ୍ ସୁପରଫାଷ୍ଟ ଏକ୍ସପ୍ରେସ, ପୁରୁଲିଆ – ଭିଲ୍ଲୁପୁରମ୍ ଏକ୍ସପ୍ରେସ, ନୂଆ ଜଲପାଇଗୁଡି – ଚେନ୍ନାଇ ଏକ୍ସପ୍ରେସ, କାମାକ୍ଷା – ଯଶୱନ୍ତପୁର ଏ ସି ଏକ୍ସପ୍ରେସର ରହଣି ଭଦ୍ରକ ଷ୍ଟେସନ ରେ ହେବାକୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏହି ସ୍ମାରକପତ୍ର ରେ ଦର୍ଶାଯାଇଛି । ଦାବୀ ପୂରଣ ନହେଲେ ଆସନ୍ତା 7 ଦିନ ପରେ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ଏକ ବୃହତ ଗଣଧାରଣା ଦିଆଯିବାକୁ ସିପିଆଇ(ଏମ) ପକ୍ଷରୁ ଘୋଷଣା କରାଯାଇଛି । ଏହି ବିକ୍ଷୋଭ ଆନ୍ଦୋଳନରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ , ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ର ଶେଖର ନାୟକ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ନିରଞ୍ଜନ ପାଣି, ନବକିଶୋର ବେହେରା,ଚନ୍ଦ୍ରମୋହନ ହେମ୍ଭ୍ରମ, ରମେଶ ବାରିକ, ଛାତ୍ର ନେତା ଷ୍ଟାଲିନ ଟିଟନ ଲେଙ୍କା, ଯୁବ ନେତା ଦୀପକ ଦାସ,ମୁକ୍ତିକାନ୍ତ ବାରିକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ସମ୍ବନ୍ଧିତ ଖବର