ସିପିଆଇ ରାଜ୍ୟ ସମ୍ମିଳନୀ, ପ୍ରତିକୂଳ ସ୍ଥିତିରେ ବି ଭାରତ କ୍ୟୁବାର ହାତ ଛାଡ଼ିନି: ରାଷ୍ଟ୍ରଦୂତ

ପ୍ରଦୂଷଣ, ଚିଟ୍‌ଫଣ୍ଡ, ଶ୍ରମିକ ବକେୟା ପାଇଁ ଦୁର୍ବାର ଲଢ଼େଇ ହେବ

ପୁରୀ : ଭାରତ-କ୍ୟୁବାର ଦିପାକ୍ଷିକ ସଂପର୍କ ଅତି ଘନିଷ୍ଠ। ଆମେରିକା ଭଳି ବିକଶିତ ଦେଶ କ୍ୟୁବା ଉପରେ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇଥିଲେ ବି ଭାରତ ବାଣିଜ୍ୟିକ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇ ଆସିଛି। ସବୁ ପ୍ରତିକୂଳ ପରିସ୍ଥିତିରେ ଆମ ସହ ଛିଡ଼ା ହୋଇଛି, କେବେ ବି ହାତ ଛାଡ଼ିନି। ଆଜି ସିପିଆଇ ରାଜ୍ୟ ସମ୍ମିଳନୀରେ ଯୋଗଦେଇ କ୍ୟୁବା ରାଷ୍ଟ୍ରଦୂତ ଆଲ୍‌ଜେଣ୍ଡ୍ରୋ ସିମୋନ୍‌କିସ୍‌ ମେରିନ୍‌ ଏହା କହିଛନ୍ତି। ପୁରୀ ପୌରସଦନଠାରେ ଆୟୋଜିତ ସିପିଆଇର ୨୩ତମ ରାଜ୍ୟ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମେରିନ୍‌ କହିଛନ୍ତି, ଆଜି ଆମେରିକା କ୍ୟୁବା ଉପରେ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇଛି। ଆମେରିକାର ଚାପ ଏଭଳି ରହିଛି କି ସାରା ବିଶ୍ବ ବି ତା’ କଥାରେ ରାଜି ହେବାକୁ ବାଧ୍ୟ ହେଉଛି। ଆମେରିକାର ଏହି ବାଣିଜ୍ୟିକ ପ୍ରତିବନ୍ଧକ ବିରୋଧରେ କ୍ୟୁବା ଯେଉଁ ବିପ୍ଲବ କରୁଛି, ସେଥିରେ ଭାରତର ସହଯୋଗ ପ୍ରଂଶସନୀୟ। ଅନେକ ପ୍ରତିକୂଳ ପରିସ୍ଥିତିରେ ବି ଭାରତ ସହ ଆମ ସଂପର୍କ ଅତୁଟ ରଖିଛି। ଭାରତ ଓ କ୍ୟୁବାର ସିପିଆଇ ଭିତରେ ଭଲ ସମ୍ପର୍କ ରହିଛି, ଆଗକୁ ବି ଏହା ଅବ୍ୟାହତ ରହିବ ବୋଲି ଆଶା ରଖୁଛି ବୋଲି ଶ୍ରୀ ମେନନ୍‌ କହିଛନ୍ତି।

ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସିପିଆଇର କର୍ମକର୍ତ୍ତାମାନେ ବିଭିନ୍ନ ପ୍ରସ୍ତାବ ରଖିଥିଲେ ଓ ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ସିପିଆଇ ନେତା ଜୟନ୍ତ ଦାସ କହିଥିଲେ, ଚିଟ୍‌ଫଣ୍ଡ ମହାଦୁର୍ନୀତି ତଦନ୍ତ ଏବେ ବାଟବଣା। ସେତେବେଳେ ଜମାକାରୀଙ୍କ ଟଙ୍କା କମ୍ପାନିମାନେ ଠକି ନେଇଥିଲେ, ଏବେ ରାଜ୍ୟ ସରକାର ଠକୁଛନ୍ତି। ୨୦୦୧ ମସିହାରୁ ଜନଗଣଙ୍କ ସଞ୍ଚିତ ଟଙ୍କାରେ କମ୍ପାନିମାନେ ଶିଳ୍ପ, ବ୍ୟବସାୟର ପସରା ମେଲାଇଲେ। ସରକାର ଏହାକୁ ପ୍ରୋତ୍ସାହନ ଦେଲେ। ଲୋକେ ସରକାରଙ୍କୁ ବିଶ୍ଵାସ କରି ଟଙ୍କା ଦେଇ ଏ ମହାଠକାମୀର ଶିକାର ହେଲେ। ୨୦୧୨-୧୩ରେ ଏହି ଠକାମୀ ଜଣାପଡ଼ିବା ପରେ ସରକାର ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାକୁ ସିଲ୍‌ କଲେ। ଜମାକାରୀମାନେ ଆନ୍ଦୋଳନକୁ ଓହ୍ଲାଇବାରୁ ସରକାର ଏହାର ତଦନ୍ତ ଭାର କ୍ରାଇମଵ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ଦେଲେ। ପରେ ତଦନ୍ତ କମିସନ ନିଯୁକ୍ତି ଦେଇଥିଲେ। ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ତିନି ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା ହେଲା। କିନ୍ତୁ ଜମାକାରୀ ଟଙ୍କା ପାଇଲେନି। ଏଣୁ ତୁରନ୍ତ ଜମାକାରୀଙ୍କୁ ଟଭ୍କାପ୍ରଦାନ ସହ ବାକି ଟଙ୍କା ବି ଫେରସ୍ତ ଦେବାର ବ୍ୟବସ୍ଥା କରିବାକୁ ସେ ଦାବି ରଖିଛନ୍ତି। ଏଣୁ ଏହା ବିରୋଧରେ ସିପିଆଇ ଆରମ୍ଭରୁ ଆନ୍ଦୋଳନ କରି ଆସୁଛି, ଏବେ ବି ଜାରି ରହୁ ବୋଲି ଶ୍ରୀ ଦାଶ କହିଛନ୍ତି।

ଏହି ଅବସରରେ ନେତାମାନେ ଜୟପୁର କାଗଜ କଳ ଶ୍ରମିକଙ୍କ ‌ବକେୟା, ପ୍ରଦୂଷଣମୁକ୍ତ ପରିବେଶ ଉପରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ଦେଇଥିଲେ। ଜୟପୁର କାଗଜକଳର ‌ଅନେକ ଶ୍ରମିକଙ୍କୁ ବହୁ ବର୍ଷ ହେଲାଣି ବକେୟା ମଜୁରି ମିଳିନି, ଏହା ବିରୋଧରେ ଅନ୍ଦୋଳନ ପାଇଁ ଦଳୀୟ ନେତାମାନେ ମତ ଦେଇଥିଲେ। ସେହିଭଳି ସୁନ୍ଦରଗଡ଼ର ସିପିଆଇ ନେତା ରାଜେନ୍ଦ୍ର କୁମାର ନାଏକ ବିଭିନ୍ନ ଆଳରେ ପ୍ରଦୂଷଣ ଆଇନକୁ ଉଲ୍ଲଂଘନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଖଣି କାରଖାନା ପାଇଁ ଆଜି ପ୍ରଭାବିତ ଓ ଶ୍ରମିକଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି।ଏହା ବିରୋଧରେ ଆନ୍ଦୋଳନ ହେବା ଜରୁରୀ ବୋଲି ଶ୍ରୀ ନାଏକ ମତ ଦେଇଥିଲେ। ସମ୍ମିଳନୀରେ ସିପିଆଇ ଜାତୀୟ ସଂପାଦକ ପଲ୍ଲବ ସେନଗୁପ୍ତ ସ୍ବାଗତ ଭାଷଣ ଦେଇଥିଲେ। ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁ୍ନ୍‌ଗୋ, ଭାରତୀ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂସଦର ସାଧାରଣ ସଂପାଦକ ବିଜୟ କୁମାର ପଢ଼ିଆରୀ, ସିପିଆଇ ‌କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ରାମକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର