ଭୁବନେଶ୍ବର: ୨୦୨୪ ସଂସଦୀୟ ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ବିକଳ୍ପ ଶକ୍ତି ଭାବରେ ଉଭା କରିବା ସହିତ ବିଜେପିକୁ ପରାଜିତ କରିବା ପାଇଁ ସିପିଆଇ ସମସ୍ତ ପ୍ରକାର ଉଦ୍ୟମ କରିବ। ଓଡ଼ିଶା ସମେତ ସମଗ୍ର ଦେଶରେ ପ୍ରାର୍ଥୀ ଦିଆଯିବ। ଭୁବନେଶ୍ବରରେ ଆୟୋଜିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଭଗବତୀ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି, ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ଏହା ସ୍ପଷ୍ଟ ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ଧର୍ମନିରପେକ୍ଷ ଏବଂ ଦେଶପ୍ରେମୀ ଶକ୍ତିଙ୍କୁ ଏକାଠି ଲଢିବାକୁ ପଡ଼ିବ। ଦଳ ପକ୍ଷରୁ କୃଷକ ଏବଂ ଶ୍ରମିକଙ୍କ ସଂଗ୍ରାମ ପ୍ରତି ଦୃଢ ସଂହତି ପ୍ରକାଶ ପାଇଛି। ଆନ୍ଦୋଳନରତ ଅଙ୍ଗନବାଡି, ଆଶା ଏବଂ ପାଚିକା ଭଳି କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପାଇଁ ଦାବି କରାଯାଉଛି। ସେମାନଙ୍କ ଧର୍ମଘଟକୁ ଦଳ ସମର୍ଥନ କରୁଛି।
ଏହି ଅବସରରେ ପାର୍ଲାମେଣ୍ଟ ସୁରକ୍ଷା ବ୍ୟବସ୍ଥା ନେଇ ସିପିଆଇ ଉଦ୍ବେଗ ପ୍ରକାଶ କରିଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ସଂସଦରେ ନକହି ବାହାରେ ମତ ଦେବା ସଂସଦକୁ ଅପମାନ ଅଟେ। କୌଣସ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଗୃହକୁ ଆସନ୍ତି ନାହିଁ କି ଅଂଶଗ୍ରହଣ କରନ୍ତି ନାହିଁ କିନ୍ତୁ ସଂସଦୀୟ ବିଶୃଙ୍ଖଳା ପାଇଁ ବିରୋଧୀଙ୍କୁ ଦାୟୀ କରନ୍ତି। ନୂତନ ସଂସଦୀୟ ଭବନ ଉଦଘାଟନ ଓଡ଼ିଶା ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା କରାନଯିବା ଦୁର୍ଭାଗ୍ୟଜନକ। ସେ ଆଦିବାସୀ ମହିଳା ହୋଇଥିବାରୁ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ ହୋଇଥିବା ଡି.ରାଜା ଅଭିଯୋଗ କରିଛନ୍ତି। ଆଜି ପର୍ଯ୍ୟନ୍ତ ବିଜେପି ସରକାର କେବଳ ଲୋକଙ୍କୁ ଠକି ଚାଲିଛି। ୧୮ କୋଟି ଚାକିରି ଠାରୁ ଆରମ୍ଭ କରି ଦରବୃଦ୍ଧି ନିୟନ୍ତ୍ରଣ ପର୍ଯ୍ୟନ୍ତ ଗୋଟିଏ ଉଦାହରଣ। ଏହି ଅବସରରେ ଦଳ ପକ୍ଷରୁ ୩୭୦ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟର ରାୟକୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ଏହା ପରେ ସଂଘୀୟ ବ୍ୟବସ୍ଥା ବିପନ୍ନ ହେବ। ଓଡ଼ିଶାରେ ବିଜେଡି-ବିଜେପି ବୁଝାମଣାରେ କାର୍ଯ୍ୟ କରୁଛନ୍ତି। କନ୍ଧମାଳ ଦଙ୍ଗା ପରେ ମଧ୍ୟ ବିଜେପିକୁ ଦଳ ମୁଖ୍ୟମନ୍ତ୍ରୀ ଚିହ୍ନି ପାରିଲେ ନାହିଁ। ବିଜେପି ସରକାରଙ୍କ ସମସ୍ତ ଜନବିରୋଧୀ ନୀତିକୁ ବିଜେଡି ସମର୍ଥନ କରୁଛି। ଓଡ଼ିଶାରେ ଉଭୟ ଦଳକୁ ପରାସ୍ତ ପାଇଁ ସିପିଆଇ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା। ଏଥିରେ ପାର୍ଟିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଏବଂ ଅଭୟ ନାୟକ ଉପସ୍ଥିତ ଥିଲେ।