ସିପିଆଇଏମ୍‌ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର : ନୂତନ ଭାରତ ନିର୍ମାଣ ପାଇଁ ବିକଳ୍ପ ନୀତି ଜରୁରୀ: ୟେଚୁରୀ

ଭୁବନେଶ୍ୱର : ଆଜିର ସମୟରେ ଦେଶ ଏକ ଭୟାନକ ପରିସ୍ଥିତି ଦେଇ ଗତି କରୁଛି। ଆର୍ଥିକ ଦୃଷ୍ଟିରୁ ଦେଶ ଓ ଲୋକଙ୍କ ଅବସ୍ଥା ଦୋହଲି ଯାଇଥିବା ବେଳେ ସାଂପ୍ରଦାୟିକ ଶକ୍ତିମାନେ ଦେଶର ଏକତା ଓ ଅଖଣ୍ଡତା ଉପରେ ପ୍ରହାର କରି ଚାଲିଛନ୍ତି। ସାମ୍ବିଧାନିକ ସଂସ୍ଥା ଉପରେ ପ୍ରହାର ହେଉଛି। ତେଣୁ ଦେଶକୁ ଏହି ପରିସ୍ଥିତିରୁ ମୁକୁଳାଇବାକୁ ହେଲେ ଆଗାମୀ ନିର୍ବାଚନରେ ବିଜେପି ସରକାରକୁ ହଟାଇବାକୁ ପଡ଼ିବ। ବିକଳ୍ପ ନୀତି ଆପଣାଇବା ସହିତ ଜନ ଆନ୍ଦୋଳନକୁ ତୀବ୍ର କରିବା ଜରୁରୀ। ଫଳରେ ଏକ ନୂତନ ଭାରତର ନିର୍ମାଣ ହୋଇପାରିବ ବୋଲି କହିଛନ୍ତି ସିପିଆଇଏମ୍‌ର ସାଧାରଣ ସଂପାଦକ ସୀତାରାମ ୟେଚୁରୀ।

ଆଜି ସିପିଆଇଏମ୍‌ ରାଜ୍ୟ କମିଟି ପକ୍ଷରୁ ଇନ୍‌ଷ୍ଟିଚ୍ୟୁସନ୍‌ ଅଫ ଇଞ୍ଜିନିୟର୍ସ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନା ସଭାରେ ଶ୍ରୀ ୟେଚୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସାଂପ୍ରତିକ ଜାତୀୟ ପରିସ୍ଥିତି ଓ ବାମପନ୍ଥୀମାନଙ୍କ ଦାୟିତ୍ୱ’ ଉପରେ ବକ୍ତବ୍ୟ ରଖି କହିଲେ, ଆର୍ଥିକ ଦୃଷ୍ଟିରୁ ଦେଶ ଏକ ଖରାପ ସମୟ ଦେଇ ଗତି କରୁଛି। ୨୦୧୭ ମସିହାରେ ଦେଶର ୧ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଲୋକଙ୍କ ପାଖରେ ଦେଶର ୭୩ପ୍ରତିଶତ ଧନ ରହିଥିବା ଜଣାପଡ଼ିଥିଲା। ଅପରପକ୍ଷେ ଦେଶରେ ପ୍ରତିବର୍ଷ ୨୦ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି। କେନ୍ଦ୍ର ସରକାର ପୁଞ୍ଜିପତିମାନଙ୍କୁ ୨ଲକ୍ଷ ୬୪ହଜାର କୋଟି ଟଙ୍କାର ଋଣ ଛାଡ଼ କରିଥିବା ବେଳେ ଦେଶର ସମସ୍ତ ଚାଷୀଙ୍କ ପାଇଁ ଆବଶ୍ୟକ ୧ଲକ୍ଷ ୨୦ହଜାର କୋଟି ଟଙ୍କା ଛାଡ଼ କରିବାକୁ ରାଜି ନୁହନ୍ତି।

ସିପିଆଇଏମ୍‌ର ରାଜ୍ୟ ସଂପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତିଙ୍କ ସଭାପତିତ୍ୱରେ ଆୟୋଜିତ। କାର୍ଯ୍ୟକ୍ରମରେ ସିପିଆଇଏମ୍‌ ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସଂପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତା ବେଳେ ୟେଚୁରୀ କହିଲେ, ତୃତୀୟ ସାମ୍ମୁଖ୍ୟ ନେଇ ନିଷ୍ପତ୍ତି ହୋଇନାହିଁ। ନିର୍ବାଚନ ପରେ ତୃତୀୟ ସାମ୍ମୁଖ୍ୟ ସଂପର୍କରେ ନିଷ୍ପତ୍ତି ନିଆଯିବ। ପୂର୍ବରୁ ମିଳିତ ସାମ୍ମୁଖ୍ୟରେ ଦେବେଗୌଡ଼ା ପ୍ରଧାନମନ୍ତ୍ରୀ ହୋଇଥିଲେ ଓ ୨୦୦୪ ମସିହାରେ ଏହିଭଳି ଢଙ୍ଗରେ କଂଗ୍ରେସ ସରକାର ଗଢ଼ିଥିଲା ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ସିପିଆଇଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ। ସେ କହିଥିଲେ ଯେ, ଆସନ୍ତା ନିର୍ବାଚନରେ ଦେଶର ସମସ୍ତ ଧର୍ମନିରପେକ୍ଷ ଦଳ ଏକାଠି ହୋଇ ନିର୍ବାଚନ ଲଢ଼ିବାର ଆବଶ୍ୟକତା ରହିଛି। ବିଜେଡି ଏକ ଧର୍ମନିରପେକ୍ଷ ଦଳ। ଧର୍ମନିରପେକ୍ଷ ଦଳମାନଙ୍କ ମଧ୍ୟରେ ବିଜେଡି ନିଜକୁ ସାମିଲ କରୁ ଆମେ ଚାହୁଁଛୁ। ତେବେ ଆସନ୍ତା ନିର୍ବାଚନରେ ଧର୍ମନିରପେକ୍ଷ ଦଳମାନଙ୍କ ମଧ୍ୟରେ କେଉଁ ଦଳ ଏହାର ନେତୃତ୍ୱ ନେବ ତାହା ପରେ ସ୍ଥିର କରାଯିବ।

‘ବିଜେପିରେ ଦୁର୍ଯ୍ୟୋଧନ ଓ ଦୁଃଶାସନ ଭଳି ଚରିତ୍ର ଅଛନ୍ତି’

ସୀତାରାମ ୟେଚୁରୀ କହିଥିଲେ, ବିଜେପିର ଅନେକ ନେତା ରାମାୟଣ ସମ୍ପର୍କରେ ବହୁତ କିଛି ଉଲ୍ଲେଖ କରୁଛନ୍ତି। କିନ୍ତୁ ମହାଭାରତରୁ ବହୁତ କିଛି ଶିଖିବାର ଅଛି। କୌରବ ଶହେ ଭାଇ ଥିଲେ ହେଁ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କୁ ଛାଡ଼ିଦେଲେ ଅନ୍ୟ ଭାଇଙ୍କ ନାଁ କେହି ଜାଣନ୍ତି ନାହିଁ। ବିଜେପିରେ ମଧ୍ୟ ଏହିଭଳି ଦୁଇ ଚରିତ୍ର ରହିଛନ୍ତି। ସେ ଦୁର୍ଯୋଧନ ଓ ଦୁଃଶାସନ କାହାକୁ ଇଙ୍ଗିତ କରୁଛନ୍ତି ବୋଲି ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ ହେଁ ସେ ଏହାକୁ ଏଡ଼ାଇ ଯାଇଥିଲେ। କହିଥିଲେ, ସମଝ୍‌ଦାରୋଁ କୋ ଇସାରା କାଫି ହୈ…

ସମ୍ବନ୍ଧିତ ଖବର