ଭୁବନେଶ୍ୱର : ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଭାର ଗଂଜାମ ଜିଲ୍ଲା ସଭାପତି ନିରାକାର ନାୟକଙ୍କୁ ତୁରନ୍ତ ଖଲାସ ଦାବିରେ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ସିପିଆଇ(ଏମ୍.ଏଲ), ଚାଷୀ ମୂଲିଆ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୨୦୧୧ ମସିହାରେ ରୁଜୁ ହୋଇଥିବା ଏକ ମାମଲାରେ ଅଭିଯୁକ୍ତ ଦର୍ଶାଇ ତାଙ୍କୁ ଗତ ୧ ତାରିଖରେ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦେଶଦ୍ରୋହ, ସହରାଞ୍ଚଳ ପୁଲିସ ଆଇନ (ୟୁପିଏ) ଭଳି ସଙ୍ଗିନ ଦଫା ମଧ୍ୟ ଲଗାଯାଇଛି ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। ଚାଷୀ ମୂଲିଆ ସଂଘର ଗଞ୍ଜାମ ସଭାପତି ଭାବେ ଜିଲ୍ଲାରେ ଗରିବ, ଚାଷୀ, ମୂଲିଆଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଉଥିବା ଏହି ନେତାଙ୍କ ବିରୋଧରେ ଏହା ଏକ ଷଡ଼୍ଯନ୍ତ୍ର ବୋଲି ସିପିଆଇ(ଏମ୍.ଏଲ୍) ରାଜ୍ୟ କମିଟି ପକ୍ଷରୁ ଶ୍ରୀକାନ୍ତ ମହାନ୍ତି, ବଟକୃଷ୍ଣ ସ୍ବାଇଁ, ମୋହନ ନାଇଡୁ, ସୀତେଶ ପାଣିଗ୍ରାହୀ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା ପ୍ରମୁଖ କହିଛନ୍ତି।
ସେମାନଙ୍କ ଅଭିଯୋଗ ମୁତାବକ, ଜଗନ୍ନାଥପ୍ରସାଦ ଚୁଡ଼ାଖାଇ ଗ୍ରାମରେ ଦଳିତଙ୍କୁ ମିଳିଥିବା ସିଲିଂ ଜମିକୁ ପ୍ରଶାସନ ଜଣେ ଆନ୍ଧ୍ର ମାଫିଆଙ୍କୁ ଦେଇ ଦେବା ପାଇଁ କରିଥିବା ଷଡ଼୍ଯନ୍ତ୍ର ନିରାକାରଙ୍କ ଆନ୍ଦୋଳନ ଯୋଗୁଁ ଭଣ୍ଡୁର ହୋଇଥିଲା। ଏଭଳି ଅନେକ ଉଦାହରଣ ରହିଛି, ଯେଉଁଠି ଗରିବଙ୍କ ସ୍ବାର୍ଥ ପାଇଁ ତାଙ୍କ ଲଢ଼େଇର ପ୍ରମାଣ ରହିଛି। ପୂର୍ବରୁ ତାଙ୍କୁ ଦୁଇ ଥର ଦେଶଦ୍ରୋହ ଦଫାରେ ମଧ୍ୟ ଗିରଫ କରାଯାଇଛି। ଗତ ୧ ତାରିଖ ଦିନ ସେ ଏଭଳି କେତେକ ପ୍ରସଙ୍ଗକୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଛତ୍ରପୁର ଯାଉଥିବା ବେଳେ ତାଙ୍କୁ ରାସ୍ତାରେ ଅଟକାଇ ୮ ବର୍ଷ ତଳର ପୁରୁଣା ମାମଲାରେ ଗିରଫ କରାଯାଇଛି। ୨୦୧୧ ମସିହାରୁ ସେ ଅନେକଥର ଗିରଫ ହେବା ସହ ଜେଲ୍ରୁ ଫେରି ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ ବେଳେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇପାରିଥାନ୍ତା। ୮ ବର୍ଷ ପରେ ଗିରଫ କରିବାର ଉଦ୍ଦେଶ୍ୟ କ’ଣ ବୋଲି ବିକ୍ଷୋଭକାରୀ ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚାଷୀ ମୂଲିଆ ସଂଘ ରାଜ୍ୟ କମିଟି ସଦସ୍ୟ ନିରାକାର ଗତ ନିର୍ବାଚନରେ ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ସିପିଆଇ(ଏମ୍.ଏଲ୍) ବିଧାୟକ ପ୍ରାର୍ଥୀ ହୋଇଥିଲେ।