ଜନାର୍ଦ୍ଦନ ପତିଙ୍କର ଜୋରଦାର୍‌ ନିର୍ବାଚନ ପ୍ରଚାର, ଜନସାଧାରଣଙ୍କର ବିପୁଳ ସମର୍ଥନ

ଭୁବନେଶ୍ୱର : କଂଗ୍ରେସ ଓ ବାମପନ୍ଥୀଙ୍କର ମିଳିତ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କର ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ତୁଙ୍ଗରେ ପହଞ୍ଚିଛି ଓ ଜନସାଧାରଣ ବିଭିନ୍ନ ସ୍ଥାନରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଜି ସକାଳୁ ରାଜଧାନୀର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ୍ ଓ ବୀମା ଅଫିସ୍ ଗୁଡିକରେ ଜନାର୍ଦ୍ଦନ ପତି ବୁଲି ଦେଶର ବ୍ୟାଙ୍କିଙ୍ଗ୍ ଓ ବୀମା ବ୍ୟବସ୍ଥାର ସୁରକ୍ଷା ପାଇଁ ବିଜେପିକୁ ପରାସ୍ତ କରିବା ପାଇଁ ନିବେଦନ କରିଥିଲେ । ଚିଟ୍ ଫଣ୍ଡ୍ ଦୁର୍ନୀତିରେ ସଂପୃକ୍ତ ବିଜେଡିକୁ ମଧ୍ୟ ପରାସ୍ତ କରି ବାମପନ୍ଥୀ ଧର୍ମ ନିରପେକ୍ଷ ଶକ୍ତିର ମିଳିତ ପ୍ରାର୍ଥୀଙ୍କୁ ଦା, ହାତୁଡି, ତାରା ଚିହ୍ନରେ ଲୋକସଭା ଆସନରେ ଏବଂ ହାତ ଚିହ୍ନରେ ବିଧାନସଭା ଆସନରେ ଜିତାଇବା ପାଇଁ ଆହ୍ୱାନ କରିଥିଲେ । ପ୍ରତିଟି ଅଫିସରେ କର୍ମଚାରୀ ଓ ଅଫିସରମାନେ ଶ୍ରୀପତିଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ ।

ସଂନ୍ଧ୍ୟାରେ ଏକାମ୍ର ନିର୍ବାଚନମଣ୍ଡଳୀରେ ଯଦୁପୁର ସଂଖ୍ୟାଲଘୁ ବସ୍ତି, ରଘୁନାଥପୁର ଓ ଡୁମଡୁମା ଅଞ୍ଚଳରେ ପଥପ୍ରାନ୍ତ ସଭାରେ ଉଦ୍‌ବୋଧନ ଦେଇ ଜନାର୍ଦ୍ଦନ ପତି କହିଲେ ଯେ ସଂଖ୍ୟାଲଘୁ ଓ ଦଳିତମାନଙ୍କ ଉପରେ ଆକ୍ରମଣ ମୋଦି ଶାସନରେ ବହୁଗୁଣ ବଢିଛି । ଏହା କେବଳ ସେହି ସଂପ୍ରଦାୟ ଉପରେ ଆକ୍ରମଣ ନୁହେଁ । ଏହା ଦେଶର ସମ୍ବିଧାନ ଓ ଗଣତବ ଉପରେ ଆକ୍ରମଣ । ମୋଦି ସରକାର ଓ ସଂଘ ପରିବାରର ଉଦ୍ଦେଶ୍ୟ ହେଉଛି ଦରଦାମ ବୃଦ୍ଧି , ନୋଟ ବନ୍ଦି ଓ ଜି.ଏସ୍.ଟି. ଯୋଗୁଁ ନିଯୁକ୍ତି ହ୍ରାସ, କୃଷି ସଙ୍କଟ ଓ ଚାଷୀ ଆତ୍ମହତ୍ୟା ପରି ଘଟଣାରୁ ଲୋକଙ୍କର ଦୃଷ୍ଟି ଫେରାଇ ନେଇ ଆଦାନୀ, ଆମ୍ବାନୀଙ୍କ ପରି ପୁଞ୍ଜିପତିଙ୍କର ମୁନାଫା ବଢାଇବା । ଏ ପ୍ରକାର ଦେଶ ବିରୋଧୀ ଓ ଜନବିରୋଧୀ ବିଜେପିକୁ ପରାସ୍ତ କରିବା ସହିତ ବିଜେପିର ସମସ୍ତ କୁକାର୍ଯ୍ୟକୁ ସମର୍ଥନ କରି ଚାଲିଥିବା ବିଜେଡିକୁ ମଧ୍ୟ ପରାସ୍ତ କରିବାକୁ ସେ ଆହ୍ୱାନ କରିଥିଲେ ।

ଏହି ସଭା ଗୁଡିକରେ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ, ଯୁବ ନେତା ଭାଗିରଥୀ ପ୍ରଧାନ ଓ ପ୍ରଗତିଶୀଳ ନାଗରିକ କମିଟିର ସଭାପତି ଇଂ ମନମୋହନ ପତି ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଏସବୁ ସଭାରେ ଯୁବକ ଓ ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର