ଏହା ଲ୍ୟାଣ୍ଡ୍ ଫର୍ ଲ୍ୟାଣ୍ଡ ସ୍କିମ୍ ନୁହେଁ: ବିଜୟ
ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ବିବାଦ ଥମୁନି, ବରଂ ତେଜିବାରେ ଲାଗିଛି। ଶନିବାର ପୁରୀ ଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତି ଜାରି କରିବା ପରେ ମଧ୍ୟ ବିରୋଧୀ ରାଜନୈତିକ ଦଳ ନଛୋଡ଼ବନ୍ଧା। ଆଜି ଭୁବନେଶ୍ବରରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପୁରୀ ଜିଲ୍ଲା ପ୍ରଶାସନକୁ ଏହି ପ୍ରସଙ୍ଗରେ କାଠଗଡାକୁ ଟାଣିଆଣିଥିବା ବେଳେ ଅନ୍ୟପଟରେ ସ୍ଥାନୀୟ ଅଞ୍ଚଳରେ ଧାରଣା ଜାରି ରହିଛି ଓ ସିପିଏମ୍ ଆଜି ଏଥିରେ ସାମିଲ ହୋଇଛି।
ଦାନସୂତ୍ରରେ ମିଳିଥିବା ଜମିକୁ କେଉଁ ଅଧିକାରରେ ଜିଲ୍ଲା ପ୍ରଶାସନ ଲଜ୍ ମାଲିକଙ୍କୁ ବିକ୍ରି କରିଛି ସେ ନେଇ ବିକ୍ଷୋଭକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ବିସ୍ଥାପିତଙ୍କୁ ଧର୍ମଶାଳା ଜମିର ୧୨ ପ୍ରତିଶତ ଦିଆଯାଇଥିବା ପ୍ରଶାସନର ପ୍ରତିକ୍ରିୟାକୁ ମଧ୍ୟ କଡ଼ା ବିରୋଧ କରାଯାଇଛି।
ଆଜି ଭୁବନେଶ୍ବରରେ ବିଜୟ ମହାପାତ୍ର ସାମ୍ବାଦିକମାନଙ୍କ ସାମ୍ନାରେ ଜିଲ୍ଲା ପ୍ରଶାସନ ବିରୋଧରେ ଗର୍ଜିଛନ୍ତି। ଏଥିରେ ନିଜର ଦଳର ନେତାଙ୍କୁ ବି ତେରଛା ବାଣ ମାରିବାକୁ ସେ ଭୁଲିନାହାନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ପ୍ରଥମ ଦଫାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଅନେକ ମଠ ଭଙ୍ଗା ହେଲା। ସେ ସମୟରେ କେହି ମୁହଁ ଖୋଲିଲେ ନାହିଁ। ଏବେ ବଗଲା ଜମି ବିକ୍ରି ବେଳକୁ ସମସ୍ତେ ଚେତୁଛନ୍ତି। ବଗଲା ବିକ୍ରି ପ୍ରସଙ୍ଗଟି ଏବେ ସବୁଠାରୁ ଚର୍ଚ୍ଚିତ ଘଟଣା। ପୁରୀ ବଗଲା ଧର୍ମଶାଳା ଜମି ହେଉଛି ଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତି। ଆଇନ ଅନୁଯାୟୀ ଏହାର ମାର୍ଫତଦାର ହେଲା ଶ୍ରୀମନ୍ଦିର ପ୍ରଶାସନ। ଏହାକୁ ବିକ୍ରି କରି ପୁରୀ ଜିଲ୍ଲାପାଳଙ୍କ ସମେତ କିଛି ମୁଷ୍ଟିମେୟ ଅଫିସର ସାରା ରାଜ୍ୟ କଣ ଦେଶରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେତେବେଳେ ଓ କେଉଁ ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ବିକ୍ରିକୁ ଅନୁମୋଦନ ଦେଲା? ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜ ଏ ବିଷୟରେ ଅବଗତ ଅଛନ୍ତି କି? ବାସ୍ତବରେ ପୁରୀ ସୌନ୍ଦର୍ଯ୍ୟକରଣ ଓ ଶ୍ରୀମନ୍ଦିର ସୁରକ୍ଷା ନାଁରେ ଗୋଟିଏ ବିରାଟ ଷଡ଼ଯନ୍ତ୍ର ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।
ସେହିଭଳି ପୁରୀ ସୋନ୍ଦର୍ଯ୍ୟକରଣ ପାଇଁ ଓଡ଼ିଶାରେ ପ୍ରଚଳିତ ଆଇନ ଅନୁଯାୟୀ ସରକାର ଜମି ଅଧିଗ୍ରହଣ କରିନାହନ୍ତି। ଯେଉଁ ଚାରି ପାଞ୍ଚଜଣଙ୍କୁ ଜମି ଦେଇଛନ୍ତି ସେମାନେ ଲଜ ମାଲିକ ବୋଲି କୁହାଯାଉଛି। କିନ୍ତୁ ଆକ୍ଷରିକ ଅର୍ଥରେ ଦେଖିଲେ ସେମାନେ ବିସ୍ଥାପିତ ନୁହନ୍ତି। କାରଣ ସରକାର ସେମାନଙ୍କ ଠାରୁ ଜମି କିଣି ନେଇଛନ୍ତି। ଜମି, ତା ଉପରେ ନିର୍ମାଣର ମୂଲ୍ୟ ସହିତ ୧୦୦ ପ୍ରତିଶତ କ୍ଷତିପୂରଣ, ଆସବାବ ଆଦି ସ୍ଥାନାନ୍ତରଣ ଖର୍ଚ୍ଚ ଏବଂ ରେଜିଷ୍ଟ୍ରେସନ ଫି ଆଦି ସମସ୍ତଙ୍କୁ ଯଥେଷ୍ଟ ପରିମାଣର ଟଙ୍କା ଦିଆଯାଇଛି। ପୂରା ହିସାବନିକାଶ କଲେ ଦେଖାଯାଉଛି ଯେ ସରକାର ସେମାନଙ୍କ ଲଜିଂକୁ ପାଖାପାଖି ୪ ଗୁଣା ଦରରେ କିଣିଛନ୍ତି। ଅଧିଗ୍ରହଣ ନାଁରେ ସରକାର ପୂରା ସମ୍ପତ୍ତିକୁ କିଣିଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଏଇଥିପାଇଁ ଯେ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ଯେପରି ଆଗ୍ରହ ଓ ଆଇନ ବହିର୍ଭୁତ ଭାବେ ଜମି କିଣିଲେ ସେପରି ଯଦି ପୋସ୍କୋ, ମିତ୍ତଲ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ବାବଦରେ ସ୍ଥାନୀୟ ଲୋକଙ୍କୁ ଦିଆଯାଇଥାନ୍ତା ତାହେଲେ ବୋଧୁହୁଏ ଆଜି ସେଠାରେ ବଡ଼ ବଡ଼ କାରଖାନା ଠିଆ ହୋଇଥାନ୍ତା ଓ ରାଜ୍ୟର ଆର୍ଥିକ ପ୍ରଗତି ତ୍ବାରାନ୍ବିତ ହୋଇପାରିଥାନ୍ତା। ଏଣୁ ଏହା କେଉଁ ଆଇନ ତାକୁ ଜିଲ୍ଲା ପ୍ରଶାସନ ପ୍ରଥମେ ସ୍ପଷ୍ଟ କରିବା ଦରକାର।
ଶ୍ରୀ ମହାପାତ୍ର କହିଥିଲେ ଯେ କିଛି ମୁଷ୍ଟିମେୟ ଆଇଏଏସ୍ ଅଫିସର ଭାବୁଛନ୍ତି ଆମେ ସର୍ବେସର୍ବା। ଆମେ ଯାହା ଇଚ୍ଛା ହେବ ତାହା କରିବୁ। ଯେହେତୁ ବର୍ତ୍ତମାନ ପୌର ପରିଷଦ ନାହିଁ, ଜିଲ୍ଲାପାଳ ମନ ଇଚ୍ଛା ବିକିଦେଲେ। ବାମ ହାତରେ ଏହି ଜମି ନେଲେ ଓ ଡାହାଣ ହାତରେ ବିକ୍ରି କରିଦେଲେ। ଏହା କେଉଁ ଆଇନରେ ଲେଖା ଅଛି? ତୁରନ୍ତ ସେ ଅଫିସରଙ୍କୁ ବନ୍ଧା ଯିବା ଦରକାର ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗରେ ରାଜସ୍ୱ ବିଭାଗ, ଆଇନ ବିଭାଗ ଜବାବ ରଖିବା ଦରକାର ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ପୁରୀ ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ଦେଖିବାକୁ ମିଳିଛି। ଭକ୍ତଙ୍କ ସୁରକ୍ଷା ଓ ସୁବିଧାରେ ଯେପରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବେ ସେଥିପାଇଁ ସବୁବେଳେ କହିଆସିଛନ୍ତି। କାହିଁ କେତେବର୍ଷରୁ ଗରିବ ଭକ୍ତମାନେ ଅଳ୍ପ ଖର୍ଚ୍ଚରେ ବଗଲାରେ ରାତିରେ ରହି ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇଆସୁଥିଲେ। ଏବେ ସେମାନେ ସେ ସୁବିଧା ପାଇବାରୁ ବଞ୍ଚିତ ହେବେ। ଏ କଷ୍ଟ କଣ ମୁଖ୍ୟମନ୍ତ୍ରୀ ଜାଣିପାରୁନାହାନ୍ତି?
ସରକାର ଏହାର ପୂର୍ଣ୍ଣାଙ୍ଗ ତଦନ୍ତ କରନ୍ତୁ। ମୁଖ୍ୟମନ୍ତ୍ରୀ ମାମଲାକୁ ନିଜ ଟେବୁଲଙ୍କୁ ଆଣନ୍ତୁ। ଯେଉଁ ଅଫିସର ମାନେ ଏଭଳି କରିଛନ୍ତି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସରକାରଙ୍କ ପାଖରେ ସମସ୍ତ ତଥ୍ୟ ଅଛି। ଏହା ଲ୍ୟାଣ୍ଡ ଫର ଲ୍ୟାଣ୍ଡ ସ୍କିମ୍ ନୁହେଁ ବୋଲି ସେ କହିଛନ୍ତି।