ଭୁବନେଶ୍ବର: ବିଜେପିର ସମସ୍ତ ଜନ ବିରୋଧୀ ନୀତିକୁ ନବୀନ ସରକାର ସମର୍ଥନ କରିବେ ନା ବିଜୁ ବାବୁଙ୍କ ଧର୍ମନିରପେକ୍ଷ ବିଚାରକୁ ଆଗେଇ ନେବେ ତାହା ଆଗାମୀ ଦିନରେ ବିଜେପି ବିରୋଧୀ ଲଢେଇରେ ଜଣାପଡ଼ିବ। ଭୁବନେଶ୍ବର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ସିପିଆଇ(ଏମ) ପକ୍ଷରୁ ଆୟୋଜିତ ଜନସମାବେଶରେ ଏହା କହିଛନ୍ତି ଦଳର ପଲିଟିବ୍ୟୁରୋ ସଦସ୍ୟ ତଥା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟକାନ୍ତ ମିଶ୍ର। ଦଳ ପକ୍ଷରୁ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ନରେନ୍ଦ୍ର ମୋଦୀ ସରକାରଙ୍କ ଜନବିରୋଧୀ ଅର୍ଥନୀତି, ବିଭାଜନକାରୀ ରାଜନୀତିକୁ ପରାସ୍ତ ପାଇଁ ଆହ୍ବାନ କରାଯାଇଛି। ସ୍ବାଧୀନତାର ୭୫ ବର୍ଷର ପୂର୍ତ୍ତିବେଳେ ଦେଶ ଏକ ଦୁର୍ଭାଗ୍ୟଜନକ ସ୍ଥିତି ଦେଇ ଗତି କରୁଛି। ଲଗାମବିହୀନ ଦରବୃଦ୍ଧି, ଭୟଙ୍କର ବେକାରୀ, ଜାତୀୟ ସମ୍ପଦ ବିକ୍ରି, ଫସଲ ଅଭାବୀ ବିକ୍ରି, ଶ୍ରମିକଙ୍କ ଉପରେ ଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇ ୮୦ ଟଙ୍କା ପାର୍‌ ହୋଇ ସାରିଛି। ଚାଷୀ ଚାଷ ଛାଡ଼ିଛି, ଶ୍ରମିକ ରୋଜଗାର ହରାଉଛନ୍ତି। ମୋଦୀ ସରକାର ଏହି ସମସ୍ୟାର ସମାଧାନ କରିବାରେ ବ୍ୟର୍ଥ ହେବା

Advertisment

ସହିତ ବିଭାଜନର ରାଜନୀତି କରୁଛନ୍ତି। ସମ୍ବିଧାନ, ଧର୍ମନିରପେକ୍ଷତା, ଗଣତନ୍ତ୍ର ଏବଂ ଜୀବିକା ଲଢେଇ ପାଇଁ ବାମପନ୍ଥୀମାନଙ୍କୁ ଅଗ୍ରଣୀ ହେବାକୁ ପଡ଼ିବ। ସିପିଆଇ(ଏମ)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଭାଗଚାଷୀଙ୍କ ଅଧିକାର ଲାଗି ଆଇନ ପ୍ରଣୟନ ପାଇଁ ଦାବି କରିଥିଲେ। ଶ୍ରମିକଙ୍କ ଦୈନିକ ମଜୁରି ୭୦୦ ଟଙ୍କା, ଧାନର ଏମଏସପି କ୍ବିଣ୍ଟାଲ ପ୍ରତି ୩ ହଜାର, ମନରେଗାରେ ୨୦୦ ଦିନର ରୋଜଗାର, ମହିଳାଙ୍କ ନିରାପତ୍ତା ସମେତ ବିଭିନ୍ନ ଦାବି ନେଇ ୪ ମାସ ବ୍ୟାପୀ ଅଭିଯାନ ହେବ। କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ମହାନ୍ତି, ସୁରେଶ ପାଣିଗ୍ରାହୀ, ପୁଷ୍ପା ଦାଶ, ଶିଶିର ହୁଇ, ସାଇ ମାର୍ଣ୍ଡି, ଅନନ୍ତ ମଙ୍ଗରାଜ, ଯୁଧିଷ୍ଠିର ବେହେରା, ବଦ୍ରିନାରାୟଣ ଦାସ, ଜଗନ୍ନାଥ ଦେଓ, ଶରତ ବେହେରା, ବ୍ରଜ ମାଝି, ଦଣ୍ଡପାଣି ରାଇତ, ଚନ୍ଦ୍ରଶେଖର ନାଇକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।