ଦେଶୀ କଙ୍କଡ଼ା ତରକାରୀ ଭାରି ସୁଆଦିଆ; ଦାମ ଆକାଶ ଛୁଆଁ, ବଢ଼ିଛି ୧୦ ଗୁଣ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ଏବେ ଦେଶୀ କଙ୍କଡ଼ାର ଦାମ ଆକାଶ ଛୁଆଁ ହୋଇଯାଇଛି। ବର୍ଷା ହେବା ପରେ ଜମିଗୁଡିକ ନିକଟରେ ରହିଥିବା ପଥର ସନ୍ଧିରେ ଦେଶୀ କଙ୍କଡ଼ା ମିଳନ୍ତି। ଏହି ଦେଶୀ କଙ୍କଡ଼ା ଚିଲିକା କଙ୍କଡା ଠାରୁ ଆହୁରି ସୁସ୍ବାଦିଆ। ତେଣୁ ସ୍ଥାନୀୟ ଲୋକେ ଏହି କଙ୍କଡା ଖାଇବାକୁ ବେଶ ପସନ୍ଦ କରନ୍ତି। ତେଣୁ ସ୍ଥାନୀୟ ଲୋକେ ଏବେ ବିଭିନ୍ନ ଜମିରେ ବୁଲି ବୁଲି ପଥର ସନ୍ଧିରୁ କଙ୍କଡା ଧରି ତାକୁ ବଜାରରେ ବୁଲାଇ ବୁଲାଇ ବିକ୍ରି କରୁଥିବା ଦେଖିବାକୁ ମିଳେ। ୮ଟିରୁ ୧୦ଟି କଙ୍କଡାକୁ ଗୁନ୍ଥି ତାକୁ ବଜାରରେ ୧୫୦ରୁ ୨୦୦ ଟଂକା ପର୍ଯ୍ୟନ୍ତ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବର୍ଷା ଦିନରେ ଚାଷ ଜମିରୁ ଲୋକେ ଦେଶୀ କଙ୍କଡା ଧରିଥାନ୍ତି। ଏଗୁଡ଼ିକ ନେଇ ନିକଟସ୍ଥ ବଜାରରେ ବିକ୍ରି କରିଥାନ୍ତି। ପୂର୍ବରୁ ୧୦ଟି କଙ୍କଡାର ମୂଲ୍ୟ ଅତିବେଶୀରେ ୨୦ଟଙ୍କାରେ ମିଳି ଯାଉଥିଲା। ଏବେ କିନ୍ତୁ ସବୁ ଜିନିଷର ଦାମ ବଢ଼ିଥିବାରୁ କଙ୍କଡା ମଧ୍ୟ ବାଦ୍‌ ପଡ଼ିନାହିଁ।

କଙ୍କଡା ବେପାରୀ ଭୀମା ମାଡକାମୀଙ୍କ କହିବା ଅନୁଯାୟୀ ପ୍ରତିଦିନ ସେମାନେ ଏକ ହଜାରରୁ ପନ୍ଦର ଶହ ଟଂକା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ପ୍ରତିଦିନ ଭୋର ସକାଳୁ ଜଂଗଲ ନିକଟରେ ରହିଥିବା ଜମିରେ କଙ୍କଡା ଧରିବାକୁ ଯାଇଥାନ୍ତି ଏଥିରେ ପରିବାରର ଛୋଟରୁ ବୟୋଜ୍ୟେଷ୍ଠମାନେ ମଧ୍ୟ ସହଯୋଗ କରିଥାନ୍ତି। ବଜାରରେ ଦେଶୀ କଙ୍କଡାର ଚାହିଦା ଢେର ରହିଥିବାରୁ ଲୋକେ ଏହାକୁ ବର୍ଷକୁ ଥରେ କିଣି ନେଇ ଖାଉଥିବା ଦେଖିବାକୁ ମିଳିଛି। ଆଜି ବଜାରରେ ଏହି ଦେଶୀ କଙ୍କଡା ବିକ୍ରି ହେଉଥିବା ବେଳେ ଲୋକେ ଏହାକୁ ଖରିଦ କରି ନେବା ପାଇଁ ଏକ ପ୍ରକାର ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି।

ଦେଶୀ କଙ୍କଡା ତରକାରୀ ବେଶ ସୁସ୍ବାଦୁ ହୋଇଥିବାରୁ ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ପ୍ରଥମେ ଏହାକୁ କେବଳ ଆଦିବାସୀ ଲୋକେ ହିଁ ନିଜର ଖାଦ୍ୟରେ ଏହାକୁ ଯୋଡିଥିଲେ। କିନ୍ତୁ ପରେ ସାଧାରଣ ଲୋକେ ମଧ୍ୟ ଏହାର ସ୍ବାଦ ଚାଖିବା ପରେ ଏହାକୁ ପ୍ରତି ବର୍ଷ ବର୍ଷା ଋତୁରେ ଏହାକୁ କିଣି ନେଇ ଘରେ ପରିବାର ସହ ମିଶି ବେଶ ମଜା ଉଠାଉଥିବା ସ୍ଥାନୀୟ ଲୋକେ କହନ୍ତି। ତେବେ ଆଦିବାସୀଙ୍କ ଏହା ଏକ ଆର୍ଥ ଉପାର୍ଜନର ମୁଖ୍ୟ ମାଧ୍ୟମ ପାଲଟିଛି। ଆଦିବାସୀ ଭାଇମାନେ ନିଜ ପାଇଁ କିଛି କଙ୍କଡା ରଖିବା ପରେ ବଳକାକୁ ବଜାରରେ ବିକ୍ରି କରନ୍ତି। ପ୍ରତିବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ଏହି କଙ୍କଡା ପ୍ରଚୁର ପରିମାଣରେ ମିଳେ, ଯାହାଦ୍ବାରା ଆଦିବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେଉଥିବା ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର