ପୁରୀ: ଅଠରନଳାରେ ସୃଷ୍ଟି ହୋଇଛି ଫାଟ। ଓଲଟା ପାହାଚ ସଦୃଶ ଖଞ୍ଜା ଯାଇଥିବା ପଥରରେ ଆଂଶିକ ଫାଟ ଦେଖିବାକୁ ମିଳିଛି। ଲହଡ଼ି ମୁଦ ଦିଆଯାଇଥିବା କିଛି ସ୍ଥାନ ମଧ୍ୟ ଖାଇଗଲାଣି। ଭୁବନେଶ୍ବର ପଟରୁ ଆସିଲେ ୮ ନମ୍ବର ଓ ୬ ନମ୍ବର ନଳାରେ ଫାଟ ଦୃଶ୍ୟମାନ ହେଉଛି। ଏହା ବ୍ୟତୀତ ଅଠରନଳାର ରିଟେନିଂ ୱାଲ୍ ଅବସ୍ଥା ଆହୁରି ଖରାପ। ରିଟେନିଂ କାନ୍ଥକୁ ଧରି ରଖିଥିବା ସ୍ତମ୍ଭକୁ ଓସ୍ତଗଛ ଫଟେଇ ସାରିଲାଣି। କାନ୍ଥ ଝୁଲନ୍ତା ଅବସ୍ଥାରେ ଥିବାରୁ, ବଡ଼ ପବନର ଝଟ୍କାରେ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ଏହି କାନ୍ଥ କଡ଼ରେ ଜରିପାଲ ଘେରା ଘରେ ଗୋଟିଏ ପରିବାର ରହୁଥିବାରୁ ପ୍ରତି ମୁହୂର୍ତ୍ତରେ ଉକ୍ତ ପରିବାର ପ୍ରତି ବିପଦ ରହିଛି। ଏଣେ ଅଠରନଳାର ସୌନ୍ଦର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥିବା ଭିତ୍ତିଭୂମି ରକ୍ଷଣାବେକ୍ଷଣ ଅଭାବରୁ ଉଜୁଡ଼ିଗଲାଣି।
କେଶରୀବଂଶ ସମ୍ରାଟ ମତ୍ସ୍ୟକେଶରୀ ଅଠରନଳା ନିର୍ମାଣ କରାଇଥିବା ଇତିହାସ ରହିଛି। ଏହାର ନିର୍ମାଣ କାଳ ୯୭୫ରୁ ୯୫୫ ଖ୍ରୀଷ୍ଟାବ୍ଦରେ ହୋଇଥିବା ଅନୁମାନ କରାଯାଏ। ଆଉ ଏକ ମତ ଅନୁଯାୟୀ, ୧୩ଶହ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ରାଜା ଭାନୁଦେବଙ୍କ ଦ୍ବାରା ଏହା ପ୍ରତିଷ୍ଠା ହୋଇଥିଲା। ୧ ହଜାରରୁ ଊର୍ଦ୍ଧ୍ବ ବର୍ଷର ଏହି ସ୍ମାରକୀକୁ ଏଏସ୍ଆଇ (ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା) ରକ୍ଷଣାବେକ୍ଷଣ କରୁଛି। ଐତିହ୍ୟ କୀର୍ତ୍ତିରାଜି ହୋଇଥିବାରୁ ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ ପ୍ରଶାସନ ବାରମ୍ବାର ଅଣ୍ଟା ଭିଡ଼ିଛି। ୨୦୧୫ ନବକଳେବର ସମୟଠାରୁ ୨୦୨୦ ମସିହା ଭିତରେ ୫ କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ହେଲେ ପ୍ରଶାସନ ଏହି ଐତିହ୍ୟ ପ୍ରକଳ୍ପକୁ ବିପଦମୁକ୍ତ କରିପାରୁନାହିଁ।
ବାହାର ପଟକୁ ଥିବା ଦୁଇଟି ପଥରରେ ଏବେ ଫାଟ ଜଳଜଳ ଦେଖାଯାଉଛି। ରିଟେନିଂ ୱାଲ୍ ସ୍ତମ୍ଭ ଭାଙ୍ଗିଯିବା ସହ କାନ୍ଥରୁ ପଲସ୍ତରା ଝଡ଼ି ଇଟା ଦେଖାଯାଉଛି। ପଥର ଫାଙ୍କରେ କିଛିକିଛି ସ୍ଥାନରେ ଗୁଳ୍ମ ମଧ୍ୟ କାୟା ବିସ୍ତାର କଲେଣି। ମାତ୍ର ନିକଟରେ ଏହା ଉପରେ ରଙ୍ଗ ବୋଳିଦେଲେ ପଛେ, ପଲସ୍ତରା କଲେ ନାହିଁ କି ବିପଜ୍ଜନକ ଅବସ୍ଥାରେ ଥିବା ପିଲାର୍ ତଥା ସ୍ତମ୍ଭକୁ ହଟାଇଲେ ନାହିଁ। ଏହା ମଧ୍ୟରେ ପଡ଼ିଥିବା ପଥର ନିର୍ମିତ ବୈଠକୀ ଭାଙ୍ଗି ଗଡ଼ଗଡ଼ ହୋଇ ତଳେ ପଡ଼ିଛି। ସୁସଜ୍ଜିତ ଆଲୋକ ବ୍ୟବସ୍ଥା ଭାଙ୍ଗିରୁଜି ଯାଇଛି। ପକାଯାଇଥିବା ପେଭର୍ବ୍ଲକ୍ ନିମ୍ନମାନର କାମ ଯୋଗୁ ଭାଙ୍ଗିଗଲାଣି। ବର୍ଷବର୍ଷ ହେଲା ମେସିନ୍ ଓ ଡଙ୍ଗାରେ ଦଳ ସଫା ହେଉଛି। ହେଲେ ଏହାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଏନେଇ ଏଏସ୍ଆଇ ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିଦ୍ ଡ. ଦିବିଶଦ ଗଡ଼ନାୟକ କହିଛନ୍ତି, କିଛି କିଛି ସମୟ ଅନ୍ତରରେ ଅଠରନଳାରେ ପଥର ଯୋଡ଼େଇ ସ୍ଥାନକୁ ଉପଚାର କରାଯାଏ। ପଥରରେ ଫାଟ ଯାଞ୍ଚ ପରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।