ଟ୍ରାକ୍‌ରେ ଫାଟ: ଟଳିଲା ବଡ଼ ଦୁର୍ଘଟଣା, ମରାମତି ପରେ ଚଳାଚଳ ସ୍ବାଭାବିକ

ନିରାକାରପୁର : ନିରାକାରପୁର ରେଳ ଫାଟକ ନିକଟରେ ଥିବା ୬ ପୋଲିଆଠାରେ ରେଳଧାରଣା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ନିଆଯିବାରୁ ଅଳ୍ପକେ ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିଛି।

ସୂଚନା ଅନୁଯାୟୀ ଆଜି ସକାଳ ୭ଟା ସମୟରେ ନିରାକାରପୁର ରେଳ ଷ୍ଟେସନ ନିକଟ କାଶିପୁର ଓ ହରିପୁର ଲେବୁଲ୍ କ୍ରସିଂର ମଧ୍ୟବର୍ତୀ ୩ ପୋଲିଆ ଖମ୍ବ ନମ୍ବର ୪୮୪/୧୬/୧୪ ଡାଉନ୍ ଲାଇନ ରେଳ ଧାରଣାଟି ମଝିରୁ ଦୁଇଖଣ୍ତ ହୋଇଯାଇଥିଲା। ଟ୍ରାକ୍‌ରେ ପାଟ୍ରୋଲିଂ କରୁଥିବା କର୍ମଚାରୀ ନିରାକାରପୁର ରେଳ ଷ୍ଟେସନ ମାଷ୍ଟରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ମରାମତିକାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ସେହି ସମୟରେ ରେଳ ଚଳାଚଳକୁ ଦୃଷ୍ଟିରେ ରଖି ପ୍ରତି ଚଳନ୍ତା ରେଳକୁ ୨୦ରୁ ୩୦କି.ମି. ବେଗରେ ଯିବା ପାଇଁ ନିର୍ଦେଶ ଦିଆ ଯାଇଥିଲା। ଏଭଳି ଘଟଣା ସଂପର୍କରେ ବିଭାଗୀୟ ଯନ୍ତ୍ରୀ ରମେଶ ପାତ୍ରଙ୍କୁ ପଚାରିବାରେ ସାଧାରଣତଃ ରେଳଧାରଣା ଗୁଡିକ ଆଇରନ୍ ଓ କାର୍ବନ ମିଶ୍ରଣରେ ତିଆରି ହୋଇଥାଏ। ଅତ୍ୟଧିକ ଥଣ୍ତା ହେଉ ଅବା ଟ୍ରେନ୍ ଚକର ଯାନ୍ତ୍ରୀକ ତ୍ରୁଟିପାଇଁ ଏଭଳି ହୋଇଥାଇପାରେ ବୋଲି ସେ ମତ ଦେଇଥିଲେ। ମରାମତି ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି।

ସମ୍ବନ୍ଧିତ ଖବର