ବାଲେଶ୍ୱର : ରେଳ ବିଭାଗର ଦାୟିତ୍ୱହୀନତା ଓ ଖାମଖିଆଲ ମନୋଭାବ କାରଣରୁ ହଜାରେରୁ ଅଧିକ ଲୋକଙ୍କ ଜୀବନ ଆଜି ବାଜିରେ ଲାଗିଥିଲା। ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ପୂର୍ବତଟ ରେଳବାଇର ସୋର ଓ ବାହାନଗା ଷ୍ଟେସନ୍ ମଝିରେ ଏକ ରେଳ ଧାରଣା ଭାଙ୍ଗି ଦୁଇ ଖଣ୍ଡ ହୋଇ ଯାଇଥିବା ବେଳେ ଏହି ଲାଇନରେ ଆସୁଥିବା ଖଡଗପୁର-ଖୋର୍ଧା ଫାଷ୍ଟ ପାସେଞ୍ଜର ଟ୍ରେନ୍ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ରେଳବିଭାଗ ପକ୍ଷରୁ ଜଣେ କି ମ୍ୟାନ୍ଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ; ଆଜି ସକାଳ ପ୍ରାୟ ୭ଟା ୫୦ ମିନିଟରେ ଖଡଗପୁର-ଖୋର୍ଧା ଫାଷ୍ଟ ପାସେଞ୍ଜର ଟ୍ରେନ୍ ଅପ୍ ଲାଇନରେ ଆସୁଥିବା ବେଳେ, ବାହାନଗା ସୋର ମଝିରେ ଥିବା କେଶପୁର ଗାଁରେ ଟ୍ରେନ୍ ଲାଇନର କଂକ୍ରିଟ୍ ସ୍ଲିପର ଭାଙ୍ଗିଯିବାସହ ରେଳ ଧାରଣା ଭାଙ୍ଗି ଦୁଇ ଖଣ୍ଡ ହୋଇଯାଇଥିଲା। ଟ୍ରେନର ଇଞ୍ଜିନ ଯିବା ପରେ ପରେ ଏ ନେଇ ଜୋର୍ରେ ଶଦ୍ଦ ହେବାରୁ ଡ୍ରାଇଭର କିଛି ଅଘଟଣ ଘଟିଥିବା ସନ୍ଦେହ କରିଥିଲେ। ତେଣୁ ସେ ଟ୍ରେନ୍ଟିର ବେଗ କମାଇ ଧୀରେ ଧୀରେ ନିୟନ୍ତ୍ରଣକୁ ଆଣିଥିଲେ। ଆଉ ଭଙ୍ଗା ଲାଇନ୍ ଦେଇ ସବୁ ବଗି ଅତିକ୍ରମ କରିଯାଇଥିବା ବେଳେ ଦୁଇଟି ବଗି ଶେଷକୁ ଧାରଣା ଉପରେ ରହିଯାଇଥିଲା ଏବଂ ଦୁର୍ଘଟଣା ଟଳି ଯାଇଥିଲା।
ଏ ନେଇ ଡ୍ରାଇଭର ଓ ଗାର୍ଡ଼ ସ୍ଥାୟୀପଥ ବିଭାଗକୁ ଖବର ଦେବା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ପଟି ବନ୍ଧାଯାଇ ସାମୟିକ ଭାବେ ଟ୍ରାକ୍ ମରାମତି ହୋଇଥିଲା। ପାଖାପାଖି ଦେଢ଼ ଘଣ୍ଟା ପରେ ୯ଟା ୨୫ରେ ଫାଷ୍ଟ ପାସେଞ୍ଜର କେଶପୁର ଛାଡିଥିଲା। ଏହାପରେ ପରେ କି ମ୍ୟାନ୍ଠାରୁ ଆରମ୍ଭ କରି ରେଳ ବିଭାଗର ଯନ୍ତ୍ରୀମାନେ ସେଠାରେ ପହଞ୍ଚି ଟ୍ରାକକୁ କାଟି ନୂଆ ଟ୍ରାକ୍ ସଂଲଗ୍ନ କରିଥିଲେ। ପାଖାପାଖି ୧.୩୦ରେ ଏ ସବୁ କାମ ସରିଥିଲା। ମାତ୍ର ସଂପୃକ୍ତ କି ମ୍ୟାନ୍ ଜଣକ ଆଜି ବିଳମ୍ବରେ ଆସିଥିବାରୁ ଗୋଟିଏ ଲାଇନର ଟ୍ରେନ୍ ଟ୍ରାକ୍ ଅନୁଧ୍ୟାନ କରିଥିଲେ। ତେବେ ଅନ୍ୟ ଲାଇନରେ ଥିବା ଏତେବଡ଼ ତ୍ରୁଟିକୁ ଧରିନପାରିବାରୁ କି ମ୍ୟାନ୍ କେ.କେ ସିଂଙ୍କୁ ରେଳ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିବା ଏଇଏମ୍ ଏ.କେ ସିଂହ ସୂଚନା ଦେଇଛନ୍ତି। ଡ୍ରାଇଭର ଓ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଏତେ ସଂଖ୍ୟକ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇପାରିଲା ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।