ପୁରୀ : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ପଛଆଣି ଚକର ଅଖରେ ଫାଟ ଦେଖିବାକୁ ମିଳିଛି। ଚକରେ ସଂଯୋଗ ପରେ ବାହାରକୁ ବାହାରିଥିବା ଅଖର ବଳକା କାଠର ଶୀର୍ଷ ଅଂଶରେ ଏହି ଫାଟ ଦେଖିବାକୁ ମିଳିଛି। ଏହି ଫାଟକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ରଥ ନିର୍ମାଣ ଯାଞ୍ଚ ପାଇଁ ଗଠିତ ବୈଷୟିକ କମିଟି ଏହାର ବିଧିବଦ୍ଧ ଯାଞ୍ଚ କରିଛି। ଯାଞ୍ଚ ପରେ ଏହା ସେଭଳି କୌଣସି ଅସୁବିଧା କରିବନି ବୋଲି ବୈଷୟିକ କମିଟି କହିଛନ୍ତି। ଏଭଳି ଫାଟ ପ୍ରାୟ ସବୁ ସମୟରେ ରଥରେ ରୁହେ, ଏହା ସେଭଳି ଚିନ୍ତାର କାରଣ ନୁହେଁ ବୋଲି କମିଟି କହିଛି।
ଶନିବାର ସକାଳେ ଦର୍ପଦଳନ ରଥର ଅଖରେ ଫାଟ ରହିଥିବା ଦେଖିବାକୁ ମିଳିଥିଲା। ଚକରେ ସଂଯୋଗ ପରେ ବାହ୍ୟ ଅଂଶକୁ ବଳକା ରହିଥିବା ଅଖର ଅଂଶରେ ଏହି ଫାଟ ରହିଥିଲା। ଅଖର ତଳପଟୁ ବଡ଼ ଆକାରର ଫାଟ ରହିଥିଲା, ଯେଉଁଠି ମହାରଣା ସେବକମାନେ ଲୁହାର କ୍ଲାମ୍ପ ଦେଇଥିଲେ। ଆଜି ଏହି ଖବର ଜଣାପଡ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କମିଟି ଓ ରଥର ମୁଖ୍ୟ ମହାରଣାମାନଙ୍କୁ ନେଇ ଜରୁରୀକାଳୀନ ବୈଠକ ଡାକିଥିଲା। ଏହା ପୂର୍ବରୁ ଶ୍ରୀମନ୍ଦିର କୋର କମିଟି ସଦସ୍ୟ ଏନ୍ ସି ପାଲ୍ ଓ ଅନ୍ୟମାନଙ୍କୁ ନେଇ ଗଠିତ ରଥ ନିର୍ମାଣ ବୈଷୟିକ କମିଟି ଦର୍ପଦଳନ ରଥର ସ୍ଥିତି ଯାଞ୍ଚ କରିଥିଲେ। ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଫାଟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକ ପରେ ଶ୍ରୀ ପାଲ୍ ଗଣମାଧ୍ୟମକୁ କହିଛନ୍ତି, ଏହା ସେଭଳି ବଡ଼ ଫାଟ ନୁହେଁ। ଏଭଳି ଫାଟ ସର୍ବଦା ରଥରେ ରୁହେ। ପୂର୍ବରୁ ଯାଞ୍ଚ ସମୟରେ ଏହି ଫାଟ ନଥିଲା। ରଥର ଉପରିଭାଗ ନିର୍ମାଣ ପରେ ଚକ ଓ ଅଖରେ ଭାର ବଢ଼ିଛି। ଯେଉଁଥିପାଇଁ ଏହି ଫାଟ ଦେଖାଦେଇଛି। ରଥ ଗଡ଼ିବା ସମୟରେ ଏହା କୌଣସି ଅସୁବିଧାରେ ପକାଇବନି ବୋଲି ଶ୍ରୀ ପାଲ୍ କହିଛନ୍ତି। ବୈଠକ ପରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ର କହିଛନ୍ତି, ରଥର ଏହି ଫାଟକୁ ଯାଞ୍ଚ କରାଯାଇଛି। ଏହା କୌଣସି ସମସ୍ୟା ସୃଷ୍ଟି କରିବାର ଆଶଙ୍କା ନାହିଁ। ତଥାପି ଏହି ଜାଗାରେ ଆଉ ଏକ ଲୁହାର ୟୁ କ୍ଲାମ୍ପ ଲଗାଯିବ। ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର କହିଛନ୍ତି, ରଥ ନିର୍ମାଣ ବେଳେ ଚିରିଗଲା ଭଳିଫାଟ ସର୍ବଦା ରୁହେ। କିନ୍ତୁ ଏହା କୌଣସି ସମସ୍ୟା ସୃଷ୍ଟି କରିବନି।
ସୂଚନାଯୋଗ୍ୟ, ଗତବର୍ଷ ନନ୍ଦିଘୋଷ ରଥର ଅଖ ଦୁଇଖଣ୍ଡ ହୋଇଯାଇଥିଲା। ଯେଉଁଥିପାଇଁ ବଡ଼ଦାଣ୍ଡକୁ ଖୋଳି ଚକ ଓ ଅଖକୁ କ୍ରେନ୍ ସାହାଯ୍ୟରେ କଢ଼ାଯିବା ପରେ ନୂଆ ଅଖ ନିର୍ମାଣ କରି ସଂଯୋଗ କରାଯାଇଥିଲା।