Drone Rush
ପୁରୀ: ବିଗତ ବର୍ଷମାନଙ୍କରେ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଆଦି ସମୟରେ ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ାଇ ଭିଡିଓ ରେକର୍ଡିଂ କରାଯାଉଥିବାର ନଜିର ରହିଛି। ଅନଭିଜ୍ଞ ବ୍ୟକ୍ତିବିଶେଷ ଏହି ଡ୍ରୋନ୍ ଉଡ଼ାଉଥିବାରୁ ଶ୍ରଦ୍ଧାଳୁମାନଙ୍କ ଜୀବନ ପ୍ରତି ବିପଦର ମଧ୍ୟ ଆଶଙ୍କା ରହୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ାଇବା ଉପରେ ପୁଲିସ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏଥିପାଇଁ ଉପଜିଲ୍ଲାପାଳ କିମ୍ବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଯୋଗାଯୋଗ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି।
ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ାଣ ଯୋଗୁ ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ତିନିଟି ରଥ ଏବଂ ଶ୍ରଦ୍ଧାଳୁଙ୍କ ପ୍ରତି ବିପଦ ରହିଛି। ରଥଯାତ୍ରାରୁ ନିଳାଦ୍ରୀ ବିଜେ ମଧ୍ୟରେ ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ାଇବାକୁ ବାରଣ କରାଯାଇଛି। ବିଶେଷକରି, ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇ ଡ୍ରୋନ୍ ନିୟମ ୨୦୨୧କୁ ଆଧାର କରି ମନ୍ଦିର ନିୟମ ୨୨ ଅନୁଯାୟୀ ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ାଇବାକୁ ବାରଣ କରାଯାଇଛି। ସିଭିଲ ଆଭିଏସନ୍ର ନିର୍ଦ୍ଦେଶକଙ୍କ ଦ୍ବାରା ପ୍ରଦତ୍ତ ୟୁନିକ୍ ନମ୍ବର ବିନା କୌଣସି ଡ୍ରୋନ୍ ଅପରେଟର ସେମାନଙ୍କ ଡ୍ରୋନ୍କୁ ବଡ଼ଦାଣ୍ଡରେ ଉଡ଼ାଇ ପାରିବେନାହିଁ। ସରକାରୀ ଅନୁମତି ନଥାଇ ଡ୍ରୋନ୍ ଉଡ଼ାଇଲେ ଦଣ୍ଡବିଧି ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଅପରେଟର ବିନା ଅନୁମତିରେ ଡ୍ରୋନ୍ ଉଡ଼ାଣ କରନ୍ତି, ତେବେ ଏଥିପାଇଁ ଯାହା କ୍ଷତି ହୁଏ, ସେ ଦାୟୀ ରହିବେ।
ସୂଚନାଯୋଗ୍ୟ ଯେ ପୁରୀ ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ବେଳାଭୂମିରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ସରକାରୀ ନିୟମାନୁଯାୟୀ ସ୍ବତନ୍ତ୍ର ଭାବେ ଡ୍ରୋନ୍ ଉଡ଼ାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
Follow Us