ଭୁବନେଶ୍ବର: ସ୍ବେଚ୍ଛାକୃତ ଭାବେ ସାପ ଉଦ୍ଧାର ଓ ପୁର୍ନବାସ କରାଉଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ମାର୍ଗଦର୍ଶିକା ଅନୁଯାୟୀ ନିର୍ଦ୍ଧାରିତ ଫର୍ମରେ ସେମାନଙ୍କ ନିକଟସ୍ଥ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆସନ୍ତା ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ। ଏ ସମ୍ପର୍କିତ ବିସ୍ତୃତ ମାର୍ଗଦର୍ଶିକା ସମସ୍ତ ବନଖଣ୍ଡ ଅଧିକାରୀ, ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ୱେବସାଇଟ୍ରେ ଉପଲବ୍ଧ ରହିଛି। ଏଣିକି ଯେଉଁମାନେ ସାପ ଧରିବେ ପ୍ରଥମେ ସେମାନଙ୍କୁ ରାଜ୍ୟ ସରକାରଙ୍କ ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ। ଏହାପରେ ଜଙ୍ଗଲ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।
ଯେଉଁମାନେ ସାପ ଧରିବେ ସେମାନଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ଲୋକେ ସାପ ଦେଖିବା କ୍ଷଣି ସଙ୍ଗେ ସଙ୍ଗେ ତାହାର ଫଟୋ ଉଠାଇ ସାପ ଧରାଳିଙ୍କ ନିକଟକୁ ପଠାଇବେ। ସାପଟିକୁ ଅନୁଧ୍ୟାନ କରିବା ପରେ କେତେ ସମୟ ମଧ୍ୟରେ ସାପ ଧରାଳି ସେଠାରେ ପହଞ୍ଚିବେ ତାହା ସୁନିଶ୍ଚିତ କରିବେ। ଯଦି ସାପ କୌଣସି ଲୋକଙ୍କୁ କାମୁଡିଛି, ତେବେ ସାପ ଧରାଳି ଆଶୁ ଚିକିତ୍ସା କରାଇବା ସହ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିବେ। ଉଦ୍ଧାର ସାପକୁ ତୁରନ୍ତ ଜଙ୍ଗଲରେ ଛାଡ଼ିବେ। ଯଦି ସାପ ଆହତ ହୋଇଥିବ ତେବେ ତା'ର ମଧ୍ୟ ଚିକିତ୍ସା କରିବା ପରେ ଛାଡ଼ିବେ। ଏକାଧିକ ସାପ ଉଦ୍ଧାର ହୋଇଥିଲେ ଗୋଟିଏ ସ୍ଥାନରେ ଛାଡ଼ିବେ ନାହିଁ। ସ୍ଥାନୀୟ ବନ ବିଭାଗ କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳରେ ସାପ କାମୁଡ଼ା ଏବଂ କାମୁଡ଼ା ଜନିତ ମୃତ୍ୟୁର ମାସିକ ରିପୋର୍ଟ ପ୍ରସ୍ତୁତ କରିବେ। ସାପ ଧରାଳିଙ୍କ ପାଇଁ ବୀମା ସହ ସ୍ୱତନ୍ତ୍ର ସୁରକ୍ଷା ଟୁଲ୍ କିଟ୍ ପ୍ରଦାନ କରାଯିବ। ପିଭିସି ପାଇପ, ବ୍ୟାଗ, ଫାଷ୍ଟ ଏଡ୍ କିଟ୍, ଟର୍ଚ୍ଚ, ସାପ କାମୁଡା ବ୍ୟାଣ୍ଡେଡ୍, ସାପ ଧରା ହୁକ୍, ଫ୍ରେମ ଲାଗିଥିବା କପଡା ବ୍ୟାଗ୍ ଆଦି ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଆଯିବ।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ସାପ କାମୁଡ଼ିଲେ କିମ୍ବା ଜନବସତିରେ ସାପ ଦେଖାଦେଲେ ଲୋକ ଯଦି ହେଲ୍ପଲାଇନ୍ରେ ଫୋନ୍ କରୁଛନ୍ତି ତେବେ ମାନବସମ୍ବଳ ଅଭାବରୁ ସାପ ଉଦ୍ଧାରକାରୀ ଦଳ ଠିକ୍ ସମୟରେ ପହଞ୍ଚିପାରୁ ନାହାନ୍ତି। ଯେତେବେଳେ ଉଦ୍ଧାରକାରୀ ଦଳ ପହଞ୍ଚୁଛି ସେତେବେଳକୁ ଲୋକେ ସାପକୁ ବାଡ଼େଇ ମାରି ଦେଉଛନ୍ତି। ଯେଉଁମାନେ ସାପକୁ ଉଦ୍ଧାର କରୁଛନ୍ତି ସେମାନେ ଆବଶ୍ୟକୀୟ ସରଞ୍ଜାମ ସାଙ୍ଗରେ ନେଉ ନାହାନ୍ତି। ସାପ ଧରିବା ପରେ କେହି କେହି ଷ୍ଟଣ୍ଟ୍ ଦେଖାଉଥିବାରୁ ସାପ କାମୁଡ଼ିବାରେ ସେମାନଙ୍କର ବି ମୃତ୍ୟୁ ହେଉଛି। ତେଣୁ କେବଳ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ ଏଣିକି ସାପ ଧରିବେ। ଯିଏ ଏହାକୁ ନମାନିବେ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁଠି ଲୋକଙ୍କ ଜୀବନକୁ ସାପର ଭୟ ଥିବ ଯଥା ଘର ଭିତରେ ବା ଜନଗହଳି ସ୍ଥାନରେ ସାପ ଦେଖାଗଲେ ତାକୁ ଉଦ୍ଧାର କରାଯିବ। ସାପ ଧରାଳିମାନେ ଲୋକଙ୍କ ମଧ୍ୟରେ ସାପର ଗୁରୁତ୍ବ ନେଇ ସଚେତନତା ସୃଷ୍ଟି କରିବେ। କେହି ବି ସାପ ଧରି ଷ୍ଟଣ୍ଟ୍ ଦେଖାଇବେ ନାହିଁ। ଯଦି କେହି ଉଲ୍ଲଂଘନ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ଯେତିକି ଲୋକଙ୍କର ବିପର୍ଯ୍ୟୟ ଜନିତ ମୃତ୍ୟୁ ହେଉଛି ସେଥିରୁ ୪୦% ଲୋକଙ୍କର କେବଳ ସାପ କାମୁଡ଼ାରେ ମୃତ୍ୟୁ ହେଉଛି। ଦିନକୁ ଦିନ ସାପ କାମୁଡ଼ା ଏବଂ ସାପ କାମୁଡ଼ା ଜନିତ ମୃତ୍ୟୁ ବଢ଼ି ଚାଲିଥିବାବେଳେ ଗତ ୭ବର୍ଷରେ ୬୩୫୧ଜଣଙ୍କର ମୃତ୍ୟୁ ହେଲାଣି। ଏପରିକି ସାପ କାମୁଡ଼ିଲେ ଲୋକଙ୍କର ମୃତ୍ୟୁ ହେଉଥିବାରୁ ଲୋକମାନେ ଭୟଭୀତ ହୋଇ ସାପକୁ ମାରି ଦେଉଛନ୍ତି। ତେଣୁ ସାପକୁ ଯେପରି ତୁରନ୍ତ ଉଦ୍ଧାର କରାଯିବ ସେନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଛି।