କଟକ : କଟକସ୍ଥିତ ଓଡ଼ିଶା ସରକାରୀ ମୁଦ୍ରଣାଳୟରେ କାର୍ଯ୍ୟରତ ଦିବ୍ୟାଙ୍ଗ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର ପ୍ରସଂଗ ନେଇ ଜାରି କାରଣ ଦର୍ଆଅ ନୋଟିସ ବିରୋଧରେ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମାମଲାରେ ରାଜ୍ୟ ସରକାରଙ୍କୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୌମ୍ୟାରାଣୀ କରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ଶତ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିବା ବେଳେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ୨୦୧୨ ମେ ୭ର ନିର୍ଦ୍ଦେଶ ପରେ ତାଙ୍କୁ ସରକାରୀ ମୁଦ୍ରଣାଳୟରେ ନିଯୁକ୍ତି ମିଳିଥିଲା। ୨୦୧୨ ଜୁନ ୨ରେ ଆବେଦନକାରୀ ଗ୍ରେଡ-୩ ବାଇଣ୍ଡର ଭାବେ ନିଯୁକ୍ତି ପାଇଥିଲେ। ପଦୋନ୍ନତି ପରେ ଗ୍ରେଡ-୧ ବାଇଣ୍ଡର ପଦରେ ସେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରି ଓ ପବ୍ଲିକେସନ୍ ନିର୍ଦ୍ଦେଶକଙ୍କ ତରଫରୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେ ନିଯୁକ୍ତି ପାଇଥିବା ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନଥିଲା, ତାଙ୍କ ନିଯୁକ୍ତି ବେଆଇନ ବୋଲି ନୋଟିସରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ୨୦୧୨ରୁ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀ ଏପରି ନୋଟିସକୁ ଚାଲେଞ୍ଜ କରି ମାମଲା ରୁଜୁ କରିଥିଲେ। ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ଥିବା ପଦରେ ନିଯୁକ୍ତି ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବ ୨୦୦୯ ଡିସେମ୍ବର ୮ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଭିନ୍ନକ୍ଷମ ଆୟୁକ୍ତ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପରେ ତାଙ୍କୁ ଦିବ୍ୟାଙ୍ଗ ପାଇଁ ଥିବା ପଦବିରେ ନିଯୁକ୍ତି ଦିଆଯାଇଥିଲା ବୋଲି ଆବେଦନକାରୀଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଛନ୍ତି। ୨୦୨୩ ଜାନୁଆରି ତୃତୀୟ ସପ୍ତାହକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି।