ବୋମା କାରଖାନା : ଠାବ: ୬ କୁଇଣ୍ଟାଲ ବାରୁଦ ଜବତ

ପିପିଲି: ପିପିଲି ବିଲିପଡ଼ାରେ ଗତ ୧୮ ତାରିଖରେ ବାଣ ବିସ୍ଫୋରଣ ଘଟଣାରେ ୨ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ପୁଲିସର ଚେତା ପଶିଛି। ରାଜ୍ୟ ପୁଲିସ ମହାନିର୍ଦେଶକଙ୍କ ନିର୍ଦେଶକ୍ରମେ ସାରା ରାଜ୍ୟରେ ବେଆଇନ ବାଣ କାରଖାନା ଉପରେ ଚଢଉ ଜାରି ରହିଥିବାବେଳେ ପିପିଲି ପୁଲିସ ସ୍ଥାନୀୟ ଅଂଚଳରେ ଗତ ୪ ଦିନ ହେବ ବିଭିନ୍ନ ସ୍ଥାନରେ ଚଢଉ କରୁଛି। ଗତକାଲି ବିଳମ୍ବିତ ରାତିରେ ପିପିଲି ଥାନାଠାରୁ ମାତ୍ର ୧ କିମି ଦୂର ଜୟପୁରଶାସନ ଗାଁରେ ଚଢଉ କରି ୫ କୁଇଣ୍ଟାଲ୍‌ ବିଭିନ୍ନ ବିସ୍ଫୋରକ ସାମଗ୍ରୀ(ବାରୁଦ) ଓ ୧ କୁଇଣ୍ଟାଲ ଗନ୍‌ ପାଉଡର୍‌ ଜବତ କରିଛି।
ସୂଚନା ମୁତାବକ ପିପିଲି ପୁଲିସ ଜୟପୁରସ୍ଥିତ ରବି ସାହୁଙ୍କ ଘର ଉପରେ ଚଢଉ କରି ପ୍ରାୟ ୬ କୁଇଂଟାଲର ବାରୁଦ, ପଟାସିଅମ, କ୍ଲୋରେଟ, ପଟାସିଅମ ନାଇଟ୍ରେଟ, ସଲଫର, ଆର୍ସେନିକ ସଲଫାଇଡ଼ ଆଦି ଜବତ କରିବା ସହ ବିଭିନ୍ନ କିସମର ପ୍ୟାକେଟ୍‌, ନଳୀ ଓ ଟିଣ କେନ୍‌ ଆଦି ଜବତ କରିଛି। ଉକ୍ତ ଘରୁ ୩ଟି ମିନି ଟ୍ରକ୍‌ରେ ବିସ୍ଫୋରକ ସାମଗ୍ରୀ ପୁଲିସ ରାତିସାରା ଥାନାକୁ ବୋହିଥିଲା। ଜବତ ବିସ୍ଫୋରକ ସାମଗ୍ରୀ ସମଗ୍ର ପିପିଲି ଡେଲାଙ୍ଗରେ ଭୟାବହ ଧ୍ୱଂସଲୀଳା ଖେଳାଇଲା ଭଳି କ୍ଷମତା ଥିବା ଜଣେ ପୁଲିସ ଅଧିକାରୀ କହଛନ୍ତିି। ଦୀର୍ଘବର୍ଷ ହେବ ସେଠାରେ ଏହି କାରାଖାନାରୁ ରାଜ୍ୟ ବାହାରକୁ ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ ହେଉଥିବାବେଳେ ପୁଲିସ ପାଖରେ ଖବର ନଥିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଆଜି ଏସଡିପିଓ ଦିଲ୍ଲୀପ କୁମାର ତ୍ରୀପାଠି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜବତ ବାରୁଦ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ସନ୍ତୋଷ ସାହୁଙ୍କୁ ପୁଲିସ ଗିରଫ କରିଛି। ଜଣକୁ ଅଟକ ରଖି ପରେ ପୁଲିସ ଛାଡ଼ି ଦେଇଛି। ଜବତ ବିସ୍ଫୋରକ ସାମଗ୍ରୀର ଆନୁମାନିକ ମୁଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଡିିପିଓ କହିଛନ୍ତି। ଏହା ପୂର୍ବରୁ ପୁଲିସ ଓଡ଼ାରଙ୍ଗ ଗାଁରେ ଚଢଉ କରି ବେଆଇନ ବାଣ ତିଆରି କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର