ବ୍ରହ୍ମପୁର: ଆଲୋକର ପର୍ବ ‘ଦୀପାବଳି’ ପାଖେଇ ଆସୁଥିବା ବେଳେ ସାରା ଓଡ଼ିଶାରେ ଏହି ପର୍ବ ପାଳନ ନେଇ ଲୋକେ ଉତ୍ସାହିତ ଅଛନ୍ତି। ଦୀପାବଳିରେ ଘରଗୁଡ଼ିକ ଆଲୋକମାଳାରେ ସଜାଯିବା ସହିତ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯିବ। ଦୀପାବଳିରେ ବାଣ ଓ ଆତସବାଜି ଫୁଟାଇବା ପାଇଁ ବିଶେଷ ଭାବେ ଯୁବପୀଢ଼ି ଅଧିକ ଉତ୍ସାହିତ ଅଛନ୍ତି। ସେହିପରି ବାଣ ତିଆରି କରୁଥିବା କାରିଗର ଓ ବ୍ୟବସାୟୀ ଭଲ ଲାଭ କରିବାକୁ ଦୀର୍ଘ ଦିନର ଅପେକ୍ଷା କରିଛନ୍ତି। କିନ୍ତୁ ସରକାରୀ ବ୍ୟବସ୍ଥା ଅନୁସାରେ ବାଣ ପ୍ରସ୍ତୁତି କରିବା ଅଥବା ବ୍ୟବସାୟ କରିବା ପାଇଁ ଲାଇସେନ୍ସର ଦରକାର ଥିବା ବେଳେ କିଛି ଲୋକ ଏହି ନିୟମର ଉଲ୍ଲଂଘନ କରୁଥିବା ଦୃଷ୍ଟିଗୋଚର ହେଉଛି। ଗଂଜାମ ଜିଲ୍ଲା ହେଉଛି ଏହାର ଜ୍ବଳନ୍ତ ଉଦହାରଣ। ଗଂଜାମରେ ମାତ୍ର ୨୪ ଘଣ୍ଟା ନପୁରୁଣୁ ୫୫ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିଲା ବେଳେ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେହିପରି ୧୦ ଜଣ ଅଭିଯୁକ୍ତ ଫେରାର ହୋଇଛନ୍ତି।
ଦିଗପହଣ୍ଡି ଥାନା ଅଧୀନସ୍ଥ ଡେଙ୍ଗାଓସ୍ତା ମାର୍କେଟର ଏକ ଦୋକାନ ଗୃହରୁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପୁଲିସ ଅତର୍କିତ ଚଢ଼ାଉ କରି ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଆତସବାଜି ଜବତ କରିଥିବା ଜଣାପଡିଛି । ଏନେଇ ପୁଲିସ ବାଣ ବେପାରୀ କୈଳାସ ପାତ୍ରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଦୀପାବଳିକୁ ଦୃଷ୍ଟିରେ ରଖି କିଛିଦିନ ଧରି ଗ୍ରାମର ଏକ ଦୋକାନ ଗୃହରେ ବାଣ ରଖି ବେଆଇନ ଭାବେ ବିକ୍ରି କରୁଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଫଳରେ ବୁଧବାର ସନ୍ଧ୍ୟାରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅତର୍କିତ ଚଢ଼ଉ କରିବା ସହ ବିଭିନ୍ନ କିସମର ଆତସବାଜି ଜବତ କରିଥିଲା।
ଆସିକା ଥାନା ଅନ୍ତର୍ଗତ ନଳବଣ୍ଟାକୁ ଓଡ଼ିଶାର ଶିବକାଶୀ କୁହାଯାଉଛି। ଅର୍ଥାତ ବାଣ ତିଆରି ପାଇଁ ତାମିଲନାଡୁର ଶିବକାଶୀ ଯେଭଳି ନାମ କରିଛି, ସେହିଭଳି ନଳବଣ୍ଟାକୁ ବହୁ ଦୂରରୁ ଲୋକେ ବ୍ୟବସାୟ ଉଦ୍ଦେଶ୍ୟରେ ବାଣ କିଣିବାକୁ ଆସିଥାନ୍ତି। ତେବେ ଆଜି ଅପରାହ୍ନରେ ବେଆଇନ ବାଣ କାରବାର ନେଇ ପୁଲିସ ଚଢ଼ଉ କରି ୪୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି। ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ୧୦ ଜଣ ଫେରାର ଅଛନ୍ତି।
ନଳବଣ୍ଟା ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଏକ ପ୍ରକାର କୁଟୀର ଶିଳ୍ପ ପାଲଟିଥିବା ବେଳେ ଏହି କାର୍ଯ୍ୟରେ ମହିଳା ଓ ନାବାଳକମାନେ ମଧ୍ୟ ନିୟୋଜିତ ହୁଅନ୍ତି। ବର୍ଷ ବର୍ଷ ଏହି ଗ୍ରାମର କିଛି ବ୍ୟବସାୟୀ ବେଆଇନ ଭାବେ ବାହାରୁ ବାରୁଦ ଓ ଅନ୍ୟ ରାସାୟନିକ ସାମଗ୍ରୀ ଆଣି ଏଠି ନିକଟରୁ ତାଳ ପତ୍ର, ସୂତା ପେପର ସଂଗ୍ରହ କରି, ପୁଲିସକୁ ଚକମା ଦେଇ ବିଲ ମଧ୍ୟରେ, ବନ୍ଦ ଘରେ, ନଦୀ କୂଳରେ ଆଦି ସ୍ଥାନରେ ଚାଳିଆ କରି ବିଭିନ୍ନ ପ୍ରକାରର ବାଣ ପ୍ରସ୍ତୁତ କରନ୍ତି।
ସୂଚନାଯୋଗ୍ୟ, ଗତକାଲି ଗଂଜାମ ଜିଲ୍ଲା ପାଟପୁର ଥାନା ଅଧୀନ ପୋଡ଼ାମାରୀ ଓ ଡେଙ୍ଗାଓସ୍ତା ଗ୍ରାମରେ ଚାଲିଥିବା ବେଆଇନ ବାଣ ଗୋଦାମ ଉପରେ ବୁଧବାର ରାତିରେ ପୁଲିସ ଚଢ଼ଉ କରିଥିଲା। ୧୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।