ଭୂସ୍ଖଳନ ପରେ ପାହାଡ଼ରେ ଫାଟ, ୧୦୦ ପରିବାର ସ୍ଥାନାନ୍ତର

ଦାରିଙ୍ଗବାଡ଼ି : ଭୂସ୍ଖଳନ ପରେ ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଗ୍ରାମ ୧୦୦ ପରିବାରକୁ ସ୍ଥାନାନ୍ତର କରାଯାଇଛି।

ନିକଟରେ ଲଘୁଚାପଜନିତ ବର୍ଷା ଯୋଗୁ ଭୂସ୍ଖଳନ ହୋଇଥିଲା। ଫଳରେ, ପାହାଡ଼ରେ ବଡ଼ବଡ଼ ଫାଟ ଦେଖାଯିବା ସହିତ ମାଟି ଅତଡ଼ା ଖସିଥିଲା। ଏ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଗୁରୁବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଭୂସ୍ଖଳନ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଏହାପରେ ୧୦୦ ପରିବାରର ୪୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତାମାଙ୍ଗି ସରକାରୀ ଉଚ୍ଚବିଦ୍ୟାଳୟରେ ରଖାଯିବା ସହ ସମସ୍ତ ଖାଇବା ଓ ରହିବା ବ୍ୟବସ୍ଥା କରାଯାଇଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଏକ ବୈଷୟିକ ଟିମ୍‌ ଅନୁଧ୍ୟାନ କରିବା ସହିତ ଗାଁ ପ୍ରତି ବିପଦ ରହିଛି କି ନାହିଁ ସ୍ପଷ୍ଟ କରିବେ। ଏହାପରେ ଗ୍ରାମବାସୀଙ୍କ ଅନ୍ୟତ୍ର ଥଇଥାନ କରିବା ନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର