ବେଆଇନ ବିସ୍ଫୋରଣ ଯୋଗୁଁ ଘରକାନ୍ଥରେ ଫାଟ, ପ୍ରଦୂଷଣର ସୀମା ନାହିଁ

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ମହିସରା ଅଞ୍ଚଳବାସୀ

ବେଆଇନ ବିସ୍ଫୋରଣ ଯୋଗୁଁ ଘରକାନ୍ଥରେ ଫାଟ, ପ୍ରଦୂଷଣର ସୀମା ନାହିଁ

ଯାଜପୁରସଦର: ଧର୍ମଶାଳା ତହସିଲ ମହିସରା ଓ ସଂପାରୁ ପଞ୍ଚାୟତର ରାହାଡ଼ପୁର ପାହାଡ଼ରେ ବେଆଇନ ବିସ୍ଫୋରଣ ବଢ଼ିବାରେ ଲାଗିଛି। ଫଳରେ ୨୦ଟି ଗ୍ରାମର ଲୋକ ପ୍ରଦୂଷିତ ଜଳ, ବାୟୁ ଓ ଧୂଆଁରେ ଅତିଷ୍ଠ ହୋଇ ପଡ଼ିଛନ୍ତି। ବିସ୍ଫୋରଣ ଯୋଗୁଁ ଲୋକେ ଘରେ ରହି ପାରୁନାହାନ୍ତି। ଏହାକୁ ବିରୋଧ କରି ଆଜି ଶତାଧିକ ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟ‌ାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି।

ରାହାଡ଼ପୁର ପାହାଡ଼ରେ ପଥର ମାଫିଆମାନେ ଦୈନିକ ବେଆଇନ ବିସ୍ଫୋରଣ ଘଟାଉଛନ୍ତି। କମ୍ପନରେ ଘରେଘରେ ଫାଟ ସୃଷ୍ଟି ହେଉଛି। ଲୋକମାନେ ରାତିରେ ଭଲ କରି ଶୋଇପାରୁନାହାନ୍ତି। ଲିଜ୍‌ ଅଞ୍ଚଳ ବାହାରୁ ବେଆଇନ ଉତ୍ତୋଳନ କରୁଛନ୍ତି। ପାହାଡ଼ରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହେବା ସହ ସେଥିରେ ଗୃହପାଳିତ ପ୍ରାଣୀ ପଡ଼ି ଜୀବନ ହରାଉଛନ୍ତି। ପ୍ରଦୂଷଣ ପାଇଁ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଛନ୍ତି। ପାହାଡ଼ ନିକଟରେ ଥିବା ପାଇକରାପୁର ଡ୍ୟାମ୍‌ ପୋତି ହୋଇଯାଉଥିବାରୁ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବିସ୍ଫୋରଣରେ ବ୍ୟବହୃତ ବିଷାକ୍ତ ଦ୍ରବ୍ୟ ମିଶା ପାଣି ଆସି ଚାଷ ନଷ୍ଟ କରୁଛି। ଫଳରେ ଦୁଇଟି ପଞ୍ଚାୟତର ୨୦ ଖଣ୍ଡ ଗ୍ରାମବାସୀ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏନେଇ ଆଜି ଶତାଧିକ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଦୁଃଖବନ୍ଧୁ ନାୟକଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଛନ୍ତି। ଯଦି ପ୍ରଶାସନ ଆଗାମୀ ୧୫ ଦିନ ମଧ୍ୟରେ କିଛି ପଦକ୍ଷେପ ନ  ନିଅନ୍ତି ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବାବୁଲି ଜେନା, ବଳଦେବ ରାଉତ, ଦୁଃଶାସନ ଘଡ଼ାଇ, ହିଂମାଶୁ ସ୍ବାଇଁ, ନିତ୍ୟାନନ୍ଦ ବେହେରା, ଜଟଧର ମଲ୍ଲିକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe