ନାଟମଣ୍ଡପ ବିମ୍‌ରେ ଫାଟ, ବନ୍ଧା ହେଲା ଭାରା

ପୁରୀ : ଦୁର୍ବଳସ୍ଥିତିରେ ଥିବା ଶ୍ରୀମନ୍ଦିର ନାଟମଣ୍ଡପ ମରାମତିର ଆଜି ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ କୋର୍‌ କମିଟିର ଅଧ୍ୟକ୍ଷ ଏ ପି ଗୁପ୍ତାଙ୍କ ନେତୃତ୍ୱରେ ବରିଷ୍ଠ ବିଶେଷଜ୍ଞଙ୍କ ଏକ ଦଳ ଆଜି ଶ୍ରୀମନ୍ଦିର ଯାଇ ନାଟମଣ୍ଡପର ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ ନାଟମଣ୍ଡପର ପ୍ରାୟ ସମସ୍ତ ବିମ୍‌ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଜଣାପଡ଼ିଛି। ମୁଖ୍ୟ ୪ଟି ବିମ୍‌ ସହ ଅନ୍ୟ ବିମ୍‌ରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ନାଟମଣ୍ଡପ ମରାମତି ପାଇଁ ଆଜି ଲୁହାର ଭାରା ବନ୍ଧା ଯାଇଥିବା ଦେଖିବାକୁ ମିଳିଛି।

ହାଇକୋର୍ଟଙ୍କ ନିର୍ଦେଶ ପରେ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ୱ ନେଇଥିବା ପ୍ରତ୍ନତତ୍ତ୍ୱ ବିଭାଗ ଦୁର୍ବଳ ସ୍ଥିତିରେ ଥିବା ନାଟମଣ୍ଡପର ମରାମତି ଦିଗରେ ତତ୍ପରତା ଦେଖାଇଛି। ପୂର୍ବ ନର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପ୍ରତ୍ନତତ୍ତ୍ୱ ବିଭାଗ ଆଜିଠାରୁ ତିନିଦିନିଆ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ କୋର୍‌ କମିଟିର ଅଧ୍ୟକ୍ଷ ଏ ପି ଗୁପ୍ତାଙ୍କ ସମେତ ବରିଷ୍ଠ ବିଶେଷଜ୍ଞ ଏନ୍‌ ସି ପାଲ୍‌, ଧର୍ମପଦ ମିଶ୍ର, ପଦ୍ମଲୋଚନ ମହାପାତ୍ର ପ୍ରମୁଖ ଶ୍ରୀମନ୍ଦିର ଯାଇ ନାଟମଣ୍ଡପ ଯାଞ୍ଚ କରିଥିଲେ। ଆଜି ନାଟମଣ୍ଡପର ଚତୁଃପାର୍ଶ୍ୱରେ ଲୁହାର ଭାରା ବନ୍ଧାଯିବା ପରେ ଏଥିରେ ପଟା ପକାଇ ବୈଷୟିକ ଦଳ ନାଟମଣ୍ଡପର ଉପର ସ୍ଥିତି ମଧ୍ୟ ଯାଞ୍ଚ କରିଛନ୍ତି। ଶ୍ରୀ ଗୁପ୍ତାଙ୍କ ସମେତ ୫ରୁ ଅଧିକ ବୈଷୟିକ ସଦସ୍ୟ ଭାରା ଉପରେ ରହି ପୂର୍ବାହ୍ନରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ନାଟମଣ୍ଡପର ସ୍ଥିତି ଯାଞ୍ଚ କରିଛନ୍ତି। ନାଟମଣ୍ଡପରେ ମୋଟ ୧୬ଟି ବିମ୍‌ ଥିବାବେଳେ ଏଥିରେ ୪ଟି ମୁଖ୍ୟ ବିମ୍‌ ରହିଛି। ଯାହା ଚାରିକୋଣରୁ ନାଟମଣ୍ଡପକୁ ଧରି ରଖିଛି। ଏହା ମଝିରେ ୧୨ଟି ବିମ୍‌ ରହିଛି। ୪ ମୁଖ୍ୟ ବିମ୍‌ରେ ଏକାଧିକ ଫାଟ ସୃଷ୍ଟି ହୋଇଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ଏଗୁଡ଼ିକ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ଏହାର ମରାମତି ଅତ୍ୟାବଶ୍ୟକ ବୋଲି ବୈଷୟିକ ଦଳ ମତ ଦେଇଛନ୍ତି। ସେପଟେ ମଝିରେ ଥିବା ୧୨ଟି ବିମ୍‌ରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ସଂଧ୍ୟାରେ ଯାଞ୍ଚ ଶେଷ ପରେ ଆଜି ଏହି ବୈଷୟିକ ଦଳ ଏକ ଗୁପ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ପ୍ରତ୍ନତତ୍ତ୍ୱ ବିଭାଗର ରାଜ୍ୟ ବାହାର ବିଶେଷଜ୍ଞ ଦଳ ପୁରୀରେ ପହଞ୍ଚିବା ପରେ ଏ ସଂପର୍କରେ ବିସ୍ତତ ଆଲୋଚନା ହେବ। ତିନି ଦିନ ଧରି ନାଟମଣ୍ଡପ ମରାମତି ସଂପର୍କରେ ବିସ୍ତତ ଆଲୋଚନା ପରେ ଅଗଷ୍ଟ ୨୩ରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର