ପୁରୀ : ଜୁଲାଇ ୯ ତାରିଖରେ ବାହୁଡ଼ାଯାତ୍ରା। ଜୁଲାଇ ୮ ତାରିଖରେ ଭକ୍ତଙ୍କୁ ଶେଷ ଦର୍ଶନ ଭାବେ ସଂଧ୍ୟା ଦର୍ଶନରେ ଆଡ଼ପମଣ୍ଡପରୁ ଦର୍ଶନ ଦେଇ ପୁଣି ଶ୍ରୀମନ୍ଦିର ଫେରିବେ ମହାବାହୁ। ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥ ଦକ୍ଷିଣ ମୋଡ଼ ନେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥ ଦକ୍ଷିଣମୋଡ଼ ନେବା ପୂର୍ବରୁ ବୈଷୟିକ କମିଟି ପକ୍ଷରୁ ତିନି ରଥର ଯାଞ୍ଚ କରାଯାଇଛି। ଶ୍ରୀମନ୍ଦିର କୋର କମିଟି ସଦସ୍ୟ ଏନ୍ ସି ପାଲ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ତିନି ରଥର ମୁଖ୍ୟ ବିଶ୍ବକର୍ମା ବିଜୟ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ମହାରଣା ଓ ନରସିଂହ ମହାପାତ୍ରଙ୍କ ଉପସ୍ଥିତିରେ ତିନି ରଥ ଯାଞ୍ଚ କରିଛନ୍ତି। ରଥ ଚକ, ଅଖ, ଦଣ୍ଡା ସହ ଉପର ଅଂଶର ସ୍ଥିତି ଯାଞ୍ଚ କରିଛନ୍ତି। ଯାଞ୍ଚ ବେଳେ ତିନି ରଥରୁ ଦୁଇ ରଥର ଚକରେ ଫାଟ ରହିଥିବା ଜଣାପଡ଼ିଛି। ବଡ଼ଠାକୁର ବଳଭଦ୍ରଙ୍କ ପଡ଼ିନାହାକା ଚକର ପଇରେ ଫାଟ ରହିଥିବାବେଳେ ଦେବଦଳନ ରଥର ବଡ଼ଉଛୁଳା ଚକରେ ଫାଟ ରହିଛି। ଆଜି ରେଳ ବିଭାଗ ସହଯୋଗରେ ତିନି ରଥର ଆବଶ୍ୟକ ମରାମତି କରାଯିବ ବୋଲି ଜଣାପଡ଼ିଛି।
ଏ ସମ୍ପର୍କରେ ଶ୍ରୀ ପାଲ କହିଛନ୍ତି, ଯାଞ୍ଚ ବେଳେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥର ତିନୋଟି ସ୍ଥାନରେ ଓ ମା’ ସୁଭଦ୍ରାଙ୍କ ଦେବଦଳନ ରଥର ଦୁଇଟି ସ୍ଥାନରେ ଫାଟ ଦେଖାଦେଇଛି। ଏହା ସେଭଳି କିଛି ବଡ଼ ସମସ୍ୟା ସୃଷ୍ଟି କରିବନି। ଆଜିଠାରୁ ଏହାର ମରାମତି ଆରମ୍ଭ ହୋଇଯିବ ଶ୍ରୀ ପାଲ କହିଛନ୍ତି। ଅନ୍ୟପଟେ ପ୍ରତିବର୍ଷ ଭଳି ରେଳ ବିଭାଗ ପକ୍ଷରୁ ବଡ଼ ଜଗ ଆସି ରଥ ଟେକା ଯିବା ପରେ ୟୁ-କ୍ଲାମ୍ପ୍ ଓ ଏଲ୍-କ୍ଲାମ୍ପ୍ ଲଗାଯାଇ ଫାଟ ମରାମତି କରାଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରଥଯାତ୍ରା ପୂର୍ବରୁ ନନ୍ଦିଘୋଷ ରଥର ଅଖ ଭାଙ୍ଗି ଯାଇଥିଲା। ବୈଷୟିକ କମିଟି ଯାଞ୍ଚ କରି ଏହାକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲା। ନୂଆ ଅଖ ଲାଗିବା ପରେ ତିନି ରଥ ଗଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ratha-wdd.jpg)